ବିଶ୍ବକପ୍ : ଶ୍ରୀଲଙ୍କାକୁ ୪ ଓ୍ବିକେଟରେ ହରାଇ ସେମିରେ ପହଞ୍ଚିଲା ଇଂଲଣ୍ଡ, ଅଷ୍ଟ୍ରେଲିଆର ବିଦାୟ

ସିଡନି :  ଟି-୨୦ ବିଶ୍ବକପର ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଶନିବାର ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୪ ଓ୍ବିକେଟରେ ପରାସ୍ତ କରିବା ପରେ ଇଂଲଣ୍ଡ ଗ୍ରୁପ-୧ର ୨ୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଦଳ ଭାବେ ନ୍ୟୁଜିଲାଣ୍ଡ ପୂର୍ବରୁ ସେମିରେ ପ୍ରବେଶ କରିସାରିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରୁ ବିଦାୟ ନେଇଛି ।

ଏହି ମ୍ୟାଚରେ ଶ୍ରୀଲଙ୍କା ପକ୍ଷରୁ ଇଂଲଣ୍ଡ ଆଗରେ ୧୪୨ ରନର ବିଜୟ ଲକ୍ଷ୍ୟ ରଖାଯାଇଥିଲା । ଏହି ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଆରମ୍ଭରୁ ଲଢୁଆ ବ୍ୟାଟିଂ କରିଥିଲା । ଦୁଇ ଓପନର ଜସ ବଟଲର ଓ ଆଲେକ୍ସ ହେଲ୍ସ ଯଥାକ୍ରମେ ୨୮ ଓ ୪୭ ରନ କରିଥିଲେ । ସେହିପରି ୩ୟ ନମ୍ବରରେ ଆସିଥିବା ବେନ ଷ୍ଟୋକ୍ସ ଅପରାଜିତ ୪୨ ରନ କରିଥିଲେ । ତେବେ ମଧ୍ୟ ଭାଗ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଇଂଲଣ୍ଡର ବିଜୟ ସହଜ ମନେ ହେଉଥିଲେ ବି ତାହା ଶେଷ ଓଭର ପର୍ଯ୍ୟନ୍ତ ଚାଲିଯାଇଥିଲା । ଇଂଲଣ୍ଡ ୧୯.୪ ଓଭରରେ ୧୪୪ ରନ କରି ବିଜୟୀ ହୋଇଥିଲା ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୧ ରନ କରିଥିଲା । ଦଳ ପକ୍ଷରୁ ପଥୁମ ନଶଙ୍କା ୬୭ ରନ ଓ ବି.ରାଜପକ୍ଷ ୨୨ ରନ କରିଥିଲେ । ସେହିପରି କୁଶଲ ମେଣ୍ଡିସ୍ ୧୮ ରନ କରିଥିଲେ । ତେବେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲା ଶ୍ରୀଲଙ୍କା ।

ସମ୍ବନ୍ଧିତ ଖବର