ରୋମ: ଚଳିତ ୟୁରୋ କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଶେଷ ଦଳ ଭାବେ ଇଂଲଣ୍ଡ ପ୍ରବେଶ କରିଛି। ଶନିବାର ମଧ୍ୟରାତ୍ରରେ ରୋମ୍ର ଅଲିମ୍ପିଆ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ କ୍ବାର୍ଟର ଫାଇନାଲ୍ରେ ଇଂଲଣ୍ଡ ୪-୦ ଗୋଲ୍ରେ ୟୁକ୍ରେନ୍କୁ ପରାସ୍ତ କରି ୨୫ ବର୍ଷ ପରେ ଏହି ଯୋଗ୍ୟତା ଅର୍ଜନ କରିଛି। ଶେଷ ଥର ଲାଗି ଇଂଲଣ୍ଡ ୧୯୯୬ରେ ୟୁରୋପୀୟ ଚାମ୍ପିଅନ୍ସିପ୍ର ସେମିଫାଇନାଲ୍ ଖେଳିଥିଲା। ଜୁଲାଇ ୮ ତାରିଖରେ ୱିମ୍ବଲେରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍ରେ ଏହି ଦଳ ଡେନ୍ମାର୍କକୁ ଭେଟିବ।
ମ୍ୟାଚ୍ର ଚତୁର୍ଥ ମିନିଟ୍ରେ ହିଁ ହେରି କେନ୍ଙ୍କ ଗୋଲ୍ରେ ଇଂଲଣ୍ଡ ଆଗୁଆ ହୋଇଥିଲା। ପ୍ରଥମାର୍ଦ୍ଧ ୧-୦ରେ ଅଗ୍ରଣୀ ରହିଥିବା ଇଂଲଣ୍ଡର ହେରି ମାଗୁରେ (୪୬ ମିନିଟ୍) ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଦଳ ପାଇଁ ଦ୍ବିତୀୟ ଗୋଲ୍ କରିଥିଲେ। ଏହାର ୪ ମିନିଟ୍ ପରେ କେନ୍ (୫୦ ମିନିଟ୍) ବ୍ୟକ୍ତିଗତ ଭାବେ ଯୁଗଳ ସଫଳତା ହାସଲ କରିବା ସହ ଦଳକୁ ୩-୦ରେ ଆଗୁଆ ରଖିଥିଲେ। ୬୩ତମ ମିନିଟ୍ରେ ବଦଳ ଖେଳାଳି ଜୋର୍ଡାନ ହେଣ୍ଡରସନ୍ ଚତୁର୍ଥ ଗୋଲ୍ ଦେବା ସହ ଇଂଲଣ୍ଡ ବିଜୟ ନିଶ୍ଚିତ କରିଥିଲେ। ଏହା ହେଣ୍ଡରସନ୍ଙ୍କ ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ ହୋଇଥିଲା।