ଶୃଙ୍ଖଳା ବରାବର କଲା ଇଂଲଣ୍ଡ: ୱେଷ୍ଟଇଣ୍ଡିଜ୍‌ ୧୧୩ ରନ୍‌ରେ ପରାସ୍ତ, ବେନ୍ ଷ୍ଟୋକ୍ସ ଶ୍ରେଷ୍ଠ

ମାଞ୍ଚେଷ୍ଟର୍‌: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌କୁ ଇଂଲଣ୍ଡ ରୋମାଞ୍ଚକ ଭାବେ ୧୧୩ ରନ୍‌ରେ ଜିତି ନେଇଛି। ବେନ୍ ଷ୍ଟୋକ୍ସଙ୍କ ବ‌ିସ୍ଫୋରକ ବ୍ୟାଟିଂ ପରେ ଷ୍ଟୁଆର୍ଟ ବ୍ରଡଙ୍କ ନେତୃତ୍ବାଧୀନ ବୋଲିଂ ଆଗରେ ଇଣ୍ଡିଜ୍ ହାର ମାନିଛି। ଭ୍ରମଣକାରୀ ‌ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୩୧୨ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ଜାସନ୍ ହୋଲଡରଙ୍କ ଦଳ ୧୯୮ ରନ୍‌‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ଏଥି ସହିତ ୩ ମ୍ୟାଚ୍‌ ଶୃଙ୍ଖଳା ୧-୧ ସ୍ତରକୁ ଚାଲି ଆସିଛି। ମ୍ୟାଚ୍‌ରେ ମୋଟ ୨୫୪ ରନ୍ (୧୭୬ ଓ ୭୮*) ସହ ୩ ୱିକେଟ୍ ନେଇ ବେନ୍ ‌ଷ୍ଟୋକ୍ସ ପୁଣି ନାୟକ ସାଜିଥିଲେ।

ଇଂଲଣ୍ଡର ପ୍ରଥମ ପାଳି ୪୬୯/୯ ଜବାବରେ ରବିବାର ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଦିନ ଚା’ପାନ ବିରତି ପରେ ୬ ୱିକେଟ୍‌ ହରାଇ ଦେବାରୁ ୨୮୭ ରନ୍‌ରେ ସୀମିତ ରହିଯାଇଥିଲା। କ୍ରମଣକାରୀ ଦଳ ଫଲୋଅନ୍ ଏଡ଼ାଇଥିଲେ ମଧ୍ୟ ପରାଜୟର ବିପଦରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇନଥିଲା। ଇଂଲଣ୍ଡକୁ ପ୍ରଥମ ପାଳିରେ ଗୁରୁତ୍ବପୂର୍ଣ୍ଣ ୧୮୨ ରନ୍ ଅଗ୍ରଣୀ ମଧ୍ୟ ମିଳିଯାଇଥିଲା। ଏଥି ସହିତ ଇଂଲଣ୍ଡ ମଧ୍ୟ ନୂଆ ରଣକୌଶଳରେ ଦ୍ବିତୀୟ ପାଳି ଖେଳିଥିଲା। ଶୃଙ୍ଖଳା ସୁଯୋଗ କାଏମ ରଖିବା ଲାଗି ଇଂଲଣ୍ଡକୁ କର ବା ମର ସ୍ଥିତି ଆସିଥିବାରୁ ଜୋ ରୁଟଙ୍କ ଦଳ ଏହାର ପ୍ରାରମ୍ଭିକ ଯୋଡ଼ିଙ୍କୁ ପାଳି ଆରମ୍ଭ କରିବାକୁ ପଠାଇନଥିଲା। ରୋରି ବର୍ନସ-ଡମ୍ ଶିବ୍‌ଲେଙ୍କ ବଦଳରେ ବେନ୍ ଷ୍ଟୋକ୍ସ -ଜୋସ୍ ବଟ୍ଟଲର୍‌ ପାଳି ଆରମ୍ଭ କରିଥିଲେ। ପ୍ରଥମ ଟେଷ୍ଟ୍‌ରେ ୱିକେଟ୍‌ଶୂନ୍ୟ ରହିଥିବା କେମାର ରୋଚ୍‌ କିନ୍ତୁ ନିଜର ପ୍ରଥମ ୧୩ ବଲ୍‌ ଭିତରେ ୨ ୱିକେଟ୍ ବାହାର କରି ଇଂଲଣ୍ଡକୁ ରୋକିବାକୁ ପ୍ରୟାସ କରିଥିଲେ। ବଟ୍ଟଲର୍‌ ଏବଂ ଜାକ୍ କ୍ରଲିଙ୍କୁ ସେ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ଏଥି ସହିତ ଚତୁର୍ଥ ଦିନ ଖେଳକୁ ଇଂଲଣ୍ଡ ୩୭/୨ରେ ଶେଷ କରିଥିଲା।

