ଭାରତକୁ ଟକ୍କର ଦେବା ପାଇଁ ଇଂଲଣ୍ଡ ପ୍ରସ୍ତୁତ

ବର୍ମିଙ୍ଗ୍‌ହାମ୍‌: ଚଳିତ ବିଶ୍ବକପ୍‌ରେ ଆୟୋଜକ ଇଂଲଣ୍ଡ୍‌ ସେମିଫାଇନାଲ୍‌ ଯିବା ସଂକଟରେ ପଡ଼ିଯାଇଛି। ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ନିକଟରୁ ପରାଜୟ ଏହି ଦାବିଦାର ଦଳର ସବୁ ଅଙ୍କକୁ ବିଗାଡ଼ି ଦେଇଛି। ଫଳରେ ପୂର୍ବତନ ଖେଳାଳିଙ୍କ ସମେତ କ୍ରିକେଟ୍‌ ବିଶେଷଜ୍ଞମାନେ ଇଂଲଣ୍ଡ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ଏପରିକି ସେମିଫାଇନାଲ୍‌ ପୂର୍ବରୁ ବିଦାୟ ନେବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଜନି ବେୟାରଷ୍ଟୋ। ସେମିଫାଇନାଲ୍‌ରୁ ବଞ୍ଚିତ ହେବା ପାଇଁ ଲୋକମାନେ ଅପେକ୍ଷା କରିଛନ୍ତି। କେହି ବି ଆମେ ଜିତୁ ବୋଲି ଚାହୁଁନାହାନ୍ତି। ଆମେ ହାରିଗଲେ ସେମାନଙ୍କୁ ଆହୁରି ତୁଣ୍ଡ ଖୋଲିବାକୁ ସୁଯୋଗ ମିଳିଯିବ ବୋଲି ବେୟାରଷ୍ଟୋ କହିଛନ୍ତି। ତଥାପି ଆମ ହାତରେ ଆଉ ଦୁଇଟି ମ୍ୟାଚ୍‌ ରହିଛି। ଏହି ଦୁଇଟି ମ୍ୟାଚ୍‌ ଜିତିନେଲେ ସେମିଫାଇନାଲ୍‌ ସ୍ଥାନ ପକ୍କା କରିବା ଯଥେଷ୍ଟ ହୋଇଯିବ ଇଂଲଣ୍ଡ ଆଶା ବାନ୍ଧିଛି। ତେବେ ଯେଉଁ ଦୁଇଟି ମ୍ୟାଚ୍‌ ରହିଛି ତାହା ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଭାରତ ଓ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ। ପୁଣି ୧୯୯୨ ପରଠୁ ଇଂଲଣ୍ଡ କେବି ବି ବିଶ୍ବକପ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ୍‌କୁ ହରାଇ ପାରିନାହିଁ। ତେଣୁ ଏଥର ବି ଏହି ଦୁଇ ଦଳ ବିପକ୍ଷରେ ବିଜୟ ହାସଲ କରିବା ଆୟୋଜକ ଦଳ ପାଇଁ ସହଜ ହେବା ନେଇ ସନ୍ଦେହ ରହିଛି। ତେଣୁ ଯଦି ଇଂଲଣ୍ଡ ସେମିଫାଇନାଲ୍‌ ପୂର୍ବରୁ ବିଦା ହୋଇଯାଏ, ତାହାଲେ ବିଶ୍ବକପ୍‌ରେ ଦଳର ସବୁଠୁ ଖରାପ ଅଭିଯାନ ହୋଇ ରହିଯିବ ବୋଲି ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ କହିଛନ୍ତି। ଭନ୍‌ଙ୍କ ଏଭଳି ମନ୍ତବ୍ୟକୁ ବେୟାରଷ୍ଟୋ ନାପସନ୍ଦ କରିଛନ୍ତି। ସମସ୍ତେ ଯେମିତି ଭାବୁଛନ୍ତି, ଆମେ ପଏଣ୍ଟ୍‌ ତାଲିକାର ଅଷ୍ଟମ କି ନବମ ସ୍ଥାନରେ ରହିଛୁ। ହେଲେ ପୂର୍ବରୁ ପାଇଥିବା ସଫଳତା ଭଳି ଆମେ ଆମ ଶୈଳୀ ବଜାୟ ରଖିବୁ ଏବଂ ଏକାପରି ଆକ୍ରମଣାତ୍ମକ କ୍ରିକେଟ୍‌ ଖେଳିବୁ ବୋଲି ବେୟାରଷ୍ଟୋ କହିଛନ୍ତି। ଭାରତ ବିପକ୍ଷ ମ୍ୟାଚ୍‌ ମଜାଦାର ହେବ। ଭାରତକୁ କଡ଼ା ଟକ୍କର ଦେବାକୁ ଆମେ ପୂରା ପ୍ରସ୍ତୁତ ବୋଲି ସେ କହିଛନ୍ତି। ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣରେ ଚମତ୍କାରିତା ଦେଖାଇ ଭାରତକୁ ଚକିତ କରିଦେବୁ ବୋଲି ବେୟାରଷ୍ଟୋ ଦୃଢ଼ ଆଶା ବାନ୍ଧିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଇଂଲଣ୍ଡ ଆସନ୍ତା ରବିବାର ଏଜ୍‌ବାଷ୍ଟନରେ ତା’ର ପରବର୍ତୀ ତଥା ‘କର ବା ମର’ ମ୍ୟାଚ୍‌ରେ ଭାରତକୁ ଭେଟିବ। ଭାରତ ମଧ୍ୟ ଚଳିତ ବିଶ୍ବକପ୍‌ ଅବସରରେ ଇଂଲଣ୍ଡଠୁ ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ଛଡ଼ାଇନେଇଛି। ହେଲେ ଗତବର୍ଷ ଇଂଲଣ୍ଡ ଦଳ ଦ୍ବିପାକ୍ଷିକ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳାରେ ବିରାଟ କୋହଲିଙ୍କ ଭାରତୀୟ ଦଳକୁ କ୍ରମାଗତ ଦଶମ ବିଜୟକୁ ରୋକି ଦେଇଥିଲା। ଗତ ଗ୍ରୀଷ୍ମ ଋତୁରେ ଆମେ ଭାରତ ବିପକ୍ଷରେ ଚମତ୍କାର କ୍ରିକେଟ୍‌ ଖେଳିଥିଲୁ। ଏଥି ସହିତ ଶୃଙ୍ଖଳା ମଧ୍ୟ ଜିତିଥିଲୁ। ଏବେ ଆମେ ସେହି ପ୍ରଦର୍ଶନ ଦୋହରାଇବାର ଚିନ୍ତା କରିଛୁ। ଏପରିକି ଆମ ଖେଳ ପ୍ରଣାଳିରେ କୌଣସି ପରିବର୍ତନ ଆଣିବୁ ନାହିଁ ବୋଲି ବେୟାରଷ୍ଟୋ ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର