ଏବେ ସାମ୍ନାରେ ଇଂଲଣ୍ଡ: ନଜରରେ ରହିବେ ଏହି ୬ ଖେଳାଳି

ଆଜିଠୁ ଚେନ୍ନାଇରେ ପ୍ରଥମ ଟେଷ୍ଟ୍, ଫେରିବେ କୋହଲି, ୨ ସ୍ପିନର, ୩ ପେସର ନା ୩ ସ୍ପିନର ୨ ପେସର

ଚେନ୍ନାଇ: ମାତ୍ର ଦୁଇ ସପ୍ତାହ ତଳେ ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ଘାଇଲା କରି (୨-୧ରେ ହରାଇ) ସ୍ବଦେଶ ଫେରିବା ପରେ ଭାରତୀୟ କ୍ରିକେଟ୍ ଦଳକୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ପ୍ରଶାସକ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସାରେ ପୋତି ଦେଇଥିଲେ। ଏହି ସଫଳତାକୁ ମନଭରି ଉପଭୋଗ କରିବା ପୂର୍ବରୁ କିନ୍ତୁ ଟିମ୍ ଇଣ୍ଡିଆ ଆଗରେ ଆଉ ଏକ ବଡ଼ ଆହ୍ବାନ ଉପନୀତ ହୋଇଛି। ବିଶ୍ବବିଜେତା ଇଂଲଣ୍ଡ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳା ସହ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଏବଂ ତିନି ଟିକିଆ ଦିନିକିଆ ଶୃଙ୍ଖଳା ଖେଳିବା ଲାଗି ଏବେ ଭାରତରେ ଡେରା ପକାଇଛି। ଏଣୁ କଙ୍ଗାରୁ ସେନାକୁ ଚିତ୍ କରିବା ପରେ କୋହଲି ବାହିନୀ ଆଗରେ ଏବେ ଇଂଲିସ୍ ଆହ୍ବାନ ଛିଡ଼ା ହୋଇଛି। ଆଉ ଏହି ୧୨ ମ୍ୟାଚ୍ ବିଶିଷ୍ଟ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଶୁକ୍ରବାରଠାରୁ ହିଁ ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟରେ ଖେଳାଯିବାକୁ ଥିବା ଟେଷ୍ଟ୍ ଲଢ଼େଇର ପ୍ରଥମ ମୁକାବିଲା ସ୍ଥାନୀୟ ଚେପକ୍ ଷ୍ଟାଡିୟମ୍‌ରେ ଆସନ୍ତାକାଲି ଶୁଭାରମ୍ଭ ହେବ। ଘରୋଇ ପରିବେଶରେ ଖେଳାଯାଉଥିବାରୁ ଭାରତ ପାଇଁ ଅବଶ୍ୟ ଏହି ଶୃଙ୍ଖଳା ଏକ ବଡ଼ ସମସ୍ୟା ହେବ ନାହିଁ ବୋଲି ଆଶା କରାଯାଉଛି। କୋଭିଡ୍-୧୯ ସଙ୍କଟ ପରେ କିନ୍ତୁ ଏହା ଭାରତରେ ଖେଳାଯିବାକୁ ଥିବା ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା ହେବ। ସେଥିପାଇଁ ଖେଳାଳି ଓ ଘରୋଇ ସମର୍ଥକଙ୍କ ସହ ସାରାବିଶ୍ବରେ ଥିବା କୋଟି କୋଟି ଭାରତୀୟ ସମର୍ଥକ ବେଶ୍ ଉତ୍ସାହିତ ଅଛନ୍ତି।

