ଇଂଲଣ୍ଡ ଆଶା ଅଧିକ

-ସୁନୀଲ ଗାଭାସ୍କର-

ପ୍ରକୃତିର ନିଜସ୍ବ ନିୟମ ରହିଛି, ଯାହାକୁ ନିୟନ୍ତ୍ରଣ କରିବା ମଣିଷ ପାଇଁ ଆଦୌ ସମ୍ଭବ ନୁହେଁ। ଏଣୁ ନ୍ୟୁଜିଲାଣ୍ଡ ପାଳିର ‌୪୬.୧ ଓଭର ପରେ ବର୍ଷା ମଙ୍ଗଳବାରର ବଳକା ଖେଳକୁ ଧୋଇନେବା କିଛି ବଡ଼ କଥା ନୁହେଁ। ହେଲେ ବର୍ଷା ଛିଟା ପଡ଼ୁଥିଲା ବେଳେ ଓଲ୍ଡ ଟ୍ରାଫର୍ଡ ପଡ଼ିଆର କେବଳ ଗୋଟିଏ ଭାଗକୁ ପଡ଼ିଆ କର୍ମଚାରୀ କାହିଁକି ଘୋଡ଼ାଇଥିଲେ, ତାହା ବୁଝି ହୁଏନି। ଇଂଲଣ୍ଡ ଏମିତି ଏକ ଦେଶ, ଯାହାର ଗଣମାଧ୍ୟମ, ସବୁ କଥାରେ ସମସ୍ତଙ୍କୁ ଭାଷଣ ଦିଏ। ମୋତେ ଲାଗେ ସାରା ବିଶ୍ବକୁ ଶାସନ କରିବାର ଭାବନା ସମ୍ଭବତଃ ସେମାନଙ୍କ ମନରୁ ଏବେ ବି ଯାଇନାହିଁ। ଅନ୍ୟ କୌଣସି ଦେଶରେ ଯଦି ବର୍ଷା ହେବା ପରେ ଖେଳ ଆରମ୍ଭ ହୋଇ ପାରିନଥାନ୍ତା, ତାହ‌େଲେ ବ୍ରିଟିସ୍ ଗଣାମଧ୍ୟମ ଗୁଡ଼ାଏ ତୁମ୍ବି ତୋଫାନ କରିଥାଆନ୍ତା। ମୋ ମତରେ ମଙ୍ଗଳବାର ଯଦି ପଡ଼ିଆ ପୂରା ଆଚ୍ଛାଦିତ ହୋଇଥାଆନ୍ତା, ତାହାଲେ ନ୍ୟୁଜିଲାଣ୍ଡ ପାଳି ଶେଷ ହୋଇ ପାରିଥାଆନ୍ତା। ଉଭୟ ଦଳ ଏଥିଲାଗି ଅଡ଼ୁଆରେ ପଡ଼ିଥିଲେ। ହେଲେ ଆୟୋଜକଙ୍କୁ କିଏ ପ୍ରଶ୍ନ କରିବ? ଇଂଲଣ୍ଡରେ ଘଡ଼ିକରେ ଘୋଡ଼ା ଛୁଟେ। ପାଗ ଚାହୁଁଚାହୁଁ ବଦଳି ଯାଏ। ସେଥିପାଇଁ ଇଂଲଣ୍ଡର ପ୍ରତ୍ୟେକ ପଡ଼ିଆକୁ ପୂରା ଘୋଡ଼ାଇ ପାରିଲା ଭଳି ବ୍ୟବସ୍ଥା ରହିବା ଦରକାର। ଏଜବାଷ୍ଟନରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲରେ ଅବଶ୍ୟ ସ୍ଥିତି ବଦଳିବ। ଏହା ଏକମାତ୍ର ପଡ଼ିଆ ଯାହାକୁ ପୂରା ଘୋଡ଼ାଇବାର ସୁବିଧା ଇଂଲଣ୍ଡରେ ଅଛି। ଏଣୁ ଗୁରୁବାର ବର୍ଷା ହେବାର ପୂର୍ବାନୁମାନ ଥିବା ସତ୍ତ୍ବେ ମ୍ୟାଚ୍ ପୁଣି ଥରେ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡର ପଲ୍ଲା‌ ନିଶ୍ଚିତ ଭାବେ ଭାରି ରହିବ। ବ୍ୟାଟିଂକ୍ରମରେ ଗଭୀରତା ସହ ପ୍ରାରମ୍ଭିକ ଯୋଡ଼ି ଜାସନ ରଏ ଏବଂ ଜନି ବେୟାରଷ୍ଟୋ ସେମାନଙ୍କ ପାଇଁ ବିସ୍ଫୋରକ ପାଳି ଖେଳୁଛନ୍ତି। ଜୋସ୍ ବଟଲରଙ୍କ ଭଳି ବ୍ୟାଟ୍ସମ୍ୟାନ୍ ସେମାନଙ୍କ ପାଖରେ ଅଛନ୍ତି। କ୍ରିସ୍ ଓକ୍ସ, ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର ଓ ମାର୍କ ଉଡ୍ ଯେ କୌଣସି ପ୍ରତିପକ୍ଷକୁ ଧରାଶାୟୀ କରିବାକୁ ପୂରା ସକ୍ଷମ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା’ର ଦୁଇ ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଉସମାନ ଖୱାଜା ଓ ମାର୍କସ ‌ଷ୍ଟୋଇନିସଙ୍କୁ ହରାଇ ସାରିଛି। ସେମାନଙ୍କ ବଦଳ ଖେଳାଳି ବାଛିବା କଙ୍ଗାରୁ ଦଳ ପାଇଁ ସହଜ ହେବନି। ଅଷ୍ଟ୍ରେଲିଆ ପାଖରେ ଅବଶ୍ୟ ବିସ୍ଫୋରକ ପ୍ରାରମ୍ଭିକ ଯୋଡ଼ି ଅଛି। ଡେଭିଡ୍ ୱାର୍ନର ଓ ଆରୋନ୍ ଫିଞ୍ଚ ଚଳିତ ବିଶ୍ବକପ୍‌ର ଅଗ୍ରଣୀ ରନ୍ ହାସଲକାରୀ ମଧ୍ୟରେ ରହିଛନ୍ତି। ଆଲେକ୍ସ କେରି ନୂଆ ନାୟକ ଭାବେ ଉଭା ହୋଇଛନ୍ତି। ଅଷ୍ଟ୍ରେଲିଆ ବୋଲିଂ ବାହିନୀ ମଧ୍ୟ ବେଶ୍ ଦୃଢ଼। ଷ୍ଟାର୍କ ପ୍ରତିଯୋଗିତାର ଅଗ୍ରଣୀ ୱିକେଟ୍ ସଂଗ୍ରହକାରୀ। ବେହେରନଡ୍ରଫ୍ ଏବଂ କମିନ୍ସ ଇଂଲଣ୍ଡକୁ ପରୀକ୍ଷାରେ ପକାଇବେ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ୍ ପ୍ରତିଦ୍ବନ୍ଦ୍ବିତା‌ ସବୁଠୁ ପୁରୁଣା। ଆସନ୍ତାକାଲି କିଏ ଜିତିବ, କହିବା କଷ୍ଟକର। ତେବେ ଇଂଲଣ୍ଡ ପାଇଁ ବିଶ୍ବକପ୍ ଜିତିବାର ଏହା ସୁବର୍ଣ୍ଣ ସୁଯୋଗ।

ସମ୍ବନ୍ଧିତ ଖବର