ଚନ୍ଦ୍ରଶେଖରପୁର: ହକି ବିଶ୍ୱ ଲିଗ୍ ଫାଇନାଲ୍ ଖେଳିବାକୁ ଆସିଥିବା ଇଂଲଣ୍ଡ ଖେଳାଳି ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଏକ ପ୍ରମୁଖ ଘରୋଇ ହୋଟେଲରେ ରହୁଥିବା ଇଂଲିସ୍ ଖେଳାଳିଙ୍କ ମଧ୍ୟରୁ ଦୁଇ ଜଣ ମଙ୍ଗଳବାର ଏହି ସମସ୍ୟାରେ ପଡ଼ିଥିଲେ। ଫଳରେ ଦୁଇ ଖେଳାଳିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହି ଖବର ବାହାରକୁ ଗଲା ପରେ ଡେପୁଟି ଫୁଡ଼୍ କମିଶନରଙ୍କ ନେତୃତ୍ୱରେ ଏକଦଳ ତୁରନ୍ତ ହୋଟେଲ୍ରେ ପହଞ୍ଚିଥିଲା। ଫୁଡ଼୍ ସେଫ୍ଟି ଅଧିକାରୀମାନେ ହୋଟେଲରେ ପହଞ୍ଚି କେଉଁ କାରଣ ପାଇଁ ଏହି ଘଟଣା ଘଟିଲା ତାହାର ତନାଘନା କରିଥିଲେ। ସେଠାରେ ଖାଦ୍ୟର ମାନ ପରୀକ୍ଷା କରିବା ସହିତ ଖେଳାଳିଙ୍କୁ ଦିଆଯାଇଥିବା ଖାଦ୍ୟ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ଖୋର୍ଧା ଫୁଡ଼୍ ସେଫ୍ଟି ଅଧିକାରୀଙ୍କ ସମେତ ଅନ୍ୟ ଜଣେ କର୍ମଚାରୀ ଏହି ଦଳରେ ସାମିଲ୍ ଥିବା ନେଇ ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ଇଂଲଣ୍ଡ ଖେଳାଳିମାନେ ମୁଦ ପ୍ୟାକେଟ ମଧ୍ୟରେ ଥିବା କିଛି ଖାଦ୍ୟ ନିଜ ସାଥୀରେ ଆଣିଛନ୍ତି। ଇଂଲଣ୍ଡରୁ ଆସିଥିବା ମାଂସ ଜାତୀୟ ଏହି ଗରିଷ୍ଠ ଖାଦ୍ୟକୁ ଖାଇ ଦୁଇ ଖେଳାଳି ଅସୁସ୍ଥ ହୋଇପଡ଼ିଥିବା ବିଶେଷ ସୂତ୍ରରୁ ପ୍ରକାଶ। ହୋଟେଲକୁ ଡାକ୍ତରଙ୍କୁ ଡକାଯାଇ ଖେଳାଳିଙ୍କୁ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି। ମାତ୍ର ଏହି ଘଟଣା ପରେ ଇଂଲଣ୍ଡର ଅନ୍ୟ ଖେଳାଳି ଓ ପ୍ରଶିକ୍ଷକ ଦଳ ହୋଟେଲ ପରିବର୍ତ୍ତନ କରିବାକୁ କହିଥିବା ସୂଚନା ମିଳିଛି। ହକି ବିଶ୍ୱ ଲିଗ୍ ଫାଇନାଲ୍ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଖେଳିବାକୁ ଆସିଥିବା ଅର୍ନ୍ତଜାତୀୟ ଖେଳାଳିମାନେ ଓଡ଼ିଶାରେ ଏପରି ଅସୁବିଧାରେ ପଡ଼ିବା ଚିନ୍ତାର ବିଷୟ ହୋଇଛି।
ଘଟଣା ସମ୍ପର୍କରେ କୌଣସି ସୂଚନା ନଦେବାକୁ ସମସ୍ତ ପ୍ରୟାସ କରାଯାଇଥିଲା। ଏପରି କୌଣସି ସମସ୍ୟା ନଥିଲେ କ’ଣ ପାଇଁ ଡେପୁଟି ଫୁଡ଼୍ କମିଶନର ହଠାତ୍ ଏକ ଦଳ ସହିତ ହୋଟେଲକୁ ଆସିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ଇଂଲଣ୍ଡ ଦଳର କୌଣସି ମ୍ୟାଚ୍ ନଥିବାରୁ ଖେଳାଳିମାନେ ହୋଟେଲରେ ଥିଲେ। ଚିକିତ୍ସା ପରେ ଖେଳାଳିମାନେ ସୁସ୍ଥ ଥିବା ପ୍ରକାଶ। କିପରି ଭାବରେ ଖେଳାଳି ନିଜ ସାଥୀରେ ଇଂଲଣ୍ଡରୁ ଏପରି ଖାଦ୍ୟ ଆଣିଲେ? ଖାଦ୍ୟର ମାନ କଣ ପାଇଁ ପରୀକ୍ଷା କରାଯାଇନଥିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଏହି ଘଟଣାରେ କୌଣସି ଖେଳାଳି ଗୁରୁତର ହୋଇଥାଆନ୍ତେ ତେବେ କିଏ ଉତ୍ତରଦାୟୀ ହୋଇଥାନ୍ତେ ବୋଲି ବର୍ତ୍ତମାନ ପ୍ରଶ୍ନ ଉଠୁଛି। ଏହି ଘଟଣା ପରେ ଉଭୟ ପ୍ରଶାସନ ଓ ଖେଳାଳି ରହୁଥିବା ରାଜଧାନୀର ସମସ୍ତ ହୋଟେଲ କର୍ତ୍ତୃପକ୍ଷ ସଚେତନ ହେବା ଆବଶ୍ୟକ। ପୂର୍ବରୁ ଏସୀୟ କ୍ରୀଡ଼ା ସମୟରେ ମଧ୍ୟ ଶ୍ରୀଲଙ୍କା ଖେଳାଳି ମାନେ ଅନୁରୂପ ଭାବରେ ଅସୁସ୍ଥ ହୋଇପଡ଼ିଥିଲେ।
ବିଷାକ୍ତ ଖାଦ୍ୟ ଖାଇ ଇଂଲଣ୍ଡ ଖେଳାଳି ଅସୁସ୍ଥ: ଘରୋଇ ହୋଟେଲରେ ଡେପୁଟି ଫୁଡ଼୍ କମିଶନରଙ୍କ ତନାଘନା
ହୋଟେଲ ପରିବର୍ତ୍ତନ କରିବାକୁ କହିଲେ ଇଂଲିସ୍ ଖେଳାଳି!
/sambad/media/post_attachments/wp-content/uploads/2017/12/delicous-food.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)