ଏହି ପ୍ରତୀକ୍ଷିତ ଟେଷ୍ଟ୍ ଶୃଙ୍ଖଳାରେ ଭାରତ ସମ୍ମୁଖରେ ଘରୋଇ ବିଜୟ ଧାରାକୁ ଅକ୍ଷୁଣ୍ଣ ରଖିବା ସହ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେବାର ଯୁଗଳ ସୁଯୋଗ ରହିବ। ଘରୋଇ ପରିବେଶରେ ଭାରତ ଗତ ୧୨ ଶୃଙ୍ଖଳାରେ ଲଗାତାର ବିଜୟ ହାସଲ କରିଛି। ଗତ ୩୫ ଟେଷ୍ଟ୍ ଭିତରୁ ମାତ୍ର ଗୋଟିକରେ ପରାଜିତ ହୋଇଛି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ପଏଣ୍ଟ୍‌ ତାଲିକାରେ ସଂପ୍ରତି ଶୀର୍ଷରେ ରହିଥିଲେ ମଧ୍ୟ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଦଳକୁ ପଛରେ ପକାଇ ଫାଇନାଲ୍ ଟିକେଟ୍‌ ହାସଲ କରିବା ଲାଗି ଭାରତକୁ ଆଗାମୀ ଶୃଙ୍ଖଳାକୁ ଅନ୍ୟୁନ ୨-୧ରେ ଜିତିବା ଦରକାର ଅଛି। ଇଂଲଣ୍ଡ ଶେଷ ଥର ପାଇଁ ୨୦୧୬ରେ ଭାରତ ଗସ୍ତ କରି ୦-୪ରେ ପରାଜିତ ହୋଇଥିଲା। ଏଥର ଜୋ ରୁଟ୍‌ଙ୍କ ଦଳ ପାଖରେ ସେହି ମୂଳପୋଛ ପରାଜୟର ପ୍ରତିଶୋଧ ସୁଯୋଗ ରହିବ। ବ୍ୟକ୍ତିଗତ ଭାବେ ରୁଟ୍ ଶୁକ୍ରବାରର ପ୍ରଥମ ଟେଷ୍ଟ୍ ଅବସରରେ ନିଜ ଖେଳ ଜୀବନର ଶତକୀୟ ଟେଷ୍ଟ୍ ଖେଳିବେ। ସେପଟେ ପିତୃତ୍ବ ଅବକାଶ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ ପରେ ଘରକୁ ଫେରି ଆସିଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ଏକାଧିକ କୀର୍ତ୍ତିମାନ କରିପାରିବେ। ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ୍ କରିବାର ଭାରତୀୟ କୀର୍ତ୍ତିମାନ ଏବଂ ଅଧିନାୟକ ଭାବେ ସର୍ବାଧିକ ଶତକ ଅର୍ଜନ କରିବାର ବିଶ୍ବ କୀର୍ତ୍ତିମାନ ଉପରେ ନିଶ୍ଚିତ ଭାବେ ତାଙ୍କର ସ୍ବତନ୍ତ୍ର ନଜର ରହିବ।

