ଶୃଙ୍ଖଳା ଦେଲେ ପନ୍ତ-ପାଣ୍ଡ୍ୟା; ୫ ୱିକେଟ୍‌ରେ ହାରିଲା ଇଂଲଣ୍ଡ, ଭାରତ ୨-୧ରେ ବିଜୟୀ

ମନେପଡ଼ିଲା କୈଫ-ଯୁବିଙ୍କ ନାଟୱେଷ୍ଟ ଶୃଙ୍ଖଳା ବିଜୟ ସ୍ମୃତି

ମାଞ୍ଚେଷ୍ଟର : ରିଶି ଟପ୍‌ଲେଙ୍କ ଟ୍ରିପଲ ଝଟ୍‌କା ପରେ ଭାରତର ପଶ୍ଚାତଧାବନ ମୂଳରୁ ବାଟ ହୁଡ଼ିଥିଲା। ରୋହିତ ଶର୍ମା (୧୭), ଶିଖର ଧାୱନ (୧), ବିରାଟ କୋହଲି (୧୭)ଙ୍କ ପରେ ସୂର୍ଯ୍ୟକୁମାର ଯାଦବ (୧୬) ମଧ୍ୟ ମାତ୍ର କିଛି ମିନିଟ୍ ଭିତରେ ଅସ୍ତ ହୋଇଗଲେ। ଇଂଲଣ୍ଡ ବିଜୟ ବାସ୍ନା ବାରୁଥିବା ଥିଲା ବେଳେ କିନ୍ତୁ ହାର୍ଦିକ ପାଣ୍ଡ୍ୟା (୪/୨୪, ୭୧) ଓ ଋଷଭ ପନ୍ତ (୧୨୫*) ଅବିଶ୍ବସନୀୟ ଭାଗୀଦାରି କରି ଭାରତକୁ ମ୍ୟାଚ୍ ସହ ଶୃଙ୍ଖଳା ବିଜୟ ଉପହାର ଦେଲେ। ଉଭୟ ଦଳ ୧-୧ ସ୍ଥିତି‌ରେ ଥିଲା ବେଳେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌କୁ ରୋମାଞ୍ଚକର ଢଙ୍ଗରେ ୫ ୱିକେଟ୍‌ରେ ଜିତି ୨-୧ରେ ଶୃଙ୍ଖଳା କବ୍‌ଜା କରିନେଲା ଭାରତ।

ରବିବାର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ୍‌ରେ ପନ୍ତ-ପାଣ୍ଡ୍ୟା ନିଜ ପରାକ୍ରମୀ ବ୍ୟାଟିଂ ବଳରେ ଇଂଲଣ୍ଡ ପଞ୍ଝାରୁ ବିଜୟ ଛଡ଼ାଇ ଆଣି ସମସ୍ତଙ୍କୁ ଚକିତ କରିଦେଲେ। ଉଭୟଙ୍କ ଅସାଧାରଣ ଭାଗୀଦାରି ଦୀର୍ଘ ୨୦ ବର୍ଷ ତଳେ ଯୁବରାଜ ସିଂହ ଏବଂ ମହମ୍ମଦ କୈଫ ହାସଲ କରିଥିବା ସ୍ମରଣୀୟ ନାଟୱେଷ୍ଟ ଟ୍ରଫି ବିଜୟର ସ୍ମୃତିକୁ ମନେ ପକାଇଦେଇଥିଲା। ୨୦୦୨ ମସିହାରେ ଠିକ୍ ଏହିଭଳି ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଭାରତକୁ ଯୁବି-କୈଫ ଅନନ୍ୟ ବିଜୟ ଦେଇ ନୂଆ ଇତିହାସ ରଚିଥିଲେ।