ବେନ୍‌ ବିସ୍ଫୋରଣ
ସୋମବାର ସକାଳେ ଇଂଲଣ୍ଡ ମଧ୍ୟ ନିଜର ବିଜୟ ଆଭିମୁଖ୍ୟକୁ ସ୍ପଷ୍ଟ ରଖିଥିଲା। ମାତ୍ର ୧୧ ଓଭର ଖେଳି ୯୨ ରନ୍‌ ଯୋଡ଼ିଥିଲା। ପ୍ରଥମ ପାଳିରେ ବିଶାଳ ଶତକ (୧୭୬) ଖେଳିଥିବା ବେନ୍‌ ଷ୍ଟୋକ୍ସ ମୁଖ୍ୟ ଭୂମିକା ତୁଲାଇଥିଲେ। ମାତ୍ର ୫୭ ବଲ୍‌ ଖେଳି ସେ ୭୮ ରନ୍‌ରେ ଅପରାଜିତ ରହିଥିବାବେଳେ ରୁଟ୍ ପାଳି‌ ‌ଘୋଷଣା କରି‌ ଦେଇଥିଲେ। ସୋମବାରର ଏକମାତ୍ର ୱିକେଟ୍ ଭାବେ ଅଧିନାୟକ ଜୋ ରୁଟ୍‌ (୨୨, ୩୩ ବଲ) ରନ୍‌ ଆଉଟ୍‌‌ ହୋଇଯାଇଥିଲେ। ଷ୍ଟୋକ୍ସ (୭୮*, ୫୭ ବଲ୍‌, ୧୨ ଚୌକା, ୩ ଛକା) ଏବଂ ଓଲି ପୋପ୍‌ (୧୨*, ୭ ବଲ୍‌, ୧ ଚୌକା) ଅପରାଜିତ ରହିଥିଲେ। ଇଂଲଣ୍ଡ ୧୨୯/୩ରେ ଏହାର ଦ୍ବିତୀୟ ପାଳିକୁ ଘୋଷଣା କରିବାରୁ ଜାସନ୍ ହୋଲଡରଙ୍କ ଇଣ୍ଡିଜ୍ ସମ୍ମୁଖରେ ସମ୍ଭାବ୍ୟ ୮୫ ଓଭରରେ ୩୧୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

ବ୍ରଡ୍‌ ବିଗାଡ଼ିଲେ
ସମୟ ଏବଂ ସମ୍ଭାବ୍ୟ ୮୫ ଓଭରରେ ୩୧୨ ରନ୍ ଲକ୍ଷ୍ୟ ଥିବାରୁ ୱେଷ୍ଟଇଣ୍ଡିଜ୍ ନିକଟରେ ସୁଯୋଗ ରହିବ ବୋଲି ପ୍ରଥମେ ବିବେଚନା କରାଯାଉଥିଲା। ଏହି ଲୋଭରେ ଖେଳି କିନ୍ତୁ ୱେଷ୍ଟଇଣ୍ଡିଜ୍‌ ପଞ୍ଚମ ଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ୨୩ ରନ୍‌ରେ ୩ ୱିକେଟ୍‌ ହରାଇ ଦେଇଥିଲା। ନିଜର ପ୍ରଥମ ସ୍ପେଲରେ ହିଁ ଷ୍ଟୁଆର୍ଟ ବ୍ରଡ୍‌ ଘାତକ ସାବ୍ୟସ୍ତ ହୋଇଥିଲେ। ମଧ୍ୟାହ୍ନ ଭୋଜନ ବିରତି ପୂର୍ବ ଓ ପରେ ସେ ଜନ୍‌ କ୍ୟାମ୍ପ୍‌ବେଲ (୪), ସାଇ ହୋପ୍‌ (୭) ଏବଂ ରସ୍ତନ ଚେଜ୍‌ (୬)ଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ପ୍ରଥମ ପାଳିରେ ଭଲ ‌ଖେଳିଥିବା କ୍ରେଗ୍ ବ୍ରାଥ୍‌ୱେଟ (୧୨)ଙ୍କୁ କ୍ରିସ୍ ୱକ୍ସ ଆଉଟ୍ କରିଥିଲେ। ପ୍ରଥମ ସ୍ପେଲରେ ବ୍ରଡ୍ (୧୦-୩-୨୫-୩) ଇଣ୍ଡିଜ୍‌ର ଅଣ୍ଟା ଭାଙ୍ଗି ଦେଇଥିଲେ। ୩୭/୪‌ରେ ସଂଘର୍ଷ କରିଥିଲା ଭ୍ରମଣକାରୀ ଦଳ।

