ମାଞ୍ଚେଷ୍ଟର : ମାଞ୍ଚେଷ୍ଟରଠାରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ ରୋଚକ ମୋଡ଼ରେ ପହଞ୍ଚିଛି। ଭାରତର ପ୍ରଥମ ଇନିଂସ ସ୍କୋର ୩୫୮ ରନର ଦୃଢ଼ ଜବାବ ଦେଇଛି ଇଂଲଣ୍ଡ। ସର୍ବଶେଷ ସୂଚନା ଅନୁସାରେ ଇଂଲଣ୍ଡ ୪ ୱିକେଟ୍‌ ହରାଇ ୩୪୯ ରନ୍‌ କରିଛି। ଭାରତ ପାଇଁ ୩ୟ ଓ ୪ର୍ଥ ଓ୍ବିକେଟ ଆଣିଦେଇଛନ୍ତି ଯୁବ ବୋଲର ୱାସିଂଟନ ସୁନ୍ଦର।

Advertisment

ଆଜି ହେଉଛି ୩ୟ ଦିନ। ଇଂଲଣ୍ଡ ନିଜର ଗତକାଲିର ସ୍କୋର ୨୨୫/ ୨ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା। ଦୁଇ ବ୍ୟାଟ୍ସମ୍ୟାନ ଜୋରୁଟ ଓ ଓଲି ପୋପ୍ ଦୃଢତାର ସହ ଭାରତୀୟ ବୋଲରଙ୍କ ମୁକାବିଲା କରିଥିଲେ। ଫଳରେ ମ୍ୟାଚର ପ୍ରଥମ ସେସନରେ ଭାରତୀୟ ବୋଲରଙ୍କୁ କୌଣସି ଓ୍ବିକେଟ୍‌ ମିଳିନଥିଲା।

୨ୟ ସେସନରେ ଭାରତୀୟ ବୋଲର ଓ୍ବାସିଂଟନ ସୁନ୍ଦର ଦଳକୁ ଏକ ବହୁପ୍ରତୀକ୍ଷୀତ ବ୍ରେକଥ୍ରୁ ପ୍ରଦାନ କରିଥିଲେ। ୭୧ ରନ୍‌ କରି ଶତକ ଆଡକୁ ଅଗ୍ରସର ହେଉଥିବା ପୋପ୍‌ ସୁନ୍ଦରଙ୍କ ବଲକୁ ଖେଳିବାକୁ ଯାଇ ସ୍ଲିପରେ କେଏଲ ରାହୁଲଙ୍କ ହାତରେ ଧରାପଡ଼ିଥିଲେ। 

ଅନ୍ୟପକ୍ଷରେ ଜୋ ରୁଟ ଏବେ ୭୧ ରନରେ ଖେଳୁଛନ୍ତି ଓ ଇଂଲଣ୍ଡର ସ୍କୋର ୪ ୱିକେଟ୍‌ ୩୪୯ ରନ ରହିଛି। ପୋପ୍‌ ଆଉଟ ହେବା ପରେ ଆସିଥିବା ହ୍ୟାରୀ ବ୍ରୁକଙ୍କୁ ମଧ୍ୟ ସୁନ୍ଦର ଆଉଟ କରିଛନ୍ତି। ଭାରତର ପ୍ରଥମ ଦୁଇଟି ୱିକେଟ୍‌ ରବୀନ୍ଦ୍ର ଜାଦେଜା ଓ ଅଂଶୁଲ କମ୍ବୋଜ ନେଇଥିଲେ। 

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ନିଜର ପ୍ରଥମ ଇନିଂସରେ ୩୫୮ ରନ୍‌ରେ ଅଲଆଉଟ ହୋଇଥିଲା।