ପାନାମା ଧୂଳି ଚାଟିଲା, ପ୍ରି-କ୍ୱାର୍ଟରରେ ଇଂଲଣ୍ଡ

କେନ୍‌ ହ୍ୟାଟ୍ରିକ୍‌ ପାଇଁ ପ୍ରଥମ ଅଧଡଜନ

ନିଝ୍‌ନି: ଇଂଲଣ୍ଡ ଗୋଲ୍‌ ବର୍ଷାରେ ପାନାମା ବୁଡ଼ିଲା। ଲଗାତାର ଦ୍ୱିତୀୟ ପରାଜୟ ସହ ମସ୍କୋ ବିଶ୍ୱକପ୍‌ରୁ ବିଦାୟ ନେଲା। ଇଂଲଣ୍ଡ କିନ୍ତୁ ତାର ଆଧିପତ୍ୟ ଜାରି ରଖିଲା। ପ୍ରଥମ ମ୍ୟାଚ୍‌ରେ ଟ୍ୟୁନିସିଆକୁ ୨-୧ରେ ହରାଇଥିବା ୧୯୬୬ ବିଜେତା ରବିବାର ଦ୍ୱିତୀୟ ମୁକାବିଲାରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଖେଳୁଥିବା ପାନାମାକୁ ୬-୧ ଗୋଲ୍‌ରେ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କଲା। ପ୍ରଥମ ମ୍ୟାଚ୍‌ ଭଳି ଆଜିର ଦ୍ୱିତୀୟ ଲଢ଼େଇରେ ମଧ୍ୟ ଇଂଲଣ୍ଡ ଅଧିନାୟକ ହାରି କେନ୍‌ ନିଜ ଦଳର ବୃହତ୍‌ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏକାକି ତିନିଟି ଗୋଲ୍‌ ଦେଇ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହ ଇଂଲଣ୍ଡକୁ ସବୁଠାରୁ ବଡ଼ ବିଜୟ ଉପହାର ଦେଲେ। ବିଶ୍ୱକପ୍‌ କିମ୍ବା ୟୁରୋପୀୟ ପ୍ରତିଯୋଗିତାରେ ଇଂଲଣ୍ଡ ଆଗରୁ କେବେବି ଏତେବଡ଼ ବ୍ୟବଧାନରେ ବିଜୟୀ ହୋଇ ନ ଥିଲା। ବେଲ୍‌ଜିୟମ ପରେ ଗ୍ରୁପ୍‌-ଜିରୁ ଦ୍ୱିତୀୟ ଦଳ ଭାବେ ଇଂଲଣ୍ଡ ପ୍ରି-କ୍ୱାର୍ଟରରେ ସ୍ଥାନ ସୁରକ୍ଷିତ କରିନେଲା। ଇଂଲଣ୍ଡ ଅଧଡଜନେ ଗୋଲ୍‌ ଦେଇ ସାଉଦି ଆରବ ବିପକ୍ଷ ଉଦଘାଟନୀରେ ଆୟୋଜକ ରୁଷିଆ ଦେଇଥିବା ୫ ଗୋଲ୍‌କୁ ବି ଟପି ଯାଇଥିଲା। ରବିବାର ଇଂଲଣ୍ଡର ଗୋଲ୍‌ ବର୍ଷା ଅଷ୍ଟମ ମିନିଟ୍‌ରେ ହିଁ ଆରମ୍ଭ ହୋଇଥିଲା। ଜନ୍‌ ଷ୍ଟୋନ୍ସ ମ୍ୟାଚ୍‌ ଏବଂ ଇଂଲଣ୍ଡ ପାଇଁ ପ୍ରଥମ ଗୋଲ୍‌ ଦେଇଥିଲେ। କେନ୍‌ ୨୨ ମିନିଟ୍‌ରେ ପେନାଲ୍ଟିକୁ ଗୋଲ୍‌ କରି ନିଜର ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ। ୧୪ ମିନିଟ୍‌ ପରେ ଜେସେ ଲିଙ୍ଗାର୍ଡ ଏହାକୁ ୩-୦ କରି ଦେଇଥିଲେ। ୪ ମିନିଟ୍‌ ପରେ ଷ୍ଟୋନ୍ସ ପୁଣି ଥରେ ସଫଳ ହୋଇଥିଲେ। ସେହିଭଳି ପ୍ରଥମାର୍ଧର ଷ୍ଟପେଜ୍‌ ଟାଇମରେ କେନ୍‌ ବ୍ୟକ୍ତିଗତ ଭାବେ ଦ୍ୱିତୀୟ ଏବଂ ମ୍ୟାଚ୍‌ର ପଞ୍ଚମ ଗୋଲ୍‌ ଦେବା ପରେ ଇଂଲଣ୍ଡ ପ୍ରଥମାର୍ଧରେ ୫-୦ରେ ଆଗୁଆ ରହିଥିଲା। ପଞ୍ଚମ ଥର ପାଇଁ ବିଶ୍ୱକପ୍‌ରେ କୌଣସି ଦଳ ପ୍ରଥମାର୍ଧ ଶେଷ ହେବା ପୂର୍ବରୁ ପାଞ୍ଚଟି ଗୋଲ୍‌ କରିଥିଲା। ଶେଷଥର ପାଇଁ ୨୦୧୪ ବିଶ୍ୱକପ୍‌ର ସେମିଫାଇନାଲରେ ବ୍ରାଜିଲ ବିପକ୍ଷରେ ଜର୍ମାନି ଏଭଳି ସଫଳତା ପାଇଥିଲା। ଦ୍ୱିତୀୟାର୍ଧରେ ମଧ୍ୟ ଇଂଲଣ୍ଡ ତା’ର ଗୋଲ୍‌ ଦେବା ଧାରା ଜାରି ରଖିଥିଲା। ୬୨ ମିନିଟ୍‌ରେ କେନ୍‌ ବ୍ୟକ୍ତିଗତ ଭାବେ ତୃତୀୟ ଏବଂ ମ୍ୟାଚ୍‌ର ଷଷ୍ଠ ଗୋଲ୍‌ ଦେଇଥିଲେ। ବିଶ୍ୱକପ୍‌ରେ ଇଂଲଣ୍ଡ ପକ୍ଷରୁ ଏହା ତୃତୀୟ ଏବଂ ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ହ୍ୟାଟ୍ରିକ୍‌ ଥିଲା। ଚଳିତ ବିଶ୍ୱକପ୍‌ର ପ୍ରଥମ ହ୍ୟାଟ୍ରିକ୍‌ ପର୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲଡୋ ସ୍ପେନ୍‌ ବିପକ୍ଷରେ ହାସଲ କରିଥିଲେ। ମ୍ୟାଚ୍‌ ଶେଷ ହେବାର କିଛି ମିନିଟ୍‌ ପୂର୍ବରୁ ପାନାମା ମଧ୍ୟ ଗୋଟିଏ ଗୋଲ୍‌ କରି ନିଜ ପାଇଁ ଏକ ନିଆରା କୀର୍ତ୍ତିମାନ କରିଥିଲା। ପାନାମା ପାଇଁ ବିଶ୍ୱକପ୍‌ର ଏହା ପ୍ରଥମ ଗୋଲ୍‌ ଥିଲା। ଏହି ଗୋଲଟିକୁ ଫିିଲିପ ବାଲଏ ଦେଇଥିଲେ। ଏହା କରି ସେ ମଧ୍ୟ ବ୍ୟକ୍ତିଗତ ଭାବେ ନିଜ ନାଁକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରି ନେଇଥିଲେ।

ସମ୍ବନ୍ଧିତ ଖବର