ପାକିସ୍ତାନକୁ ହରାଇଲା ଇଂଲଣ୍ଡ: ଶୃଙ୍ଖଳା ୩-୩ ସ୍ଥିତିରେ

ଦ୍ରୁତତମ ୩୦୦୦ ରନ୍‌ରେ କୋହଲିଙ୍କ ସମକକ୍ଷ ହେଲେ ବାବର

ଲାହୋର : ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବ‌ା ୭ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଶେଷ ମ୍ୟାଚ୍‌ ପୂର୍ବରୁ ୩-୩ ସ୍ଥିତିରେ ପହଞ୍ଚିଯାଇଛି। ଶୁକ୍ରବାର ଷଷ୍ଠ ମ୍ୟାଚ୍‌କୁ ଭ୍ରମଣକାରୀ ଇଂଲଣ୍ଡ ୮ ୱିକେଟ୍‌ରେ ଜିତିବା ପରେ ରବିବାର ଖେଳାଯିବାକୁ ଥିବା ସପ୍ତମ ତଥା ଶେଷ ମ୍ୟାଚ୍‌ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଯାଇଛି।

ଶୁକ୍ରବାର ଅଧିନାୟକ ବାବର ଆଜମ (୮୭ ରନ୍‌, ୫୯ ବଲ୍‌, ୭ ଚୌକା, ୩ ଛକା)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଘରୋଇ ଦଳ ୬ ୱିକେଟ୍‌ ବିନିମୟରେ ୧୬୯ ରନ୍‌ କରିଥିଲା। ଜବାବରେ ଫିଲ୍‌ ସଲ୍ଟ (୮୮, ୪୧ ବଲ୍‌, ୧୩ ଚୌକା, ୩ ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ୧୪.୩ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଦାୱିଦ ମଲାନ ୨୬ ଓ ବେନ୍‌ ଡକେଟ୍‌ ୨୬* ରନ୍‌ ଉପଯୋଗୀ ପାଳି ଖେଳିଥିଲେ। ସଲ୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଦ୍ରୁତତମ ୩୦୦୦ ରନ୍‌ରେ କୋହଲିଙ୍କ ସମକକ୍ଷ ହେଲେ ବାବର
ଶୁକ୍ରବାର ଇଂଲଣ୍ଡ ବିପକ୍ଷ ଷଷ୍ଠ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ୫୯ ବଲ୍‌ରୁ ୭ ଚୌକା ଓ ୩ ଛକା ସହାୟତାରେ ୮୭* ରନ୍‌ କରିଥିଲେ। ଏହି ପାଳି ଅବସରରେ ବାବର ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ୩୦୦୦ ରନ୍‌ ପୂରଣ କରିଥିଲେ। ଏଥି ସହିତ ସେ ଭାରତର ବିରାଟ କୋହଲି, ରୋହିତ ଶର୍ମା, ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗପ୍ଟିଲ ଏବଂ ଆୟର୍ଲାଣ୍ଡ୍‌ର ପଲ୍‌ ଷ୍ଟିର୍ଲିଂଙ୍କ ପରେ ବିଶ୍ବର ପଞ୍ଚମ ଖେଳାଳି ଭାବେ ଏହି କ୍ଲବ୍‌ର ସଦସ୍ୟ ବନି ଯାଇଥିଲେ। ତେବେ ପାଳି ଭିତ୍ତିରେ ସେ କୋହଲିଙ୍କ ଦ୍ରୁତତମ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ। କୋହଲି ୮୧ ପାଳିରୁ ଏହି ମାଇଲଖୁଣ୍ଟ ଛୁଇଁଥିଲା ବେଳେ ବାବର ମଧ୍ୟ ସମାନ ୮୧ ପାଳି ଖେଳି ୩୦୦୦ ରନ୍‌ ପୂରଣ କରିନେଇଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ୮୦ ପାଳିରୁ ୨୯୪୮ ରନ୍‌ କରିଥିବା ବାବରଙ୍କୁ କୋହଲିଙ୍କ ସମକକ୍ଷ ହେବା ପାଇଁ ୫୨ ରନ୍‌ ଦରକାର ହେଉଥିଲା ବେଳେ ସେ ୮୭* ରନ୍‌ କରିଥିଲେ। ତାଙ୍କ ମୋଟ ରନ୍‌ ସଂଖ୍ୟା ୩୦୩୫ରେ ପହଞ୍ଚିଯାଇଛି। ସେ ମଧ୍ୟ ଚଳିତ ଇଂଲଣ୍ଡ ବିପକ୍ଷ ୭ ମ୍ୟାଚ୍‌ ଶୃଙ୍ଖଳାରେ ୨୮୧ ରନ୍‌ କରି ମହମ୍ମଦ ରିଜ୍‌ୱାନ (୩୧୫)ଙ୍କ ପଛକୁ ଦ୍ବିତୀୟ ସର୍ବୋଚ୍ଚ ସ୍କୋରର୍‌ ରହିଛନ୍ତି।

ସମ୍ବନ୍ଧିତ ଖବର