ଭାରତ ଶେଷ ଥର ପାଇଁ ୨୦୧୯ ମସିହା ନଭେମ୍ବର ମାସରେ ବାଂଲାଦେଶ ବିପକ୍ଷ‌ରେ ଘରୋଇ ଟେଷ୍ଟ୍ ଶୃଙ୍ଖଳା ଖେଳିଥିଲା। ତେବେ ଚେପକର ଏମ୍‌ ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ପିଚ୍ ପାରମ୍ପରିକ ଭାବେ ଚତୁର୍ଥ ଏବଂ ପଞ୍ଚମ ଦିନରେ ସ୍ପିନରଙ୍କୁ ସୁହାଉଥିବାରୁ ଏହି ରଣନୀତିରେ ହୁଏତ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଭାରତ ଯଦି ତିନି ଜଣ ଦ୍ରୁତ ବୋଲର ଏବଂ ଦୁଇ ଜଣ ସ୍ପିନର ଖେଳାଇବାକୁ ନିଷ୍ପତ୍ତି ନିଏ, ତାହାଲେ ଯଶପ୍ରୀତ ବୁମ୍‌ରା ଏବଂ ଈଶାନ୍ତ ଶର୍ମାଙ୍କ ସହ ଅଷ୍ଟ୍ରେଲିଆରେ ଚମକପ୍ରଦ ପ୍ରଦର୍ଶନ ଦେଇଥିବା ମହମ୍ମଦ ସିରାଜ ଖେଳି ପାରନ୍ତି। ଅନ୍ୟପକ୍ଷରେ ରବିଚନ୍ଦ୍ରନ୍ ଅଶ୍ବିନ ଏବଂ କୁଲଦୀପ ଯାଦବ ଦୁଇ ସ୍ପିନ୍ ବୋଲିଂ ବିକଳ୍ପ ହେବେ। ତିନି ଜଣ ସ୍ପିନର ରଣନୀତି ହେଲେ କୁଲଦୀପ ଏବଂ ଅଶ୍ବିନଙ୍କ ସହ ୱାସିଂଟନ୍ ସୁନ୍ଦର କିମ୍ବା ଅକ୍ଷର ପଟେଲଙ୍କ ଭିତରୁ ଜଣେ ଖେଳିପାରନ୍ତି। ବୁମରା ଏବଂ ଈଶାନ୍ତ ଦ୍ରୁତ ବୋଲର ସ୍ଥାନ ନେବେ। ଅନ୍ୟପକ୍ଷରେ ଶୃଙ୍ଖଳା ଆରମ୍ଭ ହେବାର ମାତ୍ର ତିନି ଦିନ ପୂର୍ବରୁ ଆହତ ହେବା ପରେ ଜ୍ୟାକ୍ କ୍ରଲି ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ୍‌ରୁ ବାଦ ପଡ଼ିବା ଇଂଲଣ୍ଡ ପାଇଁ ଚିନ୍ତାର କାରଣ ହୋଇଛି। ଏଣୁ ତୃତୀୟ ସ୍ଥାନରେ ଓଲି ପୋପ୍ ଏବଂ ଡାନିଏଲ୍ ଲରେନ୍ସଙ୍କ ଭିତ‌ରୁ ଜଣେ ଖେଳିବାର ସମ୍ଭାବନା ଅଧିକ। ମୋଇନ୍ ଅଲ୍ଲୀ ଡମ୍ ବେସ୍‌ଙ୍କ ସ୍ଥାନ ନେବେ। ସେହିଭଳି ଶ୍ରୀଲଙ୍କା ଶୃଙ୍ଖଳାରେ ବିଶ୍ରାମ ନେଇଥିବା ଜୋଫ୍ରା ଆର୍ଚର, ବେନ୍ ଷ୍ଟୋକ୍ସ ଇଂଲଣ୍ଡ ଚୂଡ଼ାନ୍ତ ଦଳରେ ରହିବେ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷବ ପନ୍ତ, ୱାସିଂଟନ ସୁନ୍ଦର/ଅକ୍ଷର ପଟେଲ, ରବିଚନ୍ଦ୍ରନ୍ ଅଶ୍ବିନ, ଈଶାନ୍ତ ଶର୍ମା, କୁଲଦୀପ ଯାଦବ/ ମହମ୍ମଦ ସିରାଜ, ଯଶପ୍ରୀତ ବୁମରା।
ସମ୍ଭାବ୍ୟ ଇଂଲଣ୍ଡ: ରୋରି ବର୍ନସ, ଡମ୍ ସିବ୍‌ଲେ, ଡାନିଏଲ୍ ଲରେନ୍ସ, ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଓଲି ପୋପ୍, ଜୋସ୍ ବଟଲର, ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜ୍ୟାକ୍ ଲିଚ୍, ଷ୍ଟୁଆର୍ଟ ବ୍ରଡ୍।

ପୂଜାରାଙ୍କ ୱିକେଟ୍ ଉପରେ ରୁଟ୍‌ଙ୍କ ନଜର

ଆସନ୍ତା ଟେଷ୍ଟ୍ ଶୃଙ୍ଖଳାରେ ଇଂଲଣ୍ଡ ପାଇଁ ଭାରତୀୟ କ୍ରିକେଟ୍‌ର ଦ୍ବିତୀୟ କାନ୍ଥ ଚେତେଶ୍ବର ପୂଜାରାଙ୍କ ୱିକେଟ୍ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏକଥା କହିଛନ୍ତି ଖୋଦ୍ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍। ଏପରିକି ସେ ନିଜେ ପୂଜାରାଙ୍କ ଭଳି ବ୍ୟାଟିଂ କରିବାକୁ ଚାହିଁବେ ବୋଲି ମତ ଦେଇଛନ୍ତି। ସେ କହିଛନ୍ତି, ‘‘ମୁଁ ଭାବୁଛି, ପୂଜାରା ଜଣେ ଚମତ୍କାର ଖେଳାଳି। ୟର୍କସାୟାର ପକ୍ଷରୁ କାଉଣ୍ଟି ଖେଳିଲା ବେଳେ ତାଙ୍କ ସହ ଦୁଇଟି ମ୍ୟାଚ୍ ଖେଳିବାର ସୌଭାଗ୍ୟ ମୁଁ ପାଇଛି। ତାଙ୍କଠାରୁ ଅନେକ କିଛି ଶିଖିହେବ। କ୍ରିକେଟ୍ ପ୍ରତି ତାଙ୍କ ଭଲ ପାଇବା ମଧ୍ୟ ଅତୁଳନୀୟ। ଆମ ପାଇଁ ଆସନ୍ତା ଶୃଙ୍ଖଳାରେ ପୂଜାରାଙ୍କ ୱିକେଟ୍‌ର ଢେର ମହତ୍ବ ରହିବ। ତାଙ୍କ ପାଇଁ ଆମକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ। ସୂଚନାଯୋଗ୍ୟ ଯେ ନିକଟରେ ୬,୦୦୦ ରନ୍ ପୂରଣ କରିଥିବା ପୂଜାରା ୮୧ ଟେଷ୍ଟ୍‌ରୁ ୬୧୧୧ ରନ୍ କରିଛନ୍ତି।

ନଜରରେ ରହିବେ ଏହି ୬ ଖେଳାଳି

ଆସନ୍ତାକାଲିଠାରୁ ଚେନ୍ନାଇରେ ଖେଳାଯିବ ଭାରତ ଓ ଇଂଲଣ୍ଡ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌। ଏହା ପୂର୍ବରୁ ଘରୋଇ ମାଟିରେ ଭାରତ କ୍ରମାଗତ ୧୨ ଟେ‌ଷ୍ଟ୍‌ ଶୃଙ୍ଖଳା ଜିତି କୀର୍ତ୍ତିମାନ ହାସଲ କରିସାରିଛି। ଏପରିକି ସେ ଆୟୋଜନ କରିଥିବା ଶେଷ ୩୫ ଟେଷ୍ଟ୍‌ ମଧ୍ୟରୁ ମାତ୍ର ଗୋଟିଏ ହାରିଛି। ୧୨ ଶୃଙ୍ଖଳା ବିଜୟ ମଧ୍ୟରେ ୨୦୧୬-୧୭ରେ ଇଂଲଣ୍ଡର ପୂର୍ବ ଗସ୍ତରେ ୪-୦ର ବିଜୟ ସାମିଲ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ମଧ୍ୟ ଭାରତରେ ବିଜୟ ହାସଲ କରିବାରେ ଶେଷ ଦଳ ରହିଛି। ଏହି ଭ୍ରମଣକାରୀ ଦଳ ୨୦୧୨-୧୩ରେ ଭାରତକୁ ହରାଇଥିଲା। ଆଉ ସେତେବେଳେ ପଦାର୍ପଣ କରିଥିବା ଜୋ ରୁଟ୍‌ ଏବେ ଇଂଲଣ୍ଡ ଦଳର ଅଧିନାୟକ ଏବଂ ସେ ଚେନ୍ନାଇରେ ଶତକୀୟ ଟେଷ୍ଟ୍‌ ଖେଳିବାକୁ ଯାଉଛନ୍ତି। ରୁଟ୍‌ଙ୍କ ନେତୃତ୍ବରେ ଇଂଲଣ୍ଡ ମଧ୍ୟ ଶ୍ରୀଲଙ୍କା ମାଟିରେ ଗତ ମାସରେ ଶ୍ରୀଲଙ୍କାକୁ ୨-୦ରେ ପରାସ୍ତ କରି ଭାରତକୁ ଆସିଛି। ତେବେ ଭାରତ-ଇଂଲଣ୍ଡ ଶୃଙ୍ଖଳାରେ ଉଭୟ ଦଳର ତିନି ଲେଖାଏଁ (ମୋଟ ୬) ଖେଳାଳି ନଜରରେ ରହିବେ। ଆସନ୍ତୁ ସେମାନଙ୍କୁ ଜାଣିବା।

ଋଷଭ ପନ୍ତ୍‌ (ଭାରତ): ଟେଷ୍ଟ୍‌ ଦଳରେ ନିୟମିତ ରନ୍‌ କରିବା ନେଇ ପନ୍ତ୍‌ଙ୍କ ଉପରେ ଯେଉଁ କିଛି ସନ୍ଦେହ ରହିଥିଲା ତାହାକୁ ସେ ଅଷ୍ଟ୍ରେଲିଆରେ ଭାରତର ଶୃଙ୍ଖଳା ବିଜୟୀ ପ୍ରଦର୍ଶନ ବଳରେ ଦୂର କରିଦେଇଛନ୍ତି। ଅଷ୍ଟ୍ରେଲିଆରେ ଏହି ଦାୟିତ୍ବହୀନ ହେଲେ ନିର୍ଭୟ ବାମହାତୀ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଦୁର୍ଭାଗ୍ୟବଶତଃ ଦୁଇ ଥର ଶତକରୁ ବଞ୍ଚିତ ହୋଇଥିଲେ। ହେଲେ ଶୃଙ୍ଖଳା ନିର୍ଣ୍ଣାୟକ ଗାବା ଟେଷ୍ଟ୍‌ର ଚତୁର୍ଥ ପାଳିରେ ୩୨୮ ରନ୍‌ର ପିଛା ଅବସରରେ ତାଙ୍କ ଅପରାଜିତ ୮୯ ରନ୍‌ ପନ୍ତ୍‌ଙ୍କୁ ଆଇସିସି ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାର ୧୩ତମ ସ୍ଥାନରେ ପହଞ୍ଚିବାରେ ସହାୟକ ହୋଇଛି। ଯାହାକି ୱିକେଟ୍‌ରକ୍ଷକଙ୍କ ମଧ୍ୟରେ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ। ଏବେ ସେ ବୈଷୟିକ ଭାବେ ଋଦ୍ଧିମାନ ଶାହଙ୍କଠୁ ଉନ୍ନତ ହେବେ ନା ନାହିଁ ତାହା ଦେଖିବାର ରହିଲା। ତଥାପି ଋଦ୍ଧିମାନ ତାଙ୍କଠୁ ଆଗରେ ରହିଲେ ବି ୨୩ ବର୍ଷ ବୟସ୍କ ପନ୍ତ୍‌ ଜଣେ ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍‌ ଭାବେ ଦଳରେ ସ୍ଥାନ ପାଇବା ସମ୍ଭାବନା ରହିଛି।

ଶୁବମନ୍‌ ଗିଲ୍‌ (ଭାରତ): ଅଷ୍ଟ୍ରେଲିଆ ବୋଲିଂ ଆକ୍ରମଣ ନିକଟରେ ପଦାର୍ପଣ ଶୃଙ୍ଖଳା‌ରେ ଦୁଇଟି ଅର୍ଦ୍ଧଶତକ (ଗାବାରେ ୯୧ ରନ୍‌ ସହିତ) ଯୁବ ଓପ୍‌ନର ଶୁବମନ୍‌ ଗିଲ୍‌ଙ୍କୁ ଭାରତୀୟ ଦଳରେ ଦାବିଦାର କରିଛି। ସେ ମଧ୍ୟ ଲମ୍ବା ସମୟ ଧରି ରହିଥିବା ଭାରତର ଓପ୍‌ନିଂ ସମସ୍ୟାର ସମାଧାନ କରିପାରିବାର ବିଶ୍ବାସ ଜନ୍ମାଇ ସାରିଛନ୍ତି। ଏହି ୨୧ ବର୍ଷ ବୟସ୍କ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ସର୍ଟ‌୍ ବଲ୍‌କୁ ସାମ୍‌ନା କରିବାର ସାହାସ ରଖିଛନ୍ତି। ଯାହାକି ଭାରତୀୟ ଓପ୍‌ନରଙ୍କ ପାଇଁ ଅତୀତରେ ଏକ ସମସ୍ୟା ହୋଇ ରହିଆସିଛି। ଯଦି ତାଙ୍କୁ ସୁଯୋଗ ମି‌ଳେ ତାହାଲେ ଗିଲ୍‌ ଭାରତ ପାଇଁ ଶୀର୍ଷ କ୍ରମରେ ବେଶ୍‌ ଉପାଦେୟ ରହିବା ସମ୍ଭବନା ଅଧିକ ରହିବ।