ଇଂଲଣ୍ଡ ଆଜି ଭାରତ ସମ୍ମୁଖରେ ୨୬୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ୭୨ ରନ୍‌ରେ ୪ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା ବେଳେ ପନ୍ତ ଓ ପାଣ୍ଡ୍ୟା ପଞ୍ଚମ ୱିକେଟ୍‌ରେ ୧୩୩ ରନ୍‌ର ଭାଗୀଦାରି କରି ଭାରତ ବିଜୟକୁ ପକ୍କା କରିଥିଲେ। ପାଣ୍ଡ୍ୟା ନିଜ ଅଷ୍ଟମ ଅର୍ଦ୍ଧଶତକ ପୂରଣ ପରେ ପରେ ଆଉଟ୍ ହୋଇଯାଇଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ପନ୍ତ ଡେଭିଡ୍ ୱିଲିଙ୍କୁ ଲଗାତାର ପାଞ୍ଚଟି ଚୌକା ମାରି ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଦୁଇ ଜଣ ଯାକ ବ୍ୟକ୍ତିଗତ ମାଇଲଖୁଣ୍ଟ ବି ଛୁଇଁଥିଲେ। ପାଣ୍ଡ୍ୟା ଏକଦିବସୀୟରେ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲା ବେଳେ ପନ୍ତ ଦିନିକିଆରେ ପ୍ରଥମ ଶତକ ହାସଲ କରିଥିଲେ।

ରବିବାର ପିଠି ଯନ୍ତ୍ରଣା ପାଇଁ ଯଶପ୍ରୀତ ବୁମ୍‌ରା ମ୍ୟାଚ୍‌ର ଠିକ୍ ପୂର୍ବରୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିଥି‌ଲେ। ଯାହା ଭାରତ ପାଇଁ ବଡ଼ ଝଟ୍‌କା ହୋଇଥିଲା। ତେବେ ବୁମ୍‌ରାଙ୍କ ସ୍ଥାନ ନେଇଥିବା ମହମ୍ମଦ ସିରାଜ ମଧ୍ୟ ନିରାଶ କରିନଥିଲେ। ଇଂଲଣ୍ଡ ଶୀର୍ଷକ୍ରମର ଦୁଇ ପ୍ରମୁଖ ତାରକା ଜନି ବେୟାରଷ୍ଟୋ ଏବଂ ଜୋ ରୁଟ୍‌ଙ୍କୁ ଖାତା ଖୋଲିବାର ସୁଯୋଗ ଦେଇନଥିଲେ ସେ। ଉଭୟଙ୍କୁ ମ୍ୟାଚ୍‌ର ଦ୍ବିତୀୟ ଓଭରରେ ସିରାଜ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଫଳରେ ଇଂଲଣ୍ଡ ୧୨ ରନ୍‌ରେ ୨ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ଓପନର ଜାସନ ରୟ (୪୧) ଓ ବେନ୍ ଷ୍ଟୋକ୍ସ (୨୭) ଇଂଲଣ୍ଡ ପାଳିକୁ ଧୀରେଧୀରେ ସଜାଡ଼ି ନେଉଥିଲା ବେଳେ ‌ଉଭୟଙ୍କୁ ଚତୁରତାର ସହ ଆଉଟ୍ କରି ହାର୍ଦିକ ପାଣ୍ଡ୍ୟା ଭାରତକୁ ଖେଳକୁ ଫେରାଇ ଆଣିଥିଲେ। ରୟଙ୍କୁ ପ୍ରଥମେ ୱିକେଟ୍ ରକ୍ଷକ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ ସେ। ‌ତା’ ପରେ ଷ୍ଟୋକ୍ସଙ୍କୁ କଟ୍ ଆଣ୍ଡ୍‌ ବୋଲ୍ଡ କରି ଭାରତୀୟ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ଏହା ସତ୍ତ୍ବେ ମୋଇନ ଅଲୀ (୩୪) ଓ ଅଧିନାୟକ ଜୋସ୍ ବଟଲର (୬୦) ପଞ୍ଚମ ୱିକେଟ୍‌ରେ ୭୫ ରନ୍ ଯୋଡ଼ି ନେଇଥିଲେ। ଏହି ଯୋଡ଼ି ବିପଜ୍ଜନକ ହେବା ପୂର୍ବରୁ ଅଲ୍ଲୀଙ୍କ ୱିକେଟ୍ ଅକ୍ତିଆର କରି ରବୀନ୍ଦ୍ର ଜାଦେଜା ପୁଣି ଥରେ ଇଂଲଣ୍ଡ ପାଳିରେ ନାଟକ ଭରି ଦେଇଥିଲେ। ବଟଲର କିନ୍ତୁ ୬୫ ବଲ୍‌ରୁ ବ୍ୟକ୍ତିଗତ ଭାବେ ୨୨ତମ ଅର୍ଦ୍ଧଶତକ ପୂରଣ କରିନେଇଥିଲେ। ତେବେ ତାଙ୍କ ସହ ଲିଆମ ଲିଭିଂଷ୍ଟୋନ (୨୭)ଙ୍କୁ ୩୭ତମ ଓଭରରେ ଆଉଟ୍ କରି ପାଣ୍ଡ୍ୟା (୪/୨୪) ଦିନିକିଆରେ ନିଜ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ତଥାପି କ୍ରେଗ୍ ଓଭରଟନ୍‌ଙ୍କ ୩୨ ଏବଂ ଡେଭିଡ୍ ୱିଲିଙ୍କ ୧୮ ରନ୍ ବଳରେ ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନ୍ କରିନେଇଥିଲା। ୪୬ତମ ଓଭରରେ ଦୁଇଟି ୱିକେଟ୍ ନେବା ସହ ଶେଷ ବଲ୍‌ରେ ରିଶି ଟପ୍‌ଲେଙ୍କୁ ଆଉଟ୍ କରି ସ୍ପିନର ୟୁଝବେନ୍ଦ୍ର ଚହଲ (୩/୬୦) ୨୫ ବଲ୍ ପୂର୍ବରୁ ଇଂଲଣ୍ଡ ପାଳିର ସମାପ୍ତି ଘଟାଇଥିଲେ। ୨୦୧୫ ବିଶ୍ବକପ୍‌ ପରେ ଘରୋଇ ପରିବେଶରେ ପ୍ରଥମେ ବ୍ୟାଟିଂ କରି (ଅନ୍ୟୂନ ଥରେ) ଇଂଲଣ୍ଡ ପ୍ରଥମ ଥର ଲାଗି କୌଣସି ଶୃଙ୍ଖଳାର ଗୋଟିଏ ହେଲେ ବି ପାଳିରେ ୩୦୦ ରନ୍ ଛୁଇଁ ପାରିନଥି‌ଲା। ସୀମା ରେଖା ପାଖରେ ଦୁଇଟି ଚମତ୍କାର କ୍ୟାଚ୍ ନେଇ ଜାଦେଜା ପ୍ରଶଂସାର ପାତ୍ର ହୋଇଥିଲେ।

ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ସ୍କୋର‌୍‌ କାର୍ଡ

ଇଂଲଣ୍ଡ ପ୍ରଥମ ପାଳି: ୨୫୯/୧୦
ରୟ-କ-ପନ୍ତ୍‌-ବୋ-ହାର୍ଦିକ୍‌ ପାଣ୍ଡ୍ୟା-୪୧
ବେୟାରଷ୍ଟୋ-କ-ଆୟର-ବୋ-ସିରାଜ-୦୦
ଜୋ ରୁଟ୍‌-କ-ରୋହିତ-ବୋ-ସିରାଜ-୦୦
ବେନ୍‌ ଷ୍ଟୋକ୍ସ-କ-ଓ-ବୋ-ପାଣ୍ଡ୍ୟା-୨୭
ବଟଲର୍‌-କ-ଜାଦେଜା-ବୋ-ପାଣ୍ଡ୍ୟା-୬୦
ମୋଇନ-କ-ପନ୍ତ୍‌-ବୋ-ଜାଦେଜା-୩୪
ଲିଭିଙ୍ଗ୍‌ଷ୍ଟୋନ-କ-ଜାଦେଜା-ବୋ-ପାଣ୍ଡ୍ୟା-୨୭
ୱିଲି-କ-ସୂର୍ଯ୍ୟକୁମାର-ବୋ-ହଲ-୧୮
ଓଭରଟନ୍‌-କ-କୋହଲି-ବୋ-ଚହଲ-୩୨
ବ୍ରାଇଡନ୍‌ କାର୍ସେ-ଅପରାଜିତ-୦୩
ରିଶି ଟପ୍‌ଲେ-ବୋ-ଚହଲ-୦୦
ଅତିରିକ୍ତ- (ଲେଗ୍‌ବାଇ-୨, ୱା-୧୩, ନୋ-୨)୧୭
ମୋଟ-(୪୫.୫ ଓଭର, ଅଲ୍‌ଆଉଟ୍‌)-୨୫୯
ୱିକେଟ୍‌ ପତନ: ୧୧/୧, ୧୨/୨, ୬୬/୩, ୭୪/୪, ୧୪୯/୫, ୧୯୮/୬, ୧୯୯/୭, ୨୪୭/୮, ୨୫୭/୯, ୨୫୯/୧୦।
ବୋଲି˚: ମହମ୍ମଦ ସାମି ୭-୦-୩୮-୦, ମହମ୍ମଦ ସିରାଜ ୯-୧-୬୬-୨, ପ୍ରସିଦ୍ଧ କୃଷ୍ଣ ୯-୦-୪୮-୦, ହାର୍ଦିକ୍‌ ପାଣ୍ଡ୍ୟା ୭-୩-୨୪-୪, ୟୁଝବେନ୍ଦ୍ର ଚହଲ ୯.୫-୦-୬୦-୩, ରବୀନ୍ଦ୍ର ଜାଦେଜା ୪-୦-୨୧-୧।
ଭାରତ ପ୍ରଥମ ପାଳି: ୨୬୧/୫
ରୋହିତ ଶର୍ମା-କ-ରୁଟ୍‌-ବୋ-ଟପ୍‌ଲେ-୧୭
ଧାୱନ-କ-ଜାସନ-ବୋ-ଟପ୍‌ଲେ-୦୧
କୋହଲି-କ-ବଟଲର-ବୋ-ଟପ୍‌ଲେ-୧୭
ଋଷଭ ପନ୍ତ୍‌-ଅପରାଜିତ-୧୨୫
ସୂର୍ଯ୍ୟକୁମାର-କ-ବଟଲର-ବୋ-ଓଭରଟନ୍‌-୧୬
ହାର୍ଦିକ୍‌-କ-ଷ୍ଟୋକ୍ସ-ବୋ-କାର୍ସେ-୭୧
ଜାଦେଜା-ଅପରାଜିତ-୦୭
ଅତିରିକ୍ତ- (ବା-୧, ଲେଗ୍‌ବାଇ-୩, ୱାଇଡ-୩)୦୭
ମୋଟ-(୪୨.୧ ଓଭର, ୫ ୱିକେଟ୍‌)-୨୬୧
ୱିକେଟ୍‌ ପତନ: ୧୩/୧, ୨୧/୨, ୩୮/୩, ୭୨/୪, ୨୦୫/୫।
ବୋଲି˚: ରିଶି ଟପ୍‌ଲେ ୭-୧-୩୫-୩, ଡେଭିଡ ୱିଲି ୭-୦-୫୮-୦, ବ୍ରାଇଡନ କାର୍ସେ ୮-୦-୪୫-୧, ମୋଇନ ଅଲୀ ୮-୦-୩୩-୦, କ୍ରେଗ୍‌ ଓଭରଟନ ୮-୦-୫୪-୧, ବେନ୍‌ ଷ୍ଟୋକ୍ସ ୨-୦-୧୪-୦, ଲିଅମ ଲିଭିଂଷ୍ଟୋନ ୨-୦-୧୪-୦, ଜୋ ରୁଟ୍‌ ୦.୧-୦-୪-୦।

ସମ୍ବନ୍ଧିତ ଖବର