ସିଡ୍ନି: ପଞ୍ଚମ ଆସେସ୍ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ଏକ ପାଳି ଓ ୧୨୩ ରନରେ ବିଜୟୀ ହେବା ସହିତ ଶୃଙ୍ଖଳାକୁ ୪-୦ରେ ମୂଳପୋଛ ଭାବେ ଜିତି ନେଇଛି। ସୋମବାର ସକାଳେ ମେଲ୍ବର୍ନ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଜେମ୍ସ ଆଣ୍ଡରସନ୍ଙ୍କୁ ହାଜେଲ୍ଉଡ୍ ଓ୍ଵିକେଟ୍ ପଛପଟେ ପାଇନ୍ଙ୍କ ଗ୍ଲୋଭସ୍ରେ କାବୁ କରାଇନେବା ସହିତ ଇଂଲଣ୍ଡର ଦ୍ୱିତୀୟ ପାଳି ୧୮୦ ରନରେ ଶେଷ ହୋଇଯାଇଥିଲା। ପୂର୍ବରୁ ପ୍ରଥମ ୩ ଟେଷ୍ଟ୍କୁ ଜିତି ଅଷ୍ଟ୍ରେଲିଆ ୩-୦ରେ ଆଗୁଆ ହୋଇ ସାରିଥିଲା। ପ୍ୟାଟ୍ କମିନ୍ସ ଉଭୟ ପାଳିରେ ୪-୪ ଓ୍ଵିକେଟ୍ ନେଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। କିନ୍ତୁ ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାରେ ୬୮୭ ରନ୍ ସଂଗ୍ରହ କରି ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ଶୃଙ୍ଖଳା ସାରା ଇଂଲଣ୍ଡ ବୋଲର ତାଙ୍କ ଓ୍ଵିକେଟ୍ ନେବାକୁ ସଂଘର୍ଷ କରିଥିଲେ।
ଏସ୍ସିଜିରେ ସୋମବାର ଇଂଲଣ୍ଡ ଦ୍ୱିତୀୟ ପାଳିକୁ ୯୩/୪ରୁ ଆରମ୍ଭ କରିଥିଲା। ଶେଷ ଦିନରେ ଅତିଥି ଦଳ ନିକଟରେ ମ୍ୟାଚ୍ ଅମୀମାଂସିତ ରଖିବା ସୁଯୋଗ ଥିଲା। ଏପରିକି ପୂର୍ବ ରାତିରୁ ଗ୍ୟାଷ୍ଟ୍ରୋ ସମସ୍ୟା ନେଇ ହସ୍ପିଟାଲ୍ରେ ଭର୍ତି ହୋଇଥିବା ଅଧିନାୟକ ଜୋ ରୁଟ୍ ଦଳକୁ ବଞ୍ଚାଇବାକୁ ବାହାରି ଆସିଥିଲେ। ମଧ୍ୟାହ୍ନ ଭୋଜନ ପରେ ରୁଟ୍ (୫୮, ୧୬୭ ବଲ୍, ୧ ଚୌକା) ଆଉ ବ୍ୟାଟିଂ କରିବାକୁ ଅସିବା ସ୍ଥିତିରେ ନ ଥିଲେ। ଫଳରେ ଇଂଲଣ୍ଡ ଏହାର ଶେଷ ୪ ଓ୍ଵିକେଟ୍କୁ ୩୬ ରନରେ ହରାଇ ଆତ୍ମସମର୍ପଣ କରିଥିଲା। ପୂର୍ବଦିନର ଅନ୍ୟତମ ଅପରାଜିତ ବ୍ୟାଟସମ୍ୟାନ୍ ଓ୍ଵିକେଟରକ୍ଷକ ଜନି ବେୟାରଷ୍ଟୋ (୩୮, ୧୪୩ ବଲ୍, ୪ ଚୌକା) ଏବଂ ଶେଷ ପର୍ଯ୍ୟନ୍ତ ରହିଥିବା କୁରାନ୍ (୨୩*, ୪୦ ବଲ୍, ୫ ଚୌକା) କିଛି ସମୟ ମ୍ୟାଚ୍କୁ ବିଳମ୍ବିତ କରିଥିଲେ। ପଞ୍ଚମ ଦିନ ୪୨ ଓଭର ଖେଳରେ ହିଁ ଇଂଲଣ୍ଡ ପରାଜୟକୁ ସ୍ୱୀକାର କରି ନେଇଥିଲା।
ଅଷ୍ଟ୍ରେଲିଆର ବୋଲିଂ ଆକ୍ରମଣ ହିଁ ଉଭୟ ଦଳ ମଧ୍ୟରେ ଫରକ ଥିଲା। ସେହିଭଳି ଇଂଲଣ୍ଡ ପକ୍ଷରୁ ମାତ୍ର ୩ ଶତକ ଦେଖିବାକୁ ମିଳିଥିବାବେଳେ ଅଷ୍ଟ୍ରେଲିଆର ୯ ଶତକ ଘରୋଇ ଦଳକୁ ୪-୦ ଶୃଙ୍ଖଳା ବିଜୟ ଦେଇଥିଲା।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୪୬ (ଜୋ ରୁଟ୍-୮୩, ଡି ମଲନ୍-୬୨, ପ୍ୟାଟ୍ କମିନ୍ସ-୪/୮୦, ଜୋସ୍ ହାଜେଲଉଡ୍-୨/୬୫, ମିଚେଲ୍ ଷ୍ଟାର୍କ-୨/୮୦, ନାଥନ୍ ଲିଅନ୍-୧/୮୬)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୯୩ ଓଭରରେ ୬୪୯/୭, ଘୋଷିତ (ଉସ୍ମାନ ଖଓ୍ଵାଜା-୧୭୧, ଷ୍ଟିଭେନ୍ ସ୍ମିଥ୍-୮୩, ସନ୍ ମାର୍ସ-୧୫୬, ମିଚେଲ୍ ମାର୍ସ-୧୦୧, ମୋଇନ୍ ଅଲୀ-୨/୧୭୦, ଜେମ୍ସ ଆଣ୍ଡରସନ୍-୧/୫୬, କୁରାନ୍-୧/୮୨, ଷ୍ଟୁଆର୍ଟ ବ୍ରଡ୍-୧/୧୨୧, ମାସନ୍ କ୍ରେନ୍-୧/୧୯୩)। ଇଂଲଣ୍ଡ ଦ୍ୱିତୀୟ ପାଳି: ୮୮.୧ ଓଭରରେ ୧୮୦ (ଜୋ ରୁଟ୍-୫୮ -ରିଟାର୍ଡ ହର୍ଟ, ଜନି ବେୟାରଷ୍ଟୋ-୩୮, କୁରାନ୍-୨୩*, ପ୍ୟାଟ୍ କମିନ୍ସ-୪/୩୯, ନାଥନ୍ ଲିଅନ୍-୩/୫୪, ଜୋସ୍ ହାଜେଲ୍ଉଡ୍-୧/୩୬, ମିଚେଲ୍ ଷ୍ଟାର୍କ-୧/୩୮)।
ସିଡ୍ନିରେ ଇଂଲଣ୍ଡର ପାଳି ପରାଜୟ:ଅଷ୍ଟ୍ରେଲିଆ ୪-୦ରେ ଆସେସ୍ ଜିତିଲା
/sambad/media/post_attachments/wp-content/uploads/2018/01/1-Ashes1.jpg)