ଇଂଲଣ୍ଡ ପାକିସ୍ତାନ ପ୍ରଥମ ଟେଷ୍ଟ୍: ମାସୁଦ ୧୫୬, ପାକିସ୍ତାନ ୩୨୬

ମାଞ୍ଚେଷ୍ଟର୍: ସାନ୍ ମସୁଦଙ୍କ ଲଢ଼ୁଆ ଶତକ (୧୫୬, ୩୧୯ ବଲ, ୧୮ ଚୌକା, ୨ ଛକା) ବଳରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ପାକିସ୍ତାନ ୩୨୬ ରନ୍‌ର ସମ୍ମାନଜନକ ସ୍କୋର୍‌ କରି ନେଇଛି। ଜବାବରେ ଦ୍ବିତୀୟ ଦିନରେ ଶେଷ ଖବର ମିଳିବା ବେଳକୁ ଘରୋଇ ଇଂଲଣ୍ଡ ୩୭ ରନ୍‌ ଭିତରେ ୩ ୱିକେଟ୍ ହରାଇ ଆଶଙ୍କା ଭିତରେ ରହିଥିଲା। ରୋରି ବର୍ନସ (୪), ଡୋମିନିକ୍ ଶିବଲେ (୮) ଏବଂ ବେନ୍ ଷ୍ଟୋକ୍ସ (୦)ଙ୍କୁ ପାକିସ୍ତାନର ନୂଆ ବଲ୍ ଯୋଡ଼ି ମହମ୍ମଦ ଆବାସ ଓ ସାହିନ୍ ଆଫ୍ରିଦୀ ସଅଳ ପ୍ୟାଭିଲିଅନ୍ ପଠାଇ ଦେଇଛନ୍ତି।

ବର୍ଷା ଓ ଆଲୋକ ଆଭାବରୁ ପ୍ରଥମ ଦିନ ଖେଳ ବାଧାପ୍ରାପ୍ତ ହୋଇଥିବାବେଳେ ଗୁରୁବାର ଦ୍ବିତୀୟ ଦିନ ଖେଳ ଠିକଣା ସମୟରେ ଆରମ୍ଭ ହୋଇଥିଲା। ୧୩୯/୨ରୁ ଖେଳିଥିବା ପାକିସ୍ତାନକୁ ପ୍ରଥମ ଓଭରରେ ହିଁ ଝଟକା ଦେଇଥିଲେ ଜେମ୍ସ ଆଣ୍ଡରସନ୍। ବାବର ଆଜମ (୬୯, ୧୦୬ ବଲ, ୧୧ ଚୌକା)ଙ୍କୁ ଜୋ ରୁଟଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ଏଥି ସହ ୯୬ ରନ୍‌ ଭାଗୀଦାରି ଭାଙ୍ଗିଥିଲା। ଏହା ପରେ ଅସଦ୍ ସଫିକ (୭) ଏବଂ ୱିକେଟରକ୍ଷକ ମହମ୍ମଦ ରିଜୱାନ (୯)ଙ୍କୁ ଯଥାକ୍ରମେ ଷ୍ଟୁଆର୍ଟ ବ୍ରଡ ଓ କ୍ରିସ୍ ୱକ୍ସ ପ୍ୟାଭିଲିଅନ୍ ରାସ୍ତା ‌ଦେଖାଇଦେବାରୁ ପାକିସ୍ତାନ ୧୭୬/୫ରେ ସଂଘର୍ଷ କରିଥିଲା। ମଧ୍ୟାହ୍ନ ଭୋଜନ ବିରତି ବେଳକୁ ୧୮୭/୫ରେ ଥିବା ପାକିସ୍ତାନ ପାଇଁ ପ୍ରାରମ୍ଭିକ ବ୍ୟାଟସ୍‌ମ୍ୟାନ୍‌ ସାନ୍ ମାସୁଦ୍‌ ଏବଂ ସଦାମ୍ ଖାନ୍ ଷଷ୍ଠ ୱିକେଟ୍ ପାଇଁ ୧୦୫ ରନ୍ ଯୋଡ଼ିଦେବାରୁ ପାକିସ୍ତାନ ଭାଗ୍ୟରେ ବଡ଼ ପରିବର୍ତନ ଘଟିଥିଲା। ସଦାବ (୪୫, ୭୬ ବଲ, ୩ ଚୌକା)ଙ୍କୁ ଡୋମିନିକ୍ ବେସ୍‌ ଆଉଟ୍ କରି ଏହି ଭାଗୀଦାରିକୁ ଅଲଗା କରିଥିଲେ। ଏହା ପରେ ୟାସିର୍‌ ସାହା (୫) ଏବଂ ମହମ୍ମଦ ଆବାସ (୦)ଙ୍କୁ ଜୋଫ୍ରା ଆର୍ଚର ଲଗାତାର ବଲରେ ଆଉଟ୍ କରି ଦେଇଥିଲେ। ଇତିମଧ୍ୟରେ ସାନ୍ ମାସୁଦ୍ ନିଜର ଲଗାତାର ତୃତୀୟ ଶତକ ହାସଲ କରି ନେଇଥିଲେ। ଅନ୍ୟ ପାର୍ଶ୍ବରୁ ସାଥୀଙ୍କୁ ହରାଉଥିବାରୁ ରନ୍‌ ଗତିକୁ ବଢ଼ାଇ ମାସୁଦ୍‌ ପ୍ରଥମ ଥର ୧୫୦ ଅତିକ୍ରମ କରିଯାଇଥିଲେ। ଶେଷକୁ ଷ୍ଟୁଆର୍ଟ ବ୍ରଡ୍‌ ଲଗାତାର ଓଭରରେ ମାସୁଦ ଓ ନସିମ୍ ସାହାଙ୍କୁ ଆଉଟ୍ କରି ପାକିସ୍ତାନକୁ ୩୨୬ ରନ୍‌ରେ ସୀମିତ ରଖିଥିଲେ।

