ବର୍ମିଂହାମରେ ବଡ଼ ଲଢ଼େଇ: ଭାରତର ସେମି ଆଶା, ଇଂଲଣ୍ଡର ଜୀଇଁବା ଚିନ୍ତା

ବିଶ୍ବକପ୍‌ରେ ୨୭ ବର୍ଷ ହେଲା ଭାରତକୁ ହରାଇନି ଇଂଲଣ୍ଡ

ବର୍ମିଂହାମ: ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ରବିବାର ବଡ଼ ଲଢ଼େଇ ଦେଖିବାକୁ ମିଳିବ। ଦୁଇ ଦାବିଦାର ଇଂଲଣ୍ଡ ଓ ଭାରତ ବିଶ୍ବକପ୍‌ର ଅନ୍ୟତମ ମହତ୍ବପୂର୍ଣ୍ଣ ମୁକାବିଲାରେ ଏଠାରେ ମୁହାଁମୁହିଁ ହେବେ। ଭାରତ ରବିବାର ହିଁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିନେବା ଆଶାରେ ରହିବ। ସେପଟେ ୭ ମ୍ୟାଚ୍‌ରୁ ମାତ୍ର ୮ ପଏଣ୍ଟ ଅର୍ଜନ କରିଥିବା ଆୟୋଜକ ଇଂଲଣ୍ଡ ପାଇଁ ଏବେ ବିଶ୍ବକପ୍‌ରେ ବଞ୍ଚି ରହିବା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି। ସେଥିଲାଗି ଆସନ୍ତାକାଲିର ମୁକାବିଲା ଏହି ଦଳ ପାଇଁ କର ବା ମର ହେବ। ଭାରତ କିନ୍ତୁ ନକ୍‌ଆଉଟ୍ ମୁଥରେ ଇଂଲଣ୍ଡ ଅଭିଯାନକୁ ଲାଇନଚ୍ୟୁତ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଦିନିକିଆ ପରିସଂଖ୍ୟାନ ଦୃଷ୍ଟିରୁ ବି ଇଂଲଣ୍ଡଠାରୁ ଭାରତ ଆଗୁଆ ରହିଛି। ଉଭୟ ଦଳ ୯୯ ମ୍ୟାଚ୍ ଖେଳିଥିଲା ବେଳେ ଭାରତ ୫୩ ଏବଂ ଇଂଲଣ୍ଡ ୪୧ରେ ବିଜୟୀ ହୋଇଛି। ଦୁଇଟି ମ୍ୟାଚ୍ ଟାଇ ରହିଛି, ତିନିଟିର ଫଳାଫଳ ମିଳିନି। ବିଶ୍ବକପ୍‌ରେ ଅବଶ୍ୟ ଉଭୟ ଦଳ ସମାନ ସ୍ତରରେ ରହିଛନ୍ତି। ୭ ମ୍ୟାଚ୍‌ରୁ ତିନିଟି ଲେଖାଏଁ ବିଜୟ ପାଇଛନ୍ତି। ଗୋଟିଏ ମ୍ୟାଚ୍ ଟାଇ ହୋଇଛି। ଇଂଲଣ୍ଡ ପାଇଁ ରବିବାର ଜୋ ରୁଟ୍, ଜୋଫ୍ରା ଆର୍ଚର ଓ ଜୋସ୍ ବଟଲରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି ଓ ଯଶପ୍ରୀତ ବୁମରା ଭାରତର ଟ୍ରମ୍ପ କାର୍ଡ ହୋଇପାରନ୍ତି। ଘରୋଇ ପରିବେଶରେ ଖେଳୁଥିବା ଇଂଲଣ୍ଡ ପୂର୍ବରୁ ବିଶ୍ବକପ୍‌ର ପ୍ରମୁଖ ଦାବିଦାର ବୋଲି ଚର୍ଚା ହେଉଥିଲା। ଇଂଲଣ୍ଡ କିନ୍ତୁ ଆଶା ଜନକ ପ୍ରଦର୍ଶନ କରି ନଥିଲା। ସେଥିପାଇଁ ରବିବାର ଭାରତ ଏବଂ ଜୁଲାଇ ୩ ତାରିଖର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଏହି ଦଳ ପାଇଁ କ୍ବାର୍ଟର ଫାଇନାଲ୍ ସଦୃଶ ହୋଇଛି। ସେପଟେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଥିବା ଭାରତ ଚାରିଆଡ଼ୁ ଚାପରେ ଥିବା ଇଂଲଣ୍ଡକୁ ହରାଇ ପାରିଲେ ତା’ର ସେମିଫାଇନାଲ୍ ଖେଳିବା ପକା ହୋଇଯିବ। ଇଂଲଣ୍ଡ ଅବଶ୍ୟ ତା’ର ଗତ ୪ ମ୍ୟାଚ୍‌ ମଧ୍ୟରୁ ବାଂଲାଦେଶକୁ ୧୦୬, ୱେଷ୍ଟଇଣ୍ଡିଜକୁ ୮ ୱି‌କେଟ୍ ଏବଂ ଆଫଗାନିସ୍ତାନକୁ ୧୫୦ ରନ୍‌ରେ ହରାଇଛି। ତେବେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଦଳର ସମସ୍ୟା ବଢ଼ିଯାଇଛି।

