ଆରମ୍ଭରୁ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକାର ଆତ୍ମସମର୍ପଣ

ଲଣ୍ଡନ: ଦ୍ବାଦଶ କ୍ରିକେଟ୍ ବିଶ୍ବକପର ପ୍ରତିଦ୍ବଦ୍ବିତା ପର୍ବ ଗୁରୁବାର ଆରମ୍ଭ ହୋଇଛି। ଆୟୋଜକ ଇଂଲଣ୍ଡ ପ୍ରଥମ ମୁକାବିଲାରୁ ହିଁ ଆଧିପତ୍ୟ ବିସ୍ତାର କରିଛି। ବିଶ୍ବକପର ପ୍ରମୁଖ ଦାବିଦାର ମାନ୍ୟତା ଲାଭ କରିଥିବା ଇଂଲଣ୍ଡ ବ୍ୟାଟିଂ, ବୋଲିଂ ଓ ‌କ୍ଷେତ୍ରରକ୍ଷଣ ସବୁଥିରେ ଜବରଦସ୍ତ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍‌ରେ ହରାଇ ଦେଇଛି। ଏଥି ସହିତ ଘରୋଇ ଦଳ ବୃହତ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ବଡ଼ ପ୍ରତିଯୋଗିତାରେ ବିଫଳତା ପାଇଁ ‘ଚୋକର’ ଉପାଧୀ ପାଇଥିବା ଦକ୍ଷିଣ ଆଫ୍ରିକା ସଂପୂର୍ଣ୍ଣ ଆତ୍ମସମପର୍ଣ କରିଛି। ଇଂଲଣ୍ଡ ୩୧୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଏହି ଦଳ କେବଳ ୨୦୭ ରନ୍‌ରେ ଅଟକି ଯାଇଛି। ଇଂଲଣ୍ଡ ପୂର୍ବରୁ କେବେବି ବିଶ୍ବକପ୍ ଜିତି ନଥିଲା ବେଳେ ଏଥର ଘରୋଇ ପରିବେଶରେ ସେହି ଅପୂରଣୀୟ ସ୍ବପ୍ନ ସାକାର କରିବା ଲକ୍ଷ୍ୟରେ ରହିଛି।

-ଆମଲାଙ୍କୁ ଘାଇଲା କଲେ ଆର୍ଚର
୩୧୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ଇଂଲଣ୍ଡର ଯୁବ ଅଲରାଉଣ୍ଡର ଜୋଫ୍ରା ଆର୍ଚର ଆରମ୍ଭରୁ ଘାଇଲା କରିଥିଲେ। ତୃତୀୟ ଓଭରରେ ତାଙ୍କର ଏକ ଲକ୍ଷ୍ୟଭେଦୀ ବାଉନ୍ସର ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହାସିମ ଆମଲାଙ୍କ ହେଲମେଟ୍ ଗ୍ରିଲ୍‌ରେ ବାଜିବା ପରେ ସେ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଦଳୀୟ ଚିକିତ୍ସକ ପଡ଼ିଆ ଭିତରେ ସବୁକିଛି ଠିକ୍ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସହ୍ୟ ଯନ୍ତ୍ରଣା ପାଇଁ ଆମଲା ବ୍ୟାଟିଂ ଜାରି ରଖି ପାରି ନଥିଲେ। ଏହା ପରେ ଆର୍ଚର ଲଗାତାର ଓଭରରେ ଏଦେନ ମର୍କରାମ (୧୧) ଏବଂ ପ୍ରତିପକ୍ଷ ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ (୮)ଙ୍କ ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକା ଶୀର୍ଷକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। କ୍ବିଣ୍ଟନ୍ ଡି’ କକ୍ (୬୮) ଓ ରେସି ଭାନଡର ଦୁସେନ (୫୦) କିଛି ସମୟ ଲଢ଼ିଥିଲେ। ହେଲେ ଡି’ କକ୍ ୨୩ତମ ଓଭରର ଶେଷ ବଲ୍‌ରେ ଲିୟମ ପ୍ଲଙ୍କେଟଙ୍କ ଶିକାର ହୋଇଥିଲେ। ଏହାର ଠିକ୍ ପରେ ପରେ ସେହି ପ୍ଲଙ୍କେଟଙ୍କ ବଲ୍‌ରେ ବେନ୍ ଷ୍ଟୋକ୍ସ ଗୋଟିଏ ହାତରେ କ୍ୟାଚ୍ ନେଇ ଜେପି ଡୁମିନିଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଦକ୍ଷିଣ ଆଫ୍ରିକା ୧୬୭ ରନ୍‌ରେ ୬ ୱିକେଟ୍ ହରାଇବା ପରେ ଇଂଲଣ୍ଡ ବିଜୟ ଏକପ୍ରକାର ପକ୍କା ହୋଇ ଯାଇଥିଲା। ଯନ୍ତ୍ରଣାରୁ ମୁକୁଳିବା ପରେ ଆମ୍‌ଲା ପୁନର୍ବାର ବ୍ୟାଟିଂ ପାଇଁ ଅସିଥିଲେ। ହେଲେ ବିଶେଷ କିଛି କରି ପାରି ନଥିଲେ। ଇମ୍ରାନ ତାହିରଙ୍କୁ ଆଉଟ୍ କରି ଷ୍ଟୋକ୍ସ ଇଂଲଣ୍ଡ ବିଜୟରେ ମୁଣ୍ଡି ମାରିଥିଲେ। ଦକ୍ଷିଣ ଆଫ୍ରିକା ୩୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୦୭ ରନ୍ କରି ପାରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ‌ଷ୍ଟୋକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