ବ୍ରୁକ୍ସ-ବ୍ଲାକଉଡ୍‌ ଲଢ଼ିଲେ
ବ୍ରଡ ବସ୍ଫୋରଣ କାରଣରୁ ୩୭/୪ରେ ସଂଘର୍ଷ କରିଥିବା ୱେଷ୍ଟଇଣ୍ଡିଜ୍‌ ପାଇଁ ଏକମାତ୍ର ଭଲ୍ ଭାଗୀଦାରି ଗଢ଼ିଥିଲେ ସାବରା ବ୍ରୁକ୍ସ (୬୨, ୧୩୬ ବଲ, ୪ ଚୌକା, ୨ ଛକା) ଏବଂ ଜର୍ମାଇନ୍ ବ୍ଲାକଉଡ୍‌ (୫୫, ୮୮ ବଲ, ୭ ଚୌକା)। ପଞ୍ଚମ ୱିକେଟ୍ ପାଇଁ ଏମାନେ ଠିକ୍‌ ୧୦୦ ରନ୍ ଯୋଡ଼ିବା ସହ ବିଜୟ ସମ୍ଭାବନା ମଧ୍ୟ ଦେଖାଇଥିଲେ। ବେନ୍‌ ‌ଷ୍ଟୋକ୍ସଙ୍କୁ ଭୁଲରେ ହୁକ୍‌ ସଟ୍‌ ଖେଳି ବ୍ଲାକଉଡ୍‌ ଆଉଟ୍ ହୋଇଯିବା ପରେ ବ୍ରୁକ୍ସ ବି ଅଧିକ ସମୟ ରହିନଥିଲେ। ବ୍ରୁକ୍ସଙ୍କୁ ସାମ୍ କରନ୍ ଆଉଟ କରିଦେବା ପରେ କ୍ରିସ୍‌ ୱକ୍ସ ଏବଂ ସ୍ପିନର୍‌ ଡୋମିନିକ୍ ବେସ୍‌ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍‌ ବାହାର କରି ନେଇଥିଲେ। ଜାସନ୍ ହୋଲ୍ଡର୍ (୩୫, ୬୨ ବଲ, ୫ ଚୌକା, ୧ ଛକା)ଙ୍କୁ ବେସ୍‌ ବୋଲ୍ଡ କରି ଦେଇଥିଲେ। କେମାର ରୋଚ୍‌ଙ୍କ ୱିକେଟ୍ ନେଇ ବେସ୍ ମଧ୍ୟ ଇଣ୍ଡିଜ୍ ପାଳିରେ ଶେଷ ରେଖା ଟାଣିଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ୍ ପ୍ରଥମ ପାଳି: ୪୬୯/୯, ଘୋଷଣା (ବେନ୍ ଷ୍ଟୋକ୍ସ-୧୭୬, ଡୋମିନିକ୍‌ ଶିବଲେ-୧୨୦, ରସ୍ତନ ଚେଜ୍‌-୫/୧୭୨, କେମାର ରୋଚ୍‌-୨/୫୮)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୯୯ ଓଭରରେ ୨୮୭ (କ୍ରେଗ୍ ବ୍ରାଥ୍‌ୱେଟ୍‌-୭୫, ସାମରା ବ୍ରୁକ୍ସ-୬୮, ରସ୍ତନ୍ ଚେଜ୍‌-୫୧‌, ଅଲଜାରି ଯୋସେଫ୍‌-୩୨, କ୍ରିସ୍ ୱକ୍ସ-୩/୪୨, ଷ୍ଟୁଆର୍ଟ ବ୍ରଡ୍‌-୩/୬୬, ସାମ୍ କରନ୍‌-୨/୭୦, ବେନ୍ ‌ଷ୍ଟୋକ୍ସ-୧/୨୯, ଡୋମିନିକ୍ ବେସ୍-୧/୬୭)। ଇଂଲଣ୍ଡ୍ ଦ୍ବିତୀୟ ପାଳି: ୧୯ ଓଭରରେ ୧୨୯/୩, ଘୋଷଣା (ବେନ୍ ଷ୍ଟୋକ୍ସ-୭୮*, ଜୋ ରୁଟ୍‌-୨୨, କେମାର ରୋଚ୍‌-୨/୩୭)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି (ଲକ୍ଷ୍ୟ ୩୧୨): ୭୦.୧ ଓଭରରେ ୧୯୮/ଅଲଆଉଟ୍‌ (ସାମରା ବ୍ରୁକ୍ସ-୬୨, ଜର୍ମାଇନ୍ ବ୍ଲାକଉଡ୍‌-୫୫, ଜାସନ୍ ହୋଲଡର-୩୫, ଷ୍ଟୁଆର୍ଟ ବ୍ରଡ୍‌-୩/୪୨, ବେନ୍ ‌ଷ୍ଟୋକ୍ସ-୨/୩୦, କ୍ରିସ୍ ୱକ୍ସ-୨/୩୪, ଡୋମିନିକ୍ ବେସ୍-୨/୫୯, ସାମ କରନ୍-୧/୩୦)।

ସମ୍ବନ୍ଧିତ ଖବର