ବର୍ମିଂହାମ : ବର୍ମିଂହାମ ଟେଷ୍ଟ ପୁଣି ଏକ ନାଟକୀୟ ମୋଡ଼ ନେଇଛି । ନିଜର ପ୍ରଥମ ଇନିଂସରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଇଂଲଣ୍ଡ ଲଢୁଆ ବ୍ୟାଟିଂ କରି ଭାରତକୁ ଦୃଢ ଜବାବ ଦେଇଛି । ଇଂଲଣ୍ଡର ଦୁଇ ଜଣ ବ୍ୟାଟ୍ସମ୍ୟାନ ହ୍ୟାରୀ ବ୍ରୁକ ଓ ଜେମି ସ୍ମିଥ ଲଡୁଆ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିରାଶ କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ ଶତକ ଅର୍ଜନ କରିବା ସହ ନିଜ ଦଳକୁ ଫଲୋ-ଅନ ପରିସ୍ଥିତିକୁ ବଞ୍ଚାଇବାକୁ ଉଦ୍ୟମ ଚଳାଇଛନ୍ତି । ସ୍ମିଥ ୧୫୦ ରନ ପୂରଣ କରିଥିବାବେଳେ ବ୍ରୁକ ୧୧୮ ରନ କରି ଖେଳୁଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଇଂଲଣ୍ଡ ୫ ଓ୍ବିକେଟ ହରାଇ ୩୨୮ ରନ କରିଛି । ଭାରତ ନିଜର ପ୍ରଥମ ଇନିଂସରେ ୫୮୭ ରନ କରିଥିବାବେଳେ ଫଲୋ-ଅନରୁ ନିଜକୁ ବଞ୍ଚାଇବାକୁ ୩୮୮ ରନ ଆବଶ୍ୟକ ।
ଇଂଲଣ୍ଡ ନିଜର ପ୍ରଥମ ଇନିଂସ ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କ ମୁକାବିଲା କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଫଳରେ ଆରମ୍ଭରୁ ଇଂଲଣ୍ଡ ଦଳ ୮୪ ରନରେ ୫ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ହେରି ବ୍ରୁକ ଓ ଜେମି ସ୍ମିଥ ଦଳକୁ ବିପଦରୁ ଉଦ୍ଧାର କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ଟି ଓ ଆକାଶଦୀପ ୨ଟି ଓ୍ବିକେଟ ନେଇଛନ୍ତି ।