କ୍ୱାର୍ଟରରେ ଇଂଲଣ୍ଡ

ସୁଟ୍‌ଆଉଟ୍‌ରେ ଇଂଲଣ୍ଡ୪-୩ରେ ଜିତିଲା

ମସ୍କୋ: ତୀବ୍ର ଉତ୍ତେଜନାପୂର୍ଣ୍ଣ ତଥା ସଂଘର୍ଷଭରା ମୁକାବିଲାରେ କଲମ୍ବିଆକୁ ପେନାଲ୍ଟି ସୁଟଆଉଟ୍‌ରେ ୪-୩ (୧-୧) ଗୋଲ୍‌ରେ ପରାସ୍ତ କରି ଇଂଲଣ୍ଡ ଶେଷ ଦଳ ଭାବେ ଚଳିତ ଫିଫା ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟରରେ ଏହି ଦଳ ଅନ୍ୟତମ ୟୁରୋପୀୟ ଶକ୍ତି ସ୍ୱିଡେନକୁ ଭେଟିବ। ସ୍ୱିଡେନ ମଙ୍ଗଳବାରର ପ୍ରଥମ ମ୍ୟାଚ୍‌ରେ ସ୍ୱିଜରଲାଣ୍ଡକୁ ୧-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଯାଇଥିଲା। ମଙ୍ଗଳବାର ରାତିର ଇଂଲଣ୍ଡ-କଲମ୍ବିଆ ମ୍ୟାଚ୍‌ରେ ଅଧିନାୟକ ହାରି କେନ (୫୭ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଇଂଲଣ୍ଡ ବିଜୟ ଦ୍ୱାର ଦେଶରେ ଥିଲା ବେଳେ କଳମ୍ବିଆ ସ୍ଥିତି ୧-୧ କରି ନେଇଥିଲା। ୟେରି ମିନା (୯୦+୩) ଙ୍କ ଷ୍ଟିପେଜ୍‌ ଟାଇମ୍‌ ଗୋଲ ହିଁ ଏହି ଦଳକୁ ବଞ୍ଚାଇ ଦେଇଥିଲା। ଅତିରିକ୍ତ ସମୟରେ ଏହି ସ୍ଥିତି ମଧ୍ୟ ବଳବତ୍ତର ରହିବା ପରେ ସୁଟ୍‌ଆଉଟ୍‌ର ସହାୟତା ନିଆ ଯାଇଥିଲା। ଏଥିରେ ଇଂଲଣ୍ଡ ବାଜି ମାରି ନେଇଥିଲା। ଉତ୍କଣ୍ଠାପୂର୍ଣ୍ଣ ବିଜୟ ସହ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ସୁଟ୍‌ଆଉଟ୍‌ରେ ଇଂଲଣ୍ଡର ହାରି କେନ୍‌, ମାର୍କସ ରସଫୋର୍ଡ, ଏରିକ୍‌ ଦିଏର ଓ କେରାନ ଟ୍ରିପିୟର ଗୋଲ୍‌ କରିଥିଲା ବେଳେ କେବଳ ଜୋର୍ଡାନ ହେଣ୍ଡରସନ ବିଫଳ ହୋଇଥିଲେ। ଅନ୍ୟ ପକ୍ଷରେ କଲମ୍ବିଆର ରାଦାମେଲ ଫାଲକାଓ, ଜୁଆନ କ୍ୱାଡ୍ରାଡୋ, ଲୁଇସ୍‌ ମୁରିଏଲ୍‌ ଗୋଲ୍‌ କରିଥିଲା ବେଳେ ମାଟେୟୁସ୍‌ ୟୁରିବେ, କାର୍ଲୋସ୍‌ ବାକା ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର