ଭୁବନେଶ୍ବର,: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ରେ ସୋମବାର ଇଂଲଣ୍ଡ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। ପ୍ରଥମ କ୍ରସ୍ ଓଭର ମ୍ୟାଚ୍ରେ ସୋମବାର ଇଂଲଣ୍ଡ ୨-୦ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ବର ଶୀର୍ଷ ୮ ଦଳରେ ସାମିଲ ହୋଇଛି। ବୁଧବାର ପ୍ରଥମ କ୍ବାର୍ଟର ଫାଇନାଲ୍ରେ ଇଂଲଣ୍ଡ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ସହିତ ଖେଳିବ।
ପ୍ରଥମ ମ୍ୟାଚ୍ ଅପେକ୍ଷାକୃତ ରକ୍ଷଣାତ୍ମକ ଖେଳ ଦେଖାଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍ ପାଇଁ ଏହା ବୁମେରାଂ ହୋଇଥିଲା। ଇଂଲଣ୍ଡ ନିଜର ଚମତ୍କାର ଷ୍ଟିକ୍ ଚାଳନା ଏବଂ ଉତ୍ତମ ସମନ୍ବୟର ସୁଫଳ ପାଇଯାଇଥିଲା। ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ବିତିଥିଲା। ଦ୍ବିତୀୟ କ୍ବାର୍ଟର ତଥା ୨୫ତମ ମିନିଟରେ ଫିଲ୍ ରୁପରଙ୍କ ପୁସ୍ରୁ ୱିଲ୍ କାଲନାନ୍ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଏକ ସୁନ୍ଦର ଫିଲଡ୍ ଗୋଲ୍ ଦେଇଥିଲେ। ୪୪ତମ ମିନିଟରେ ଇଂଲଣ୍ଡକୁ ମିଳିଥିବା ପେନାଲଟି କର୍ନରକୁ ନ୍ୟୁଜିଲାଣ୍ଡ ଗୋଲରକ୍ଷକ ରୋକି ଦେଇଥିଲେ। କିନ୍ତୁ ରିବାଉଣ୍ଡ୍ ବଲ୍କୁ ନିୟନ୍ତ୍ରଣକୁ ନେଇ ଲୁକ୍ ଟେଲର ଉପର କର୍ନର ଦେଇ ଗୋଲ୍ ପୋଷ୍ଟ୍ ଭିତରକୁ ବଲ୍ ପଠାଇବାରେ ସଫଳ ହୋଇଥିଲେ। ଶେଷ କ୍ବାର୍ଟର ମଧ୍ୟଗୋଲ ଶୂନ୍ୟ ବିତିଥିଲା। ଇଂଲଣ୍ଡ ୨-୦ରେ ଜିତି ବିଶ୍ବକପ୍ରେ ଚତୁର୍ଥ ଥର ପାଇଁ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଦେଇଥିଲା। ପୂର୍ବ ୩ ବିଶ୍ବକପ୍ ମ୍ୟାଚ୍ ମଧ୍ୟ ଇଂଲଣ୍ଡ ଜିତିଥିଲା। ଏହି ମ୍ୟାଚ୍ରେ ବଲ୍ ନିୟନ୍ତ୍ରଣରେ ଇଂଲଣ୍ଡ (୫୧.୩୩ %) ପ୍ରତିପକ୍ଷ ବ୍ଲାକ୍ଷ୍ଟିକ୍ ଦଳ (୪୮.୬୭ %)ରେ ସାମାନ୍ୟ ଆଗୁଆ ରହିଥିଲା। କିନ୍ତୁ ଗୋଲ୍ରେ ଆକ୍ରମଣ ୮-୫, ପେନାଲଟି କର୍ନର ଅର୍ଜନରେ ୪-୧ରେ ପ୍ରାଧାନ୍ୟ ବିସ୍ତାର କରି ବିଜୟର ହକ୍ଦାର ଥିଲା। ଲିଆମ୍ ଷ୍ଟାନଫୋର୍ଡ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମ୍ୟାଚ୍ ପ୍ରାରମ୍ଭରେ ଅନ୍ତର୍ଜାତୀୟ ଭାରୋତ୍ତୋଳକ କେ ରବି କୁମାର ଏବଂ ଶେଷରେ ବିଚାରପତି ଚିତ୍ତରଂଜନ ଦାସ ଅତିଥି ଭାବେ ଯୋଗ ଦେଇଥିଲେ।
ସମ୍ବନ୍ଧିତ ଖବର