ରବିଚନ୍ଦ୍ରନ୍‌ ଅଶ୍ବିନ୍‌ (ଭାରତ): ପ୍ରଥମ ଟେଷ୍ଟ୍‌ରୁ ରବୀନ୍ଦ୍ର ଜାଦେଜା ବାଦ୍‌ ପଡ଼ିବା ଭ୍ରମଣକାରୀ ଇଂଲଣ୍ଡ ଦଳକୁ ଯେତିକି ଆଶ୍ବସ୍ତ କରିଛି, ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କୁ ନେଇ ସେତିକି ଚିନ୍ତା ମଧ୍ୟ ରହିଛି। ଆଗାମୀ ଟେଷ୍ଟ୍‌ ଶୃଙ୍ଖଳାରେ ଅଶ୍ବିନ୍‌ ହିଁ ଭାରତୀୟ ସ୍ପିନ୍‌ ଆକ୍ରମଣର ମଙ୍ଗୁଆଳ ରହିବେ। ୨୦୧୬ରେ ଇଂଲଣ୍ଡ ତା’ର ଶେଷ ଭାରତ ଗସ୍ତରେ ଆସିଥିଲା ବେଳେ ଅଶ୍ବିନ୍‌ ହିଁ ୨୮ ୱିକେଟ୍‌ ଅକ୍ତିଆର କରି ଇଂଲଣ୍ଡର ଚିନ୍ତା ପାଲଟିଥିଲେ। ପୁଣି ଏଥର ପ୍ରଥମ ଦୁଇଟିଯାକ ଟେଷ୍ଟ୍‌ ତାଙ୍କ ଘରୋଇ ଟ୍ରାକ୍‌ ଚେନ୍ନାଇରେ ଖେଳାଯିବ। ଯେଉଁଠାରେ କି ଅଶ୍ବିନ୍‌ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଏକ ଟେଷ୍ଟ୍‌ରେ ୧୨ ୱିକେଟ୍‌ ଦଖଲ କରିଥିଲେ। କେବଳ ସେତିକି ନୁହେଁ ଅଶ୍ବିନ୍‌ ମଧ୍ୟ ବ୍ୟାଟିଂରେ ବେଶ୍‌ ଉପଯୋଗୀ ହୋଇଥା’ନ୍ତି।

ଜୋଫ୍ରା ଆର୍ଚର (ଇଂଲଣ୍ଡ): ଶ୍ରୀଲଙ୍କା ଗସ୍ତରୁ ବିଶ୍ରାମ ନେଇଥିବା ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଭାରତ ବିପକ୍ଷ ଶୃଙ୍ଖଳା ପାଇଁ ଇଂଲଣ୍ଡ ଦଳକୁ ଫେରିଛନ୍ତି। ଏହି ୨୫ ବର୍ଷ ବୟସ୍କ ଖେଳାଳି କୋଭିଡ୍‌-୧୯ ନିୟମ ଉଲଂଘନ କରି ଚର୍ଚ୍ଚାରେ ରହିଥି‌ଲେ। ତେବେ ସେ ହିଁ ତାଙ୍କ ଗତିଶୀଳ ପେସ୍‌ ଓ ବାଉଁସରେ ଯେକୌଣସି ଶୀର୍ଷକ୍ରମ ବ୍ୟାଟିଂ ପାଇଁ ସମସ୍ୟା ସୃଷ୍ଟି କରିପାରିବେ। ଏହି ବାର୍ବାଡସ୍‌ ଜନ୍ମିତ ଦ୍ରୁତ ବୋଲରଙ୍କର ଉପମହାଦେଶ ପିଚ୍‌ରେ ନାଲି ବଲ୍‌ରେ ବୋଲିଂ କରିବାର ଅଭିଜ୍ଞତା ନାହିଁ। ହେଲେ ଆଇପିଏଲ୍‌ ଖେଳିଥିବାରୁ ଉପମହାଦେଶ ପିଚ୍‌ ସହିତ ସେ ପରିଚିତ ଥିବାରୁ ଭାରତ ପାଇଁ କଣ୍ଟା ହୋଇପାରନ୍ତି।

