ଭୁବନେଶ୍ବର କନିଷ୍ଠ ହକି ବିଶ୍ବକପ୍‌ରୁ ଓହରିଲା ଇଂଲଣ୍ଡ

ଲଣ୍ଡନ: ନଭେମ୍ବର ମାସରେ ଭୁବନେଶ୍ବରରେ ହେବାକୁଥିବା ଏଫ୍‌ଆଇଏଚ୍‌ ପୁରୁଷ କନିଷ୍ଠ ହକି ବିଶ୍ବକପ୍‌ରୁ ସୋମବାର ଇଂଲଣ୍ଡ ଓହରିଯାଇଛି। କୋଭିଡ-୧୯ ମାମଲା ବୃଦ୍ଧିକୁ ନଜର‌ରେ ରଖି ଭାରତ ଗସ୍ତରେ ଆସୁଥିବା ୟୁକେବାସୀ ଉପରେ ବାଧ୍ୟତାମୂଳକ ୧୦ ଦିନିଆ ସଂଗରୋଧର ନିୟମ ଭାରତ ସରକାର ଶୁକ୍ରବାରଠୁ ଲଗାଇଛନ୍ତି। ଏହି କଟକଣା ଲାଗିବା ପରେ ଇଂଲଣ୍ଡ ଏଭଳି ନିଷ୍ପତ୍ତି ନେଇଛି। ‘‘‌ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା କନିଷ୍ଠ ବିଶ୍ବକପ୍‌ରେ ଦୁର୍ଭାଗ୍ୟଜନକ ଭାବେ ଅଂଶଗ୍ରହଣ କରିପାରିବୁନି ବୋଲି ବିଶ୍ବ ହକି ମହାସଂଘକୁ ସୋମବାର ଇଂଲଣ୍ଡ ହକି ଜଣାଇଛି। ଏକାଧିକ କୋଭିଡ ସଂକ୍ରମଣ ଏବଂ ଖେଳାଳି ଓ ଷ୍ଟାଫ୍‌ଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଆମେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛୁୂ। ଏଥିସହ ୟୁକେବାସୀଙ୍କ ପାଇଁ ବାଧ୍ୟତାମୂଳକ ୧୦ ଦିନିଆ ସଂଗରୋଧ ନିୟମ ଶୁକ୍ରବାର ଭାରତ ସରକାର ଘୋଷଣା କରିଥିବା ମଧ୍ୟ ଆମ ନଜରକୁ ଆସିଛି ବୋଲି ଏହି ବିଜ୍ଞପ୍ତିରେ ଇଂଲଣ୍ଡ ହକି ଦର୍ଶାଇଛି। ସୂଚନାଯୋଗ୍ୟ, ଇଂଲଣ୍ଡ ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି।

ସମ୍ବନ୍ଧିତ ଖବର