ୟୁରୋ ୨୦୨୦ ଫୁଟ୍‌ବଲ୍‌ ପ୍ରତିଯୋଗିତା, ସେମିରେ ଆଜି ଇଂଲଣ୍ଡ-ଡେନ୍‌ମାର୍କ

ଲଣ୍ଡନ: ଚଳିତ ୟୁରୋ ୨୦୨୦ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଦ୍ବିତୀୟ ସେମିଫାଇନାଲ୍‌ ଗୁରୁବାର ରାତି ୧୨.୩୦ରେ ଖେଳାଯିବ। ଏଥିରେ ଇଂଲଣ୍ଡ ଓ ଡେନ୍‌ମାର୍କ ମୁହାଁମୁହିଁ ହେବେ। ଉଭୟ ଦଳ ୨୦ରୁ ଅଧିକ ବର୍ଷ ପରେ ପ୍ରଥମ ଥର ଲାଗି ଇରୋପୀୟ ଚାମ୍ପିଅନ୍‌ସିପ୍‌ ସେମିଫାଇନାଲ୍‌ ଖେଳିବାକୁ ଯାଉଛନ୍ତି। ୧୯୯୬ ପରେ ପ୍ରଥମ ଥର ସେମିଫାଇନାଲ୍‌ ପହଞ୍ଚିଥିବା ଇଂଲଣ୍ଡ ଘରୋଇ ପରିବେଶରେ ଖେଳିବାକୁ ଥିଲା ବେଳେ ସ୍ଥାନୀୟ ଦର୍ଶକଙ୍କ ସମର୍ଥନରେ ଫାଇନାଲ୍‌ ପହଞ୍ଚିବାର ଅଶା ରଖିଛି। ଅନ୍ୟପକ୍ଷରେ ଡେନ୍‌ମାର୍କ ଉତ୍ସାହ ଓ ଉଦ୍ଦୀପନା ସହ ଘରୋଇ ଦଳକୁ ସମ୍ନା କରିବାକୁ ପୂରା ପ୍ରସ୍ତୁତ ରହିଛି।

ଇଂଲଣ୍ଡ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଜର୍ମାନି ଏବଂ କ୍ବାର୍ଟର ଫାଇନାଲ୍‌ରେ ୟୁକ୍ରେନ୍‌କୁ ହରାଇ ୨୫ ବର୍ଷ ପରେ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲା। ୧୯୬୬ ବିଶ୍ବ ବିଜେତା ହେବା ପରେ ଦୁଇ ଥର ଲାଗି ବଡ଼ ପ୍ରତିଯୋଗିତାର ସେମିଫାଇନାଲ୍‌ ପ୍ରବେଶ କରିଥିଲେ ମଧ୍ୟ ଆଗକୁ ବଢ଼ିପାରିନି। ଅନ୍ୟପକ୍ଷରେ ଡେନ୍‌ମାର୍କର ୟୁରୋ ୨୦୨୦ ଆରମ୍ଭ ଦୁଃଖଦ ଥିଲା। ଫିନ୍‌ଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ କ୍ରିଷ୍ଟିଆନ୍‌ ଏରିକ୍‌ସନ୍‌ ହୃଦଘାତ ଅଧାରୁ ପଡ଼ିଆ ଛାଡ଼ିଥିଲେ। ଫଳରେ ଏହି ମ୍ୟାଚ୍‌ ଦଳ ହାରିଥିଲା। ବେଲ୍‌ଜିୟମ ବିପକ୍ଷ ଏହା ପର ମ୍ୟାଚ୍‌ରେ ମଧ୍ୟ ଡେନ୍‌ମାର୍କ ପରାଜୟ ମୁହଁ ଦେଖିଥିଲା। ତେବେ ଶେଷ ମ୍ୟାଚ୍‌ରେ ରୁଷିଆକୁ ୪-୧ ଗୋଲ୍‌ରେ ହରାଇ ନକ୍‌ଆଉଟ୍‌ରେ ପହଞ୍ଚିଥିଲା। ପ୍ରିକ୍ବାର୍ଟର୍‌ ଫାଇନାଲ୍‌ରେ ୱେଲ୍ସକୁ ଏବଂ କ୍ବାର୍ଟରରେ ଚେକ୍‌ଗଣରାଜ୍ୟକୁ ହରାଇ ଦଳ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲା।

ବଡ଼ ପ୍ରତିଯୋଗିତାରେ ଉଭୟ ଦଳ ପୂର୍ବରୁ ଦୁଇ ଥର ମୁହାଁମୁହିଁ ହୋଇଥିଲେ। ୧୯୯୨ ୟୁରୋ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା ବେଳେ ୨୦୦୨ ବିଶ୍ବ କପ୍‌ରେ ଇଂଲଣ୍ଡ ୩-୦ ଗୋଲ୍‌ରେ ଡେନ୍‌ମାର୍କକୁ ପରାସ୍ତ କରିଥିଲା। ତେବେ ୨୦୨୦-୨୧ ୟୁଫା ନେସନ୍ସ ଲିଗ୍‌ରେ ଡେନ୍‌ମାର୍କ ଅଗାରେ ରହିଥିଲା। ପ୍ରଥମ ମ୍ୟାଚ୍‌ ୦-୦ରେ ଅମୀମାଂସିତ ରଖିଥିଲା ବେଳେ ୱେମ୍ବଲିରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ‌ଡେନ୍‌ମାର୍କ ୨-୦ରେ ବିଜୟୀ ହୋଇଥିଲା।

ସମ୍ଭାବ୍ୟ ଏକାଦଶ
ଇଂଲଣ୍ଡ: ଜୋର୍ଡାନ ପିକଫୋର୍ଡ, କାଇଲ ୱାଲକର, ଜନ୍‌ ଷ୍ଟୋନ୍ସ, ହାରି ମାଗୁରେ, ଲୁକେ ସ’, ଦେକ୍ଲାନ ରାଇସ, କାଲଭିନ ଫିଲିଫ୍ସ, ମାସନ ମାଉଣ୍ଟ, ଜାଡୋନ ସାଞ୍ଚୋ, ହାରି କେନ, ରହିମ ଷ୍ଟେର୍ଲିଂ।

ଡେନ୍‌ମାର୍କ: କାସ୍‌ପର ସ୍ମାଇକଲ, ଆନ୍ଦ୍ରିଜ ଖ୍ରୀଷ୍ଟେନ୍‌ସେନ, ସିମନ କାଜର, ଜାନିକ ଭେଷ୍ଟରଗାର୍ଡ, ଜେନ୍ସ ‌ଷ୍ଟ୍ରିଗର ଲାର୍ସେନ, ଥୋମାସ ଡେଲାନି, ପିରେ-ଏମିଲ ହୋବଜର୍ଗ, ଜୋକିମ ମାହଲେ, ମାର୍ଟିନ ବ୍ରାଥୱେଟ, ମିକେଲ ଡାମ୍ସଗାର୍ଡ, କାସପର ଡୋଲବର୍ଗ।

ସମ୍ବନ୍ଧିତ ଖବର