ଇଂଲଣ୍ଡ-କ୍ରୋଏସିଆ:ଅଢ଼େଇ ଦଶନ୍ଧିର ଅପେକ୍ଷା

ମ୍ୟାଚ୍‌-୭ଇଂଲଣ୍ଡ୍‌-୪କ୍ରୋଏସିଆ-୨ଅମୀମାଂସିତ-୧

ମସ୍କୋ,: ସେମିଫାଇନାଲର ଦୁଃଖଦ ପରାଜୟକୁ ଦୂର କରିବା ଲାଗି ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଅପେକ୍ଷା କରିଥିବା ଇଂଲଣ୍ଡ ଓ କ୍ରୋଏସିଆ ବୁଧବାର ଚଳିତ ଫୁଟ୍‌ବଲ୍‌ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ। ମସ୍କୋର ଲୁଝନିକି ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ରେ ଗୋଟିଏ ଦଳର ଦୀର୍ଘ ପ୍ରତୀକ୍ଷାର ଅବସାନ ହେବ। ଅନ୍ୟଦଳକୁ ଏଥିଲାଗି ଅନ୍ୟୁନ ଆଉ ଚାରି ବର୍ଷ ଅପେକ୍ଷା କରିବାକୁ ହେବ। କାରଣ ପରାଜିତ ଦଳ ବିଦାୟ ନେବ ଏବଂ ବିଜେତା ଦଳ ଫାଇନାଲ ଖେଳିବ।
ଇଂଲଣ୍ଡ ଶେଷ ଥର ପାଇଁ ୧୯୯୦ ମସିହାରେ ବିଶ୍ୱକପ୍‌ ସେମିଫାଇନାଲ୍‌ ଖେଳିଥିଲା। ହେଲେ ପେନାଲ୍ଟି ସୁଟଆଉଟ୍‌ରେ ପଶ୍ଚିମ ଜର୍ମାନିଠାରୁ ହାରି ଫାଇନାଲ୍‌ ପ୍ରବେଶର ସୁଯୋଗ ହରାଇଥିଲା। ଅନ୍ୟ ପକ୍ଷରେ କ୍ରୋଏସିଆ ସ୍ୱାଧୀନତା ପାଇବା ପରେ ୧୯୯୮ରେ କରିଥିବା ନିଜ ପ୍ରଦାର୍ପଣରେ ସେମିଫାଇନାଲ ପର୍ଯ୍ୟାୟକୁ ଯାଇଥିଲା। ହେଲେ ସେଠାରେ ଆୟୋଜକ ଫ୍ରାନ୍ସଠାରୁ ହାରି ଯାଇଥିଲା। ଏଣୁ ଆଉ ଏକ ସେମିଫାଇନାଲ୍‌ ମୁକାବିଲା ଲାଗି ଇଂଲଣ୍ଡ ୨୮ ବର୍ଷ ଧରି ଅପେକ୍ଷା କରି ରହିଛି। କ୍ରୋଏସିଆ ମଧ୍ୟ ୨୦ ବର୍ଷ ଧରି ସେହି ସୁଯୋଗ ପାଇଁ ପ୍ରତୀକ୍ଷା କରିଛି। ଉଭୟ ଦଳ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଥିବାରୁ ଏହି ମ୍ୟାଚ୍‌ର ମହତ୍ୱ ଆହୁରି ବଢ଼ି ଯାଇଛି। କେବଳ ବିଶ୍ୱକପ୍‌ ନୁହେଁ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଏହି ଦୁଇ ଦଳ ପ୍ରଥମ ଥର ପାଇଁ ପରସ୍ପର ବିପକ୍ଷରେ ଖେଳିବେ। ଉଭୟ ଅବଶ୍ୟ ପୂର୍ବରୁ ୭ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଛନ୍ତି। ସେଥିମଧ୍ୟରୁ ଇଂଲଣ୍ଡ ଚାରିଟି ଏବଂ କ୍ରୋଏସିଆ ଦୁଇଟିରେ ବିଜୟୀ ହୋଇଛି। ୧୯୯୬ରେ ସେମାନେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ସେହି ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ରହିଥିଲା। ଇଂଲଣ୍ଡ ଆଗରୁ ଥରେ ଫାଇନାଲ୍‌ (୧୯୬୬) ଖେଳି ବିଜେତା ହୋଇ ସାରିଛି। କ୍ରୋଏସିଆ ପାଇଁ କିନ୍ତୁ ପ୍ରଥମ ଥର ଫାଇନାଲକୁ ଯିବାର ସୁଯୋଗ ରହିଛି। କ୍ରୋଏସିଆ ଲିଗ୍‌ ପର୍ଯ୍ୟାୟର ତିନିଟି ମୁକାବିଲା ସହ ପ୍ରି-କ୍ୱାର୍ଟର ଏବଂ କ୍ୱାର୍ଟରରେ ବିଜୟୀ ହୋଇ ସେମିଫାଇନାଲ୍‌ ଯାଇଛି। ଏହି ଦଳ ଅପରାଜେୟ ରହିଛି। ଅନ୍ୟ ପକ୍ଷରେ ଇଂଲଣ୍ଡ କେବଳ ବେଲଜିୟମ ବିପକ୍ଷ ଲିଗ୍‌ ମ୍ୟାଚ୍‌ ହାରିଛି। କ୍ରୋଏସିଆ ପ୍ରଥମ ମ୍ୟାଚ୍‌ରେ ନାଇଜେରିଆକୁ ୨-୦, ଦ୍ୱିତୀୟରେ ଆର୍ଜେଣ୍ଟିନାକୁ ୩-୦ ଏବଂ ତୃତୀୟରେ ଆଇସଲାଣ୍ଡକୁ ୨-୧ରେ ହରାଇଥିଲା। ସେହିଭଳି ପ୍ରି-କ୍ୱାର୍ଟରରେ ଡେନମାର୍କକୁ ପେନାଲ୍ଟି ସୁଟଆଉଟରେ ୩-୨ରେ ପରାସ୍ତ କରିବା ପରେ କ୍ୱାର୍ଟରରେ ସେହି ପେନାଲ୍ଟି ସୁଟଆଉଟରେ ରୁଷିଆକୁ ୪-୩ ଗୋଲ୍‌ରେ ହରାଇ ସେମିଫାଇନାଲକୁ ଯାଇଥିଲା। ସେପଟେ ଇଂଲଣ୍ଡ ତା’ ପ୍ରଥମ ମୁକାବିଲାରେ ଟ୍ୟୁନିସିଆକୁ ୨-୧ରେ ହରାଇବା ପରେ ପାନାମାକୁ ୬-୧ରେ ପରାସ୍ତ କରିଥିଲା। ଶେଷ ଲିଗରେ କିନ୍ତୁ ବେଲଜିୟମଠାରୁ ୦-୧ରେ ହାରି ଯାଇଥିଲା। ପ୍ରି-କ୍ୱାର୍ଟରରେ କଲମ୍ବିଆକୁ ପେନାଲ୍ଟି ସୁଟଆଉଟରେ ୪-୩ରେ ହରାଇବା ପରେ କ୍ୱାର୍ଟରରେ ସ୍ୱିଡେନକୁ ୨-୦ରେ ମାତ୍‌ ଦେଇ ସେମିଫାଇନାଲ୍‌ ଯାଇଥିଲା।