ବେନ୍‌ ଷ୍ଟୋକ୍ସ (ଇଂଲଣ୍ଡ): ଆର୍ଚରଙ୍କ ଭଳି ବିଶ୍ରାମ ପାଇବା ପରେ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ମଧ୍ୟ ଇଂଲଣ୍ଡ ଟେଷ୍ଟ୍‌ ଦଳକୁ ଫେରିଛନ୍ତି। ଗତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାରେ ୫ ପାଳିରୁ ୩୬୩ ରନ୍‌ ସହ ଅଗ୍ରଣୀ ସ୍କୋରର୍‌ ରହିଥିବା ‌ଷ୍ଟୋକ୍ସ ସେହି ସଫଳତା ଭାରତ ବିପକ୍ଷରେ ଦୋହରାଇବା ଲକ୍ଷ୍ୟ ରଖିଛନ୍ତି। ପୁଣି ଆଇପିଏଲ୍‌ ଖେଳି ଭାରତୀୟ ପରିବେଶକୁ ସେ ଖୁବ୍‌ ଭଲ ଭାବେ ପଢ଼ିଛନ୍ତି। ଷ୍ଟୋକ୍ସ ମଧ୍ୟ ଏବେ ବିଶ୍ବ ମାନ୍ୟତାର ‌ଶ୍ରେଷ୍ଠ ଅଲ୍‌ରାଉଣ୍ଡର ରହିଛନ୍ତି। ତେଣୁ ସେ ୨୦୧୬ରେ ୦-୪ ପରାଜୟର ପ୍ରତିଶୋଧ ନେବାକୁ ବ୍ୟାକୁଳ ରହିଛନ୍ତି।
ରୋରି ବର୍ଣ୍ଣସ (ଇଂଲଣ୍ଡ): ନିଜର ସନ୍ତାନ ଜନ୍ମ ପାଇଁ ଶ୍ରୀଲଙ୍କା ଗସ୍ତରୁ ଓହରି ଯାଇଥିବା ଏହି ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାରତ ବିପକ୍ଷ ଶୃଙ୍ଖଳା ପାଇଁ ସେତେଟା ଭଲ ପ୍ରସ୍ତୁତି କରିନାହାନ୍ତି। ତଥାପି ଫର୍ମ ପାଇଁ ସଂଘର୍ଷ ଚଳାଇଥିବା ଜାକ୍‌ କ୍ରଲି ପ୍ରଥମ ଟେଷ୍ଟ୍‌ରୁ ବାଦ୍‌ ପଡ଼ିବାରୁ ତାଙ୍କ ସ୍ଥାନ ନେବା ସୁଯୋଗ ବର୍ଣ୍ଣସଙ୍କ ପାଇଁ ରହିଛି। ବର୍ଣ୍ଣସ ଶ୍ରୀଲଙ୍କା ବିପକ୍ଷ ୪ ପାଳିରେ ମାତ୍ର ୩୫ ରନ୍‌ କରିବାକୁ ସମର୍ଥ ହୋଇଥିଲେ। ତେବେ ଭାରତର ପେସ୍‌ ଆକ୍ରମଣକୁ ପ୍ରଭାବହୀନ କରିବା ପାଇଁ ଡବ୍‌ ସିବ୍‌ଲେଙ୍କ ସହ ସେ ପାଳି ଆରମ୍ଭ କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର