ଅହମଦାବାଦ: ବିଶ୍ବକପ୍ ତ୍ରୟୋଦଶ ସଂସ୍କରଣର ଉଦ୍ଘାଟନୀ ମ୍ୟାଚ୍ରେ ପୂର୍ବ ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। କିନ୍ତୁ ଏହି ପ୍ରଥମ ମ୍ୟାଚ୍ ପୂର୍ବରୁ ଦୁଇ ଦଳଙ୍କୁ ଝଟ୍କା ଲାଗିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ର ୧ଲକ୍ଷ ୩୨ ହଜାର ଦର୍ଶକଙ୍କ ସମ୍ମୁଖରେ ଇଂଲଣ୍ଡର ପ୍ରମୁଖ ଖେଳାଳି ତଥା ପୂର୍ବତନ ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ୍ ଓ ଟିମ୍ ସାଉଦିଙ୍କ ବିନା ଦୁଇ ଦଳ ପଡ଼ିଆକୁ ଓହ୍ଲାଇବେ। ଷ୍ଟୋକ୍ସଙ୍କ ହିପ୍ରେ ସାମାନ୍ୟ ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁବାର ବିଶ୍ରାମ ଦିଆଯିବାକୁ ଦଳ ନିଷ୍ପତ୍ତି ନେଇଛି। ତେଣୁ ତାଙ୍କ ସ୍ଥାନରେ (୪ ନମ୍ବର) ହାରି ବ୍ରୁକ୍ ଖେଳିବା ସମ୍ଭାବନା ରହିଛି। ଇଂଲଣ୍ଡ ମଧ୍ୟକ୍ରମରେ ଏକାଧିକ ବାମହାତୀ ଖେଳାଳି ଥିବା ବେଳେ ବ୍ରୁକ୍ ଓ ଲିଆମ୍ ଲିଭିଂଷ୍ଟୋନ୍ ଏଥିରେ ଭିନ୍ନତା ଆଣିପାରିବେ। ମଝି ଓଭରଗୁଡ଼ିକରେ ଡାହାଣହାତୀ ଓ ବାମହାତୀ ଖେଳାଳିଙ୍କୁ ନେଇ ରଣନୀତି ପ୍ରସ୍ତୁତ କରାଯାଉଥିବା ସୂଚନା ଦିଆଯାଇଛି।
ଏସବୁ ସତ୍ତ୍ବେ ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ଚିନ୍ତାଜନକ ରହିଛି। ଚଳିତ ବର୍ଷ ପାୱାର ପ୍ଲେ ପ୍ରଦର୍ଶନୀରେ ଇଂଲଣ୍ଡର ହାରାହାରି ପ୍ରଦର୍ଶନ ୨୮.୯୫ ରହିଛି। ଜନି ବେୟାରଷ୍ଟୋ ଅଧିକାଂଶ ସମୟରେ ଆକ୍ରମଣାତ୍ମକ ଖେଳିବାକୁ ଚେଷ୍ଟା କରୁଥିବାରୁ ଦଳକୁ ସମସ୍ୟାରେ ପକାଇଛନ୍ତି। ତେଣୁ ଗୁରୁବାର ଟ୍ରେଣ୍ଟ ବୋଲ୍ଟଙ୍କ ଇନ୍ ସୁଇଂ ବଲ୍କୁ ତାଙ୍କୁ ସତର୍କତାର ସହ ଖେଳିବାକୁ ପଡ଼ିବ। ୩ ନମ୍ବର ସ୍ଥାନରେ ଜୋ ରୁଟ୍ ଖେଳିବେ। ସେ ସ୍ପିନରଙ୍କୁ ଖେଳିବାରେ ଅଭ୍ୟସ୍ତ ହୋଇଗଲେଣି। ତେଣୁ ମଝି ଓଭରରେ ନ୍ୟୁଜିଲାଣ୍ଡ କିପରି ବୋଲିଂରେ ପରିବର୍ତ୍ତନ କରୁଛି ତାହା ଉପରେ ନଜର ରହିବ। ଅନ୍ୟପକ୍ଷରେ ୨୦୧୯ ବିଶ୍ବକପ୍ ପରଠୁ ଇଂଲଣ୍ଡ ଅଧିକ ଦିନିକିଆ ମ୍ୟାଚ୍ ଖେଳିବାକୁ ପାଇନାହିଁ। ୪ ବର୍ଷ ମଧ୍ୟରେ ମାତ୍ର ୪୨ ମ୍ୟାଚ୍ର ଅଭିଜ୍ଞତା ରଖିଥିବାରୁ ଖେଳାଳିମାନଙ୍କୁ ଭାରତୀୟ ପରିବେଶରେ ଶୀଘ୍ର ନିଜକୁ ଖାପ ଖୁଆଇବାକୁ ପଡ଼ିବ। ଅପରପକ୍ଷେ ଇଂଲଣ୍ଡର ଡେଥ୍ ଓଭର ବୋଲିଂ ଉତ୍ସାହଜନକ ରହିଛି। ଚଳିତ ବର୍ଷ ଇଂଲିଶ ବୋଲରମାନେ ଶେଷ ୧୦ ଓଭରରେ ୬.୭୩ ଇକୋନୋମିରେ ବୋଲିଂ କରିଛନ୍ତି।
ନ୍ୟୁଜିଲାଣ୍ଡ ପାଇଁ କେନ୍ ୱିଲିୟମସନ୍ ଉଦ୍ଘାଟନୀ ମ୍ୟାଚ୍ରେ ଉପଲବ୍ଧ ହେବେନି। ଆଣ୍ଠୁ ଆଘାତରୁ ସେ ସୁସ୍ଥ ହେଉଥିବାରୁ ମ୍ୟାଚ୍କୁ ଓହ୍ଲାଇବାକୁ କିଛି ଦିନ ସମୟ ନେଇଛନ୍ତି। ତେଣୁ ତାଙ୍କ ବଦଳରେ ଟମ୍ ଲାଥମ୍ ପ୍ରଥମ ମ୍ୟାଚ୍ରେ ଦଳର ନେତୃତ୍ବ ନେବେ। ସେହିପରି ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ଟିମ୍ ସାଉଦି ମଧ୍ୟ ଖେଳିପାରିବେନି। ଯଦିଓ ପ୍ରଥମ ୱାର୍ମ ଅପ୍ରେ ୱିଲିୟମସନ୍ ଖେଳିଥିଲା ବେଳେ ଦ୍ବିତୀୟ ମ୍ୟାଚ୍ରେ କେବଳ କ୍ଷେତ୍ରରକ୍ଷଣ କରିବାକୁ ଆସିଥିଲେ, ହେଲେ ସାଉଦି ଭାରତରେ ଏପର୍ଯ୍ୟନ୍ତ ଅଭ୍ୟାସ ଆରମ୍ଭ କରିପାରିନାହାନ୍ତି। ଅସ୍ତ୍ରେପଚାର ପରଠୁ ଦୁଇ ସପ୍ତାହ ବିତିଯାଇଥିବାରୁ ତାଙ୍କ ସୁସ୍ଥତା ଉପରେ ଦଳ ନଜର ରଖୁଛି। ଏଭଳିସ୍ଥିତିରେ ଦଳ ପ୍ରାରମ୍ଭିକ ବ୍ୟାଟର ଡେଭନ୍ କନୱେଙ୍କ ଉପରେ ଅଧିକ ନିର୍ଭର କରିବ। ପାୱାର ହିଟିଂ ପାଇଁ ଜଣାଶୁଣା କନୱେ ଭାରତୀୟ ପିଚ୍ରେ ଆଇପିଏଲ୍ ଖେଳି ଅଭ୍ୟସ୍ତ ଅଛନ୍ତି। ତେଣୁ ଲିଭିଂଷ୍ଟୋନ୍ଙ୍କ ସହିତ କନୱେଙ୍କ ମୁହାଁମୁହିଁ ଅଧିକ ରୋଚକ ହେବ। ଗତ ୧୨ଟି ସଂସ୍କରଣରେ ନ୍ୟୁଜିଲାଣ୍ଡ ୮ ଥର ସେମିଫାଇନାଲ୍ରେ ପହଞ୍ଚିଛି। ହେଲେ ଏପର୍ଯ୍ୟନ୍ତ ଗୋଟିଏ ବି ବିଶ୍ବକପ୍ ଜିତିପାରିନାହିଁ। ଏହି ବିଶ୍ବକପ୍ରେ ଯଦିଓ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ଟ୍ରଫି ଦାବିଦାରଙ୍କ ମଧ୍ୟରେ ଗଣା ହେଉଛି, କିନ୍ତୁ ନ୍ୟୁଜିଲାଣ୍ଡ ତାହାର ଶତପ୍ରତିଶତ ଉଦ୍ୟମ ଲଗାଇ ପ୍ରତି ମ୍ୟାଚ୍ ଜିତିବାକୁ ଚାହିଁବ ବୋଲି ଲାଥମ୍ ଏକ ସାକ୍ଷତକାରରେ କହିଛନ୍ତି।
ସମ୍ଭାବ୍ୟ ଇଂଲଣ୍ଡ ୧୧: ଜନି ବେୟାରଷ୍ଟୋ, ଦାୱିଦ ମଲାନ, ଜୋ ରୁଟ୍, ହାରି ବ୍ରୁକ୍, ଜୋସ୍ ବଟଲର, ଲିଆମ୍ ଲିଭିଂଷ୍ଟୋନ୍, ସାମ କରନ, କ୍ରିସ୍ ୱକ୍ସ, ମାର୍କ ଉଡ୍, ଆଦିଲ ରସିଦ, ରିସି ଟପ୍ଲେ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ୧୧: ୱିଲ୍ ୟଙ୍ଗ, ଡେଭନ୍ କନୱେ, ଡାରେଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟମ୍ ଲାଥମ୍, ଜେମ୍ସ ନିସାମ, ମିଚେଲ୍ ସାଣ୍ଟନର, ଈଶ ସୋଧି, ମାଟ୍ ହେନରି, ଲୋକି ଫର୍ଗ୍ୟୁସନ୍, ଟ୍ରେଣ୍ଟ ବୋଲ୍ଟ।