ମାଞ୍ଚେଷ୍ଟର : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୪ର୍ଥ ଟେଷ୍ଟରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି । ଇଂଲଣ୍ଡର ଦୁଇ ଓପନର ବେନ ଡକେଟ୍ ଓ ଜ୍ୟାକ୍ କ୍ରାଉଲି ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୬୬ ରନ କରି ଭାରତୀୟ ଦ୍ରୁତ ବୋଲରମାନଙ୍କୁ ନିରାଶ କରିଥିବାବେଳେ ରବୀନ୍ଦ୍ର ଜାଦେଜା ଭାରତକୁ ପ୍ରଥମ ଓ୍ବିକେଟ ପ୍ରଦାନ କରିଛନ୍ତି । ସେ କ୍ରାଉଲିଙ୍କୁ ଆଉଟ କରିଥିଲେ । କ୍ରାଉଲି ୮୪ ରନ କରିଥିଲେ । ଅନ୍ୟପକ୍ଷରେ ଡକେଟ ୯୪ ରନ କରି ଅଂଶୁଲ କମ୍ବୋଜଙ୍କ ବଲରେ ଆଉଟ ହୋଇଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଇଂଲଣ୍ଡ ୨ଟି ଓ୍ବିକେଟ ହରାଇଥିବାବେଳେ ସ୍କୋର ୨୦୦ ରନ ଟପିଯାଇଛି ।
ଭାରତ ନିଜର ପ୍ରଥମ ଇନିଂସରେ ୩୫୮ ରନରେ ଅଲଆଉଟ ହୋଇଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଦୃଢ ମୂଳଦୂଆ ସ୍ଥାପନ କରିଥିଲେ । ଜୟସ୍ବାଲ ୫୮ ରନ କରିଥିବାବେଳେ ରାହୁଲ ୪୬ରନ କରିଥିଲେ । ସେହିପରି ୩ୟ ସ୍ଥାନରେ ଆସିଥିବା ସାଇ ସୁଦର୍ଶନ ୬୧ ରନ କରିଥିଲେ । ମାତ୍ର ଅଧିନାୟକ ଶୁଭମନ ଗିଲ୍ ମାତ୍ର ୧୨ ରନ କରି ଆଉଟ ହୋଇଥିଲେ । ତେବେ ଋଷଭ ପନ୍ତ ଆହତ ହେବା ସତ୍ତ୍ବେ ୫୪ ରନର ଏକ ବୀରତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ । ଶାର୍ଦ୍ଦୁଲ ଠାକୁର ୪୦ ରନ କରିଥିବାବେଳେ ଓ୍ବାସିଂଟନ ସୁନ୍ଦର ୨୭ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୫ଟି ଓ ଜୋଫ୍ରା ଆର୍ଚର ୩ଟି ଓ୍ବିକେଟ ନେଇଥିଲେ ।