ସମ୍ଭାବ୍ୟ ଇଂଲଣ୍ଡ: ଜୋର୍ଡାନ ପିକଫୋର୍ଡ, କାଇଲ୍‌ ଓ୍ଵାକର, ଜନ୍‌ ଷ୍ଟୋନ୍ସ, ହ୍ୟାରି ମ୍ୟାଗ୍ଵିରେ, କିରନ ଟ୍ରିପିୟର, ଡେଲେ, ଜୋର୍ଡାନ ହେଣ୍ଡେରସନ୍‌, ଜେସେ ଲିଙ୍ଗାର୍ଡ, ଆସଲେ ୟଙ୍ଗ, ରହିମ ଷ୍ଟର୍ଲିଂ, ହ୍ୟାରି କେନ୍‌।
ସମ୍ଭାବ୍ୟ କ୍ରୋଏସିଆ: ଡାନିଜେଲ ସୁବାସିକ, ସିମେ ଭର୍ସାଲଜିକୋ, ଦେଜାନ ଲଭରେନ୍‌, ଦୋମାଗୋଜ ଭିଦା, ଇଭାନ ଷ୍ଟ୍ରିନିକ, ଇଭାନ ରାକିଟିକ, ମାର୍ସେଲୋ ବ୍ରୋଜୋଭିକ, ଆଣ୍ଟେ ରେବିକ, ଲୁକା ମୋଡ୍ରିକ, ଇଭାନ ପେରିସିକ୍‌, ମାରିଓ ମଣ୍ଡଜୁକିକ।
ଆସନ୍ତାକାଲି ଚଳିତ ଫିଫା ବିଶ୍ୱକପ୍‌ ଦ୍ୱିତୀୟ ସେମିଫାଇନାଲ୍‌ରେ ମୁହାଁମୁହିଁ ହେବେ। ଉଭୟ ଦଳ ପ୍ରଥମ ଥର ପାଇଁ ମଧ୍ୟ କୌଣସି ବିଶ୍ୱକପ୍‌ରେ ଭେଟିଭେଟି ହେବାକୁ ଯାଉଛନ୍ତି। ତେବେ ପରସ୍ପର ୭ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲା ବେଳେ ସେଥିରେ ଇଂଲଣ୍ଡ ୪ ଓ କ୍ରୋଏସିଆ ୨ଟିରେ ବିଜୟୀ ହୋଇଥିଲା। ଗୋଟିଏ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଚଳିତ ବିଶ୍ୱକପ୍‌ରେ ଇଂଲଣ୍ଡ ଗୋଟିଏ ପରାଜୟ (ବେଲ୍‌ଜିୟମ୍‌ ବିପକ୍ଷ ମ୍ୟାଚ୍‌) ସହ ନିଜ ଗ୍ରୁପ୍‌ରେ ଦ୍ୱିତୀୟ ସ୍ଥାନ ପାଇଥିଲା ବେଳେ ଅପରାଜେୟ କ୍ରୋଏସିଆ ନିଜ ଗ୍ରୁପ୍‌ର ବିଜେତା ହୋଇଥିଲା। ତେବେ କ୍ୱାର୍ଟର ଫାଇନାଲ୍‌ରେ ସହଜ ବିଜୟ (ସ୍ୱିଡେନ୍‌ ବିପକ୍ଷ ୨-୦) ସହ ଇଂଲଣ୍ଡ ସେମିଫାଇନାଲ୍‌ ପହଞ୍ଚିଥିଲା ବେଳେ ଲାଗ ଲାଗ ଦୁଇଟି କଷ୍ଟକର (ଡେନ୍‌ମାର୍କ ଓ ରୁଷିଆ ବିପକ୍ଷ ପେନାଲ୍‌ଟି) ବିଜୟ ସହ କ୍ରୋଏସିଆ ସେମିରେ ପହଞ୍ଚିଛି।
ଇଂଲଣ୍ଡ ୨୮ ବର୍ଷ ପରେ ପ୍ରଥମ ଥର ଲାଗି ବିଶ୍ୱକପ୍‌ ସେମିଫାଇନାଲ୍‌ ଖେଳିବ। ଏହି ଦଳ ଶେଷ ଥର ପାଇଁ ୧୯୯୦ରେ ସେମିଫାଇନାଲ୍‌ ପହଞ୍ଚିଥିଲା ବେଳେ ଜର୍ମାନି ନିକଟରୁ ପେନାଲ୍‌ଟିରେ ହାରିଥିଲା। ଇଂଲଣ୍ଡ ଥରେ ମାତ୍ର (୧୯୬୬) ବିଶ୍ୱ କପ୍‌ ଜିତିଛି। ତାହା ପୁଣି ଘରୋଇ ମାଟିରେ।