ପୁଣି ଚର୍ଚାରେ ୪ ନମ୍ବର
ଇଂଲଣ୍ଡ ବିଶ୍ବକପ୍‌ରେ ଭାରତକୁ ଗତ ୨୭ ବର୍ଷ ହେବ ହରାଇନାହିଁ। ଭାରତ ହାତରେ ତିନିଟି ମ୍ୟାଚ୍ ଥିଲା ବେଳେ ଆଉ ମାତ୍ର ଗୋଟିଏ ପଏଣ୍ଟ ହାସଲ କରିନେଲେ ଟିମ୍ ଇଣ୍ଡିଆ ସେମିଫାଇନାଲ୍ ଖେଳିବ। ସେଥିପାଇଁ ଇଂଲଣ୍ଡ ଅପେକ୍ଷା ଭାରତ ତୁଳନାତ୍ମକ ଭାବେ ଭଲ ସ୍ଥିତିରେ ରହିଛି। ଭାରତର ଏକମାତ୍ର ଚିନ୍ତା ୪ ନମ୍ବର ସ୍ଥାନକୁ ନେଇ ରହିବ। ତିନିଟି ସୁଯୋଗରୁ ବିଜୟ ଶଙ୍କର ଏ ପର୍ଯ୍ୟନ୍ତ ସେମିତି କିଛି ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ପାକିସ୍ତାନ ବିପକ୍ଷରେ ୧୫ ରନ୍ କରି ଅପରାଜିତ ରହିବା ପରେ ଆଫଗାନିସ୍ତାନ ବିପକ୍ଷରେ ସେ ମାତ୍ର ୨୯ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କେବଳ ୧୪ ରନ୍ କରିଥିଲେ। ଏହି ସ୍ଥାନର ମହତ୍ବକୁ ଆଖି ଆଗରେ ରଖି ଭାରତ ଅଭିଜ୍ଞ ଦୀନେଶ କାର୍ତିକଙ୍କୁ ସୁଯୋଗ ଦେଇପାରେ। ଋଷବ ପନ୍ତ ମଧ୍ୟ ଦୌଡ଼ରେ ରହିବେ। ତେବେ ଶଙ୍କରଙ୍କୁ କୋହଲିଙ୍କ ସମର୍ଥନ ମିଳିଥିବାରୁ ଉଭୟ ପନ୍ତ ଓ କାର୍ତିକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ। ଭାରତୀୟ ଶୀର୍ଷକ୍ରମ ଅପେକ୍ଷାକୃତ ଭଲ କରିଥିଲା ବେଳେ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭଲ ଫର୍ମରେ ଅଛନ୍ତି। କେଦାର ଯାଦବ ଅବଶ୍ୟ ଟିକିଏ ନିରାଶ କରିଛନ୍ତି। ତଥାପି ଭାରତୀୟ ବ୍ୟାଟିଂକ୍ରମ ସ୍ଥିର ପ୍ରଦର୍ଶନ ଦେଇ ଆସୁଛି ବୋଲି କହିହେବ। ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜାସନ ରାଏ ସୁସ୍ଥ ହୋଇ ସାରିଥିବାରୁ ରବିବାର ସେ ଇଂଲଣ୍ଡର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇ ପାରନ୍ତି। ରଏ ସାମିଲ ହେଲେ ସେ ଜେମ୍ସ ଭିନ୍ସଙ୍କ ସ୍ଥାନ ନେବେ। ଆଦିଲ ରସିଦ କିମ୍ବା ମାର୍କ ଉଡଙ୍କ ସ୍ଥାନରେ ଲିୟମ ପ୍ଲଙ୍କେଟ ଫେରି ପାରନ୍ତି।

ଏଜବାଷ୍ଟନ୍ ଅସ୍ଥିର
ଏଜବାଷ୍ଟନ ଷ୍ଟାଡିୟମରେ କେବେ ୪୦୦ରୁ ଅଧିକ ତ କେବେ ୭୦ ରନ୍ ହୋଇଛି। ଏଠାରେ ସର୍ବାଧିକ ଦଳଗତ ସ୍କୋର (୪୦୮/୯) ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡ ହାସଲ କରିଥିଲା। ସର୍ବନିମ୍ନ ସ୍କୋର ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ କରିଥିଲା। ସର୍ବବୃହତ୍ ପଶ୍ଚାତ ଧାବନ ବିଜୟ (୨୮୦/୪) ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ପାଇଥିଲା। ଭାରତ ଏଠାରେ ଇଂଲଣ୍ଡକୁ ୧୨୭/୭ (୨୦ ଓଭର) ତଳେ ଅଟକାଇ ଦେଇଥିଲା। ଏଜବାଷ୍ଟନର ହାରାହାରି ପ୍ରଥମ ପାଳି ସ୍କୋର ହେଉଛି ୨୨୭। ହାରାହାରି ଦ୍ବିତୀୟ ବ୍ୟାଟିଂ ସ୍କୋର ମାତ୍ର ୧୮୧ ରହିଛି।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ଋଷବ ପନ୍ତ/ବିଜୟ ଶଙ୍କର, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ସାମି।
ସମ୍ଭାବ୍ୟ ଇଂଲଣ୍ଡ: ଇଅନ ମୋର୍ଗାନ (ଅଧିନାୟକ), ଜୋ ରୁଟ୍, ଜାସନ ରଏ , ଜନି ବେୟାରଷ୍ଟୋ, ଜୋସ୍ ବଟଲର, ମୋଇନ ଅଲ୍ଲୀ, କ୍ରିସ୍ ଓକ୍ସ, ମାର୍କ ଉଡ୍/ଲିୟମ ପ୍ଲଙ୍କେଟ, ଜୋଫ୍ରା ଆର୍ଚର, ଆଦିଲ ରସିଦ।

ସମ୍ବନ୍ଧିତ ଖବର