ପାକିସ୍ତାନକୁ ଧରାଶାୟୀ କଲା ଇଂଲଣ୍ଡ: ଦକ୍ଷିଣ ଆଫ୍ରିକା ସେମିରେ

ଖ୍ରୀଷ୍ଟଚର୍ଚ୍ଚ: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ବକପ୍‌ରେ ଗୁରୁବାର ପାକିସ୍ତାନକୁ ଧରାଶାୟୀ କରି ଇଂଲଣ୍ଡ ନିଜର ସେମିଫାଇନାଲ୍ ସ୍ଥିତିକୁ ସୁଧାରି ନେଇଛି। ପାକିସ୍ତାନକୁ ଇଂଲଣ୍ଡ ୯ ୱିକେଟ୍‌ରେ ହରାଇବାରୁ ୩ ପରାଜୟ ପରେ କ୍ରମାଗତ ୩ ବିଜୟ ପାଇଛି। ସିମର୍‌ କାଥରିନ୍ ବ୍ରଣ୍ଟ୍‌ ଓ ‌ସ୍ପିନର୍‌ ସୋଫି ଏସେଲ୍‌ଷ୍ଟୋନ୍‌ ୩-୩ ୱିକେଟ୍ ନେବାରୁ ପାକିସ୍ତାନ ୪୨ତମ ଓଭରରେ ୧୦୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ସିଦ୍ରା ଅମିନ୍‌ (୩୨), ସିଦ୍ରା ନୱାଜ (୨୩), ଓମାଇମା ସୋହେଲ (୧୧)ଙ୍କ ଛଡ଼ା ଅନ୍ୟ କେହ‌ି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଶୀର୍ଷକ୍ରମରେ ପାକିସ୍ତାନର ଦୁଇଟି ଲଗାତାର ରନ୍‌ ଆଉଟ୍‌ ଦଳକୁ ଲଢ଼ିବାରୁ ବଞ୍ଚିତ ରଖିଥିଲା। ଜବାବରେ ଇଂଲଣ୍ଡ ଡାନିଏଲ ୱାଟ୍‌ (୭୬*) ଓ ଅଧିନାୟିକା ହିଦର୍ ନାଇଟ୍ (୨୪*)ଙ୍କ ବଳରେ ୧୯.୨ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ୱାଟ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପରାଜୟ ସହ ପାକିସ୍ତାନର ସେମିଫାଇନାଲ୍ ଆଶା ମଉଳିଯାଇଛି। ଇଂଲଣ୍ଡକୁ ଏବେ ବାଂଲାଦେଶ ବିପକ୍ଷରେ ନିଶ୍ଚିତ ବିଜୟ ଆବଶ୍ୟକ ରହିଛି।

ଗୁରୁବାର ୱେଲିଂଟନ୍‌ରେ ଖେଳାଯାଇଥିବା ‌ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌ ବର୍ଷାବାଧା ସୃଷ୍ଟି କରିବାରୁ ବାତିଲ ହୋଇଥିଲା। ଉଭୟ ଦଳ ୧ ଲେଖାଏଁ ପଏଣ୍ଟ ପାଇବାରୁ ଦକ୍ଷିଣ ଅଫ୍ରିକା (୯)ର ସେମିଫାଇନାଲ୍ ନିଶ୍ଚିତ ହୋଇଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ (୭) ପଏଣ୍ଟରେ ଥିବାରୁ ଭାରତ (୬)ର ଚିନ୍ତା ବଢ଼ାଇଛି। ସେମିଫାଇନାଲ୍‌ ପହଞ୍ଚିବାକୁ ହେଲେ ଭାରତକୁ ଏବେ ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ନିଶ୍ଚିତ ହରାଇବାକୁ ପଡ଼ିବ।

ସମ୍ବନ୍ଧିତ ଖବର