-ଇଂଲଣ୍ଡ ପାଳିରେ ୪ ଅର୍ଧଶତକ
ଦକ୍ଷିଣ ଆଫ୍ରିକା ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଯୁବରାଜ ହାରି ଉଦ୍‌ଘାଟନୀ ଭାଷଣ ଦେବା ପରେ ଖେଳ ଆରମ୍ଭ ହୋଇଥିଲା। ଦକ୍ଷିଣ ଆଫ୍ରିକା ପରମ୍ପରା ଭଙ୍ଗ କରି ସ୍ପିନର ଇମ୍ରାନ ତାହିରଙ୍କୁ ପ୍ରଥମ ଓଭର ବୋଲିଂ କରିବାର ସମ୍ମାନ ପ୍ରଦାନ କରିଥିଲା। ତାହିର ନିଜ ଦ୍ବିତୀୟ ବଲ୍‌ରେ ଜନି ବେୟାରଷ୍ଟା (୦)ଙ୍କୁ ଆଉଟ୍ କରି ଇଂଲଣ୍ଡକୁ ପ୍ରଥମ ଝଟ୍‌କା ଦେଇଥିଲେ। ତେବେ ଜାସନ ରୟ (୫୪) ଓ ଜୋ ରୁଟ୍ (୫୧) ଦ୍ବିତୀୟ ୱିକେଟ୍‌ରେ ୧୦୬ ରନ୍ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ। ରୟ ଏବଂ ରୁଟ୍ ୩ ବଲ୍ ଏବଂ ୪ ରନ୍ ଭିତରେ ପ୍ୟାଭିଲିୟନ ଫେରିଥିଲେ। ହେଲେ ଅଧିନାୟକ ଇଅନ ମୋର୍ଗାନ (୫୭) ଏବଂ ବେନ୍ ‌ଷ୍ଟୋକ୍ସ (୮୯)ଙ୍କ ଅର୍ଧଶତକ ବଳରେ ଇଂଲଣ୍ଡ ନିର୍ଧାରିତ ୫୦ ଓଭରରେ ୮ ୱି‌କେଟ୍ ହରାଇ ୩୧୧ ରନ୍ କରି ନେଇଥିଲା। ଦକ୍ଷିଣ ଆଫ୍ରିକା ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ଚାଲିଥିଲେ ମଧ୍ୟ ଶକ୍ତିଶାଳୀ ବ୍ୟାଟିଂକ୍ରମ ପାଇଁ ଇଂଲଣ୍ଡ ୩୦୦ ରନ୍ ଟପି ଯାଇଥିଲା। ଦ୍ବାଦଶ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ର ପ୍ରଥମ ପାଳିରେ ହିଁ ଆୟୋଜକ ଇଂଲଣ୍ଡ ପକ୍ଷରୁ ଚାରିଟି ଅର୍ଧଶତକ ଦେଖିବାକୁ ମିଳିଥିଲା। କୌଣସି ବ୍ୟାଟ୍ସମ୍ୟାନ୍ ଅବଶ୍ୟ ଶତକ ଛୁଇଁ ପାରି ନଥିଲେ। ଦକ୍ଷିଣ ଆଫ୍ରିକାର ସଫଳତମ ବୋଲର ଭାବେ ଲୁଙ୍ଗି ଏନ୍‌ଗିଡ଼ି ୬୬ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ। ଇମ୍ରାନ ତାହିର, କାଗିସୋ ରବାଦାଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଥିଲା।

ସମ୍ବନ୍ଧିତ ଖବର