ଆଫ୍‌ଗାନିସ୍ତାନକୁ ୫ ୱିକେଟ୍‌ରେ ହରାଇଲା ଇଂଲଣ୍ଡ

ପର୍ଥ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସୁପର-୧୨ ପର୍ଯ୍ୟାୟର ଉଦ୍‌ଘାଟନୀ ଦିବସରେ ଇଂଲଣ୍ଡ ଓ ଆଫ୍‌ଗାନିସ୍ତାନ ମଧ୍ୟରେ ଦ୍ବିତୀୟ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ୫ ୱିକେଟ୍‌ର ବିଜୟ ସହ ଇଂଲଣ୍ଡ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ଆଫ୍‌ଗାନିସ୍ତାନ ପାଳିକୁ ୧୧୨ ରନ୍‌ରେ ସଫା କରିଦେବା ପ‌ରେ ଇଂଲଣ୍ଡ ୧୧ ବଲ୍‌ ପୂର୍ବରୁ ୧୧୩/୫ କରିନେଇଥିଲା। ଚଳିତ ବିଶ୍ବକପ୍‌ରେ ପ୍ରଥମ ୫ ୱିକେଟ୍‌ ସଫଳତା ପାଇଥିବା ସାମ୍‌ କରନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିବା ଇଂଲଣ୍ଡ ନିୟମିତ ଅନ୍ତରାଳରେ ୱିକେଟ୍‌ ଦଖଲ କରିଥିଲା। ବିଶେଷକରି ନିଜର ଶେଷ ୨ ଓଭରରେ ୨ଟି ଲେଖାଏଁ ୱକେଟ୍‌ ଅକ୍ତିଆର କରି କରନ ଆଫ୍‌ଗାନିସ୍ତାନ ପାଳିକୁ ୧୯.୪ ଓଭରରେ ଶେଷ କରିଦେଇଥିଲେ। ସେ ୩.୪-୦-୧୦-୫ର ଘାତକ ବୋଲିଂ ଚିତ୍ର ପାଇଥିଲେ। ଫଳରେ ଏକ ସମୟରେ ୧୦୯ ରନ୍‌ରେ ୫ ୱିକେଟ୍‌ ହରାଇଥିବା ଆଫ୍‌ଗାନିସ୍ତାନ ଆଉ ମାତ୍ର ୩ ରନ୍‌ ଯୋଡ଼ି ଅବଶିଷ୍ଟ ୫ ୱିକେଟ୍‌ ହରାଇଥିଲା। କରନଙ୍କ ବ୍ୟତୀତ ମାର୍କ ଉଡ୍‌ ଓ ବେନ୍‌ ଷ୍ଟୋକ୍ସ ୨-୨ ଏବଂ କ୍ରିସ୍‌ ୱକ୍ସ ଗୋଟିଏ ୱିକେଟ୍‌ ପାଇଥିଲେ। ଆଫ୍‌ଗାନିସ୍ତାନ ପକ୍ଷରୁ ଇବ୍ରାହିମ ଜଦ୍ରାନ (୩୨), ଉସ୍‌ମାନ ଘନି (୩୦), ନାଜିବୁଲା ଜଦ୍ରାନ (୧୩) ଓ ରହମନୁଲ୍ଲା ଗୁର୍‌ବାଜ (୧୦) ହିଁ ଦୁଇ ଅଙ୍କ ଛୁଇଁଥିଲେ।

ଜବାବରେ ଲିଆମ ଲିଭିଙ୍ଗ୍‌ଷ୍ଟୋନ (୨୯*), ଆଲେକ୍ସ ହେଲ୍‌ସ (୧୯), ଜୋସ୍‌ ବଟଲର (୧୮), ଦାୱଦ୍‌ ମଲାନ (୧୮) ଓ ମୋଇନ ଅଲ୍ଲୀ (୮*)ଙ୍କ ବଳରେ ଇଂଲଣ୍ଡ ୧୮.୧ ଓଭରରେ ୫ ୱିକେଟ୍‌ ବିନିମୟରେ ୧୧୩ ରନ୍‌ର ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଆଫ୍‌ଗାନ ବୋଲରମାନେ ୯୭ ରନ୍‌ ମଧ୍ୟରେ ୫ ୱିକେଟ୍‌ ଝଡ଼ାଇ ଦେଇଥିଲେ ମଧ୍ୟ ଦଳ ପରାଜୟ ଏଡାଇବା ପାଇଁ ଯଥେଷ୍ଟ ହୋଇନଥିଲା।

ସଂକ୍ଷିପ୍ତ ସ୍କୋର୍‌: ଆଫ୍‌ଗାନିସ୍ତାନ ୧୯.୪ ଓଭରରେ ୧୧୨ (ଇମ୍ରାହିମ ଜଦ୍ରାନ-୩୨, ଉସ୍‌ମାନ ଘନି-୩୦, ସାମ୍‌ କରନ-୫/୧୦, ବେନ୍‌ ଷ୍ଟୋକ୍ସ-୨/୧୯, ମାର୍କ ଉଡ୍‌-୨/୨୩)। ଇଂଲଣ୍ଡ ୧୮.୧ ଓଭରରେ ୧୧୩/୫ (ଲିଆମ ଲିଭିଙ୍ଗ୍‌ଷ୍ଟୋନ-୨୯*, ରସିଦ୍‌ ଖାନ୍‌-୧/୧୭, ମହମ୍ମଦ ନବୀ-୧/୧୬, ଫଜଲ ଫାରୁକୀ-୧/୨୪, ମୁଜୀବୁର ରହମାନ-୧/୨୨, ଫରିଦ ଅହମ୍ମଦ ମଲିକ-୧/୨୩।)

କରନଙ୍କ କୀର୍ତ୍ତିମାନ
ଇଂଲଣ୍ଡ ଅଲ୍‌ରାଉଣ୍ଡର ସାମ୍‌ କରନ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୫ ୱିକେଟ୍‌ ଦଖଲ କରିବା ଅବସରରେ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ସେ ୩.୪ ଓଭରରେ ମାତ୍ର ୧୦ ରନ୍‌ ବ୍ୟୟ କରିଥିଲା ବେଳେ ଜଣେ ଇଂଲଣ୍ଡ ବୋଲର ଭାବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଶ୍ରେଷ୍ଠ ବୋଲିଂ ଚିତ୍ର ପ‌ାଇଥିଲେ। ତାଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ସ୍ପିନର ଆଦିଲ ରସିଦ୍‌ଙ୍କ ନାମରେ ଥିଲା। ରସିଦ୍‌ ୨୦୨୧ରେ ଦୁବାଇରେ ଖେଳାଯାଇଥିବା ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ୨.୨ ଓଭରରେ ମାତ୍ର ୨ ରନ୍‌ ବ୍ୟୟ କରି ୪ ୱିକେଟ୍‌ ଅକ୍ତିଆର କରିଥିଲେ। ଏହି ଦୁଇଜଣଙ୍କ ପଛକୁ ଦ୍ରୁତ ବୋଲର କ୍ରିସ୍‌ ଜୋର୍ଡାନ (୪/୬) ଏବଂ ଡେଭିଡ୍‌ ୱିଲି (୪/୭) ରହିଛନ୍ତି।

ସମ୍ବନ୍ଧିତ ଖବର