ଅନ୍ୟପକ୍ଷରେ ୧୯୯୦ ଦଶକରେ ସ୍ୱାଧୀନ ରାଷ୍ଟ୍ର ହୋଇଥିବା କ୍ରୋଏସିଆ ଥରେ ମାତ୍ର ବିଶ୍ୱକପ୍‌ ସେମିଫାଇନାଲ୍‌ ଖେଳିଛି। ୧୯୯୮ରେ ନିଜର ପଦାର୍ପଣ ବିଶ୍ୱକପ୍‌ରେ କ୍ରୋଏସିଆ ସେମିଫାଇନାଲ୍‌ ପହଞ୍ଚିଥିଲା ବେଳେ ସେଥର ବିଜେତା ଫ୍ରାନ୍‌ସ ନିକଟରୁ ହାରିଥିଲା।
ଚଳିତ ବିଶ୍ୱକପ୍‌ରେ ଗ୍ରୁପ୍‌ ପର୍ଯ୍ୟାୟରେ ୭ ଓ ମୋଟ ୧୦ (ପେନାଲ୍‌ଟିକୁ ବାଦ୍‌ ଦେଇ) ଗୋଲ୍‌ କରିଥିଲା ବେଳେ ଇଂଲଣ୍ଡ ଗ୍ରୁପ୍‌ ପର୍ଯ୍ୟାୟରେ ୮ ଓ ମୋଟ ୧୧ (ପେନାଲ୍‌ଟିକୁ ବାଦ୍‌ ଦେଇ) ଗୋଲ୍‌ ଦେଇ ସେମିଫାଇନାଲ୍‌ ପହଞ୍ଚିଛି। ଇଂଲଣ୍ଡର ୧୧ ଗୋଲ୍‌ ମଧ୍ୟରୁ ଫରଓ୍ଵାର୍ଡ ତାରକା ହାରି କେନ୍‌ ଏକାକି ୬ ଗୋଲ୍‌ କରି ଚଳିତ ବିଶ୍ୱକପ୍‌ର ଅଗ୍ରଣୀ ଗୋଲ୍‌ ସ୍କୋରର୍‌ ରହିଛନ୍ତି। ସେ ମଧ୍ୟ ଜଣେ ଇଂଲଣ୍ଡ ଖେଳାଳି ଭାବେ ବିଶ୍ୱକପ୍‌ରେ ସର୍ବାଧିକ ଗୋଲ୍‌ କରିବାରେ ପୂର୍ବତନ ଷ୍ଟ୍ରାଇକର୍‌ ଗ୍ୟାରି ଲିନେକର୍‌ଙ୍କ ସମକକ୍ଷ ହୋଇଛନ୍ତି। ପୁଣି ଇଂଲଣ୍ଡର ୧୧ ଗୋଲ୍‌ ମଧ୍ୟ ଗୋଟିଏ ବିଶ୍ୱକପ୍‌ରେ ଦେଶର ସର୍ବାଧିକ ଗୋଲ୍‌ ସମକକ୍ଷ। ୧୯୬୬ ବିଶ୍ୱକପ୍‌ରେ ମଧ୍ୟ ଇଂଲଣ୍ଡ ୧୧ ଗୋଲ୍‌ କରିଥିଲା ଏବଂ ସେଥର ଦଳ ବିଜେତା ହୋଇଥିଲା। ଅନ୍ୟପକ୍ଷରେ କ୍ରୋଏସିଆ ପକ୍ଷରୁ ମିଡ୍‌ଫିଲ୍‌ଡର ଲୁକା ମୋଦ୍ରିକ୍‌ ୨ ଗୋଲ୍‌ ସହ ଆଗୁଆ ଅଛନ୍ତି।
ମିଡ୍‌ଫିଲ୍‌ଡର ଜୋର୍ଡାନ୍‌ ହେଣ୍ଡରସନ୍‌ ଇଂଲଣ୍ଡ ପକ୍ଷରୁ ଖେଳିଥିବା ତାଙ୍କର ଶେଷ ୩୦ ମ୍ୟାଚ୍‌ରେ ଆଦୌ ହାରିନାହାନ୍ତି। ଯାହାକି ଇଂଲଣ୍ଡ ଇତିହାସରେ କୌଣସି ବି ଖେଳାଳିଙ୍କ ପାଇଁ ଲମ୍ବା ଅପରାଜେୟ କୀର୍ତିମାନ।

ସମ୍ବନ୍ଧିତ ଖବର