ଏକମାତ୍ର ଟେଷ୍ଟ: ବିଶ୍ୱ ଚାମ୍ପିଅନ୍‌ ଇଂଲଣ୍ଡକୁ ୮୫ ରନ୍‌ରେ ଅଲଆଉଟ୍‌ କଲା ଆୟରଲ୍ୟାଣ୍ଡ, ହ୍ୟାଟ୍ରିକ୍‌ ସହ ୫ ଓ୍ଵିକେଟ୍‌ ନେଲେ ମୁର୍ତାଗ

ଲଣ୍ଡନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ୨୦୧୯ର ଚାମ୍ପିଅନ ଇଂଲଣ୍ଡକୁ ଆୟରଲ୍ୟାଣ୍ଡ ମାତ୍ର ୮୫ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଆୟରଲ୍ୟାଣ୍ଡର ଓପନିଂ ବୋଲର ଟିମ୍‌ ମୁର୍ତାଗଙ୍କ ବଳିଷ୍ଠ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ସେ ହ୍ୟାଟ୍ରିକ ସମେତ ୫ଟି ଓ୍ଵିକେଟ ନେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ମୁର୍ତାଙ୍କ ବଲକୁ ବେୟାରଷ୍ଟୋ, ମୋଇନ ଅଲି ଓ କ୍ରିସ ଓ୍ଵକସ୍‌ ସମ୍ମୁଖୀନ ହୋଇ ପାରି ନାହାନ୍ତି। ମୁର୍ତାଙ୍କ ବଲରେ ଓପନର ରୋରି ବୁରୁନସ୍‌ ଓ ଜସନ୍‌ ରୟ ମଧ୍ୟ ଆଉଟ୍‌ ହୋଇଛନ୍ତି।

ଲଣ୍ଡନର ଲଡର୍ସରେ ବୁଧବାର ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ପାଳିରେ ପୂରା ଟିମ୍‌ ୨୩.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୮୫ ରନ୍‌ କରିଛି।

ଇଂଲଣ୍ଡର ଜଣାଶୁଣା ବ୍ୟାଟସ୍‌ମ୍ୟାନ୍‌ ଜନି ବେୟାରଷ୍ଟୋ, ମୋଇନ୍‌ ଅଲ୍ଲୀ, କ୍ରିସ୍‌ ଓ୍ଵକସ୍‌ ଖାତା ନ ଖୋଲି ପାଭଲିଅନ ଫେରିଥିବା ବେଳେ ଜସନ ରୟ ୫ ରନ୍‌ ଓ ଜୋଏ ରୁଟ ୨ ରନ୍‌ କରିଛନ୍ତି। ସାମ୍‌ କୁରାନ ୧୮ ରନ୍‌ ଟିମ୍‌ ପାଇଁ ଯୋଡ଼ିଥିବା ବେଳେ ଷ୍ଟୁଆର୍ଟ ବ୍ରଡ ୩ ରନ୍‌ କରିଛନ୍ତି। ଇଂଲଣ୍ଡ ପାଇଁ ସର୍ବାଧିକ ଜୟ ଡେନଲି ୨୩ ରନ୍‌ କରିଛନ୍ତି। ସେହିପରି ଓଲ ଷ୍ଟୋନ୍‌ଙ୍କ ବ୍ୟାଟରୁ ୧୯ ରନ୍‌ ମିଳିଛି।

ମାର୍କ ଆଦିରଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିବା ବେଳେ ବଏଡ ରଙ୍କିନ୍‌ଙ୍କୁ ୨ଟି ଓ୍ଵିକେଟ୍‌ ମିଳିଛି। ଇଂଲଣ୍ଡ ୮ ରନ୍‌ରେ ଜସନ ରଏଙ୍କୁ ହରାଇଥିବା ବେଳେ ୩୬ ରନ୍‌ରେ ଜୋଏ ଡେନଲି ଓ ରୋରି ବୁରୁନସ୍‌ଙ୍କୁ ହରାଇଥିଲା। ସ୍କୋର ୪୨ ରନ୍‌ରେ ଜୋଏ ରୁଟ, ବେୟାରଷ୍ଟୋ ଓ କ୍ରିସ୍‌ ଓ୍ଵକସ୍‌ ଆଉଟ୍‌ ହୋଇଥିଲେ। ଏହା ପରେ ଇଂଲଣ୍ଡର ମେରୁ ଦଣ୍ଡ ଭାଙ୍ଗି ଯାଇଥିଲା। ସ୍କୋର ୪୩ ରନ୍‌ରେ ମୋଇନ୍‌ ଅଲି, ୫୮ ରନରେ ଷ୍ଟୁଆର୍ଟ ବ୍ରଡ ଓ ୬୭ ରନ୍‌ରେ ସାମ୍‌ କୁରାନ ଆଉଟ୍‌ ହୋଇଥିଲେ। ଟିମ୍‌ ପାଇଁ ଶେଷ ଓ୍ଵିକେଟ ଥିଲେ ଓଲି ଷ୍ଟୋନସ୍‌।

ସମ୍ବନ୍ଧିତ ଖବର