ମାସୁଦଙ୍କ ହ୍ୟାଟ୍ରିକ୍‌
ଗୁରୁବାର ୩୦ ବର୍ଷୀୟ ବାମହାତୀ ବ୍ୟାଟସମ୍ୟାନ୍‌ ସାନ ମାସୁଦ୍‌ ନିଜ ଖେଳ ଜୀବନର ଚତୁର୍ଥ ଟେଷ୍ଟ୍ ଶତକ ହାସଲ କରିଥିଲେ। କିନ୍ତୁ ଲଗାତାର ୩ ଟେଷ୍ଟ୍ ପାଳିରେ ଶତକ ହାସଲ କରି ବିରଳ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ୨୦୧୫ରେ ଶ୍ରୀଲଙ୍କା ବିପକ୍ଷରେ ନିଜ ପ୍ରଥମ ଟେଷ୍ଟ୍ ଶତକ (୧୨୫) ଅର୍ଜନ କରିଥିବା ମାସୁଦ୍‌ ଗତ ଡିସେମ୍ବରରେ କରାଚୀରେ ଶ୍ରୀଲଙ୍କା ବିପକ୍ଷରେ ୧୩୫, ଚଳିତ ବର୍ଷ ଫେବ୍ରୁଆରିରେ ରାୱଲପିଣ୍ଡିରେ ବାଂଲାଦେଶ ବିପକ୍ଷରେ ୧୦୦ ହାସଲ କରିଥ‌ିଲେ। ଏବେ ୧୫୬ ରନ୍‌ର ପାଳି ଖେଳି ଟେଷ୍ଟ୍ ଜୀବନର ଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର୍‌ ହାସଲ କରିଛନ୍ତି। ଲଗାତାର ୩ ପାଳିରେ ଶତକ ହାସଲ କରିବାରେ ସେ ଷଷ୍ଠ ପାକିସ୍ତାନୀ‌ ହୋଇଛନ୍ତି। ପୂର୍ବରୁ ଜାହିର ଆବାସ (୧୯୮୨-୮୩), ମୁଦାସର ନଜର (୧୯୮୩), ମହମ୍ମଦ ୟୁସୁଫ୍ (୨୦୦୬), ୟୁନିସ୍ ଖାନ୍ (୨୦୧୪), ମିସବା ଉଲ୍ ହକ୍ (୨୦୧୪) ଏହି କ୍ଲବ୍‌ରେ ଥିଲେ। ମୁଦାସରଙ୍କ ପରେ ମାସୁଦ୍‌ କିନ୍ତୁ ଦ୍ବିତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌।

ଇଂଲଣ୍ଡରେ ପଞ୍ଚମ ପାକିସ୍ତାନୀ
ଇଂଲଣ୍ଡ ମାଟିରେ ଶତକ ହାସଲ କରିବାରେ ସାନ୍ ମାସୁଦ୍‌ ପଞ୍ଚମ ଭାରତୀୟ ହୋଇଛନ୍ତି। ମାସୁଦ (୧୫୬)ଙ୍କ ପୂର୍ବରୁ ମୋହସିନ୍ ଖାନ୍ (୨୦୦, ଲର୍ଡସ, ୧୯୮୨), ମୁଦାସର ନଜର (୧୨୪, ଏଜବା‌ଷ୍ଟନ୍‌, ୧୯୮୭), ଅମିର୍ ସୋହେଲ (୨୦୫, ମା‌ଞ୍ଚେଷ୍ଟର, ୧୯୯୨) ଏବଂ ସଇଦ୍ ଅନୱାର (୧୭୬, ଓଭାଲ, ୧୯୯୬) ଏଭଳି କରିପାରିଥିଲେ। ଗୁରୁବାର ଷ୍ଟୁଆର୍ଟ ବ୍ରଡଙ୍କ ଶିକାର ହେବା ପୂର୍ବରୁ ମାସୁଦ୍‌ ଦୁଇଟି ବଡ଼ ଭାଗୀଦାରିରେ ବାବର ଆଜମଙ୍କ ସହ ୯୬ ରନ୍ ଏବଂ ସଦାବ ଖାନଙ୍କ ସହ ମିଶି ୧୦୫ ରନ୍ ଯୋଡ଼ିବାରୁ ପାକିସ୍ତାନ ନିଜ ସ୍ଥିତି ଦୃଢ଼ କରି ନେଇଥିଲା।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୧୦୯.୩ ଓଭରରେ ୩୨୬ (ସାନ ମାସୁଦ୍‌-୧୫୬, ବାବର ଆଜମ-୬୯, ସଦାବ ଖାନ୍-୪୫, ଷ୍ଟୁଆର୍ଟ ବ୍ରଡ-୩/୫୪, ଜୋଫ୍ରା ଆର୍ଚର-୩/୫୯, କ୍ରିସ୍‌ ୱକ୍ସ-୨/୪୩, ଜେମ୍ସ ଆଣ୍ଡରସନ୍‌-୧/୬୩, ଡୋମିନିକ୍ ବେସ-୧/୭୪)। ଇଂଲଣ୍ଡ ପ୍ରଥମ ପାଳି: ୧୫ ଓଭରରେ ୩୭/୩ (ଓଲି ପୋପ୍‌-୧୮*, ଜୋ ରୁଟ୍‌-୩*, ମହମ୍ମଦ ଆବାସ-୨/୨୪, ସାହିନ୍ ଆଫ୍ରିଦୀ-୧/୭)।

ସମ୍ବନ୍ଧିତ ଖବର