ଇଂଲଣ୍ଡ ଶୃଙ୍ଖଳା ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ଆହ୍ବାନ

ମୁମ୍ବାଇ : ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ଭାରତୀୟ ଦଳ ପାଇଁ ସହଜ ହୋଇନପାରେ। ତେବେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ବଡ଼ ସ୍କୋର୍‌ କରିବାକୁ ପଡ଼ିବ ବୋଲି ଭାରତୀୟ ଦଳ କର୍ତୁପକ୍ଷ ଆଭାସ ଦେଇଛନ୍ତି। ସେଥିପାଇଁ ଟିମ୍‌ ମ୍ୟାନେଜମେଣ୍ଟ ନୂଆ ଧରଣର ପ୍ରଶିକ୍ଷଣ ପ୍ରଣାଳିର ଚିନ୍ତା କରିଛନ୍ତି। ଟେଷ୍ଟ୍‌ ମ୍ୟାଚ୍‌ ଜିତିବା ପାଇଁ ୨୦ ୱିକେଟ୍‌ ଦଖଲ ସବୁବେଳେ ଗୁରୁତ୍ବପୂର୍ଣ୍ଣ ରହିଥିଲେ ମଧ୍ୟ ଖାତାରେ ବିପୁଳ ‌ସ୍କୋର୍‌ ମଧ୍ୟ ଅନୁରୂପ ଭାବେ ଗୁରୁତ୍ବପୂର୍ଣ୍ଣ। ବଡ଼ ସ୍କୋର୍‌ କରିପା‌ରିଲେ ତୁମେ ବୋଲରଙ୍କ ଉପରୁ ଚାପ ହ୍ରାସ କରିପାରିବ ବୋଲି କୁହାଯାଇଛି।

ଇଂଲଣ୍ଡରେ ଭାରତର ଶେଷ ୩ ଟେଷ୍ଟ୍‌ ବିଜୟରେ ଏହା ହିଁ ପ୍ରତିଫଳିତ ହୋଇଥିଲା। ୨୦୦୭ ଓ ୨୦୧୮ ନଟିଂହାମ୍‌ ଏବଂ ୨୦୧୪ ଲର୍ଡସ ଟେଷ୍ଟ୍‌ରେ ବଡ଼ ସ୍କୋର୍‌ ହିଁ ବୋଲରଙ୍କୁ ତାଙ୍କ କାମ କରିବାକୁ ସହଜ କରିଦେଇଥିଲା। ୨୦୦୭ରେ ଜାହିର ଖାନ୍‌ ୪୮ ଓଭର ବୋଲିଂ କରି ୯ ୱିକେଟ୍‌ ଦଖଲ କରିଥିଲେ। କିନ୍ତୁ ଏହା ପୂର୍ବରୁ ଶୀର୍ଷକ୍ରମର ୫ ବ୍ୟାଟ୍‌ସମ୍ୟାନ୍‌ ଅର୍ଦ୍ଧଶତକ ଜମାଇଥିବାରୁ ପ୍ରଥମ ପାଳିରେ ଭାରତ ୪୮୧ ରନ୍‌ ସ୍କୋର୍‌ କରିଥିଲା।

ସେରିପରି ୨୦୧୪ରେ ଭୁବନେଶ୍ବର କୁମାର ଏବଂ ଈଶାନ୍ତ ଶର୍ମା ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ପାଳିରେ ୬ ଓ ୭ ୱିକେଟ୍‌ ଝଟ୍‌କାଇଥିଲେ। ହେଲେ ଆଜିଙ୍କ୍ୟ ରହାଣେଙ୍କ ପ୍ରଥମ ପାଳି ଶତକ ବଳରେ ଭାରତ ୨୫୦ ସ୍କୋର୍‌ ଟପି ଯାଇଥିଲା। ପୁଣି ତିନ ଅର୍ଦ୍ଧଶତକ ସାଙ୍ଗକୁ ଦୁଇଟି ଅର୍ଦ୍ଧଶତକ ପାଖାପାଖି ସ୍କୋର୍‌ ଯୋଗୁଁ ଇଂଲଣ୍ଡ ସମ୍ମୁଖରେ ୩୬୬ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ଯାହାକି ଭାରତ ବିଜୟରେ ସହାୟକ ହୋଇଥିଲା। ପୁଣି ୨୦୧୮ରେ ଯଶ୍‌ପ୍ରିତ୍‌ ବୁମ୍‌ରା ୨୯ ଓଭର ବୋଲିଂ କରି ୫ ୱିକେଟ୍‌ ସଫଳତା ପାଇଥିଲେ। କିନ୍ତୁ ପ୍ରଥମ ପାଳି ଅଗ୍ରଣୀ ପରେ ବିରାଟ କୋହଲିଙ୍କ ଦ୍ବିତୀୟ ପାଳି ଶତକ ବଳରେ ଭାରତ ୫୨୦ ରନ୍‌ର ବଡ଼ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ଛାଡ଼ିଥିଲା। ଶେଷରେ ମ୍ୟାଚ୍‌ ଜିତିଥିଲା।

ଏବେ ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରୁ ଭାରତ ହିଁ ଇଂଲଣ୍ଡ ଗସ୍ତ ଆରମ୍ଭ କରିବାକୁ ଥିଲା ବେଳେ ପଛକୁ ପଛ ଘରୋଇ ଦଳ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରେ ଭାରତୀୟ ଦଳର ବ୍ୟାଟିଂକ୍ରମ ଉପରେ ନଜର ରହିଛି। ଶେଷ ତିନି ଟେଷ୍ଟ୍‌ ବିଜୟର କାରଣ ଖୋଜି ବ୍ୟାଟ୍‌ସମ୍ୟାନ୍‌ମାନେ ବଡ଼ ସ୍କୋର୍‌ ଦେଇପାରିଲେ ହିଁ ବୋଲରମାନେ ‌ସେମାନଙ୍କ କାର୍ଯ୍ୟ ସହଜରେ କରିପାରିବେ ବୋଲି କୁହାଯାଇଛି। କିନ୍ତୁ ଭାରତୀୟ ଶୀର୍ଷକ୍ରମ ବ୍ୟାଟ୍‌ସମ୍ୟାନ୍‌ମାନେ ବଡ଼ ଶତକ ଜମାଇବାରେ ନିକଟରେ ସଫଳ ହୋଇନାହାନ୍ତି। ୧୩ ପାଳି ପୂର୍ବରୁ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଶତକଟିଏ ଦେଖିବାକୁ ମିଳିଥିଲା। ଶେଷଥର ପାଇଁ ସେ ୨୦୧୯ ନଭେମ୍ବର ୨୩ରେ କୋଲ୍‌କାତାରେ ବାଂଲାଦେଶ ବିପକ୍ଷରେ ୧୩୬ ରନ୍‌ କରିଥିଲେ। ଏବେ ୧୨ ପାଳି ଧରି ଶତକଶୂନ୍ୟ ରହିଛନ୍ତି।

ଶୁଭମନ୍‌ ଗିଲ୍‌ ମଧ୍ୟ ୧୩ ପାଳି ଖେଳିସାରିଥିଲା ବେଳେ ଶତକଟିଏ ହାସଲ କରିପାରିନାହାନ୍ତି। ୨୦୧୮ ଏବଂ ବର୍ତମାନ ମଧ୍ୟରେ ଆଜିଙ୍କ୍ୟ ରହାଣେ ୫୦ ପାଳି ଖେଳି ୩ ଟେଷ୍ଟ୍‌ ଶତକ ଜମାଇଛନ୍ତି। ଅବଶ୍ୟ ଗତ ଡିସେମ୍ବରରେ ଏମ୍‌ସିଜିରେ ତାଙ୍କର ଏକ ଶତକ (୧୧୨) ବ୍ୟର୍ଥ ଯାଇଥିଲା। ତେବେ ସେ ବି ଇତି ମଧ୍ୟରେ ୧୧ ପାଳି ଧରି ଶତକଶୂନ୍ୟ ରହିଛନ୍ତି। ସେହିପରି ଚେତେଶ୍ବର ପୂଜାରାଙ୍କଠୁ ଶେଷ ଶତକ ୨୦୧୯ ଜାନୁଆରି ୩ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ସିଡ୍‌ନି ଟେଷ୍ଟ୍‌ରେ ମିଳିଥିଲା। ସେହି ଟେଷ୍ଟ୍‌ରେ ୧୯୩ ରନ୍‌ କରିଥିବା ପୂଜାରା ଶେଷ ୨୮ ପାଳିରେ ଶତକଶୂନ୍ୟ ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୨୦୧୯ରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷ‌ରେ ଏବଂ ନିକଟରେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ୧୬୧ ରନ୍‌ର ଦୁଇଟି ଶତକୀୟ ପାଳି ଖେଳିଛନ୍ତି। ଅନ୍ୟ କୌଣସି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ୧୫୦ରୁ ଅଧିକ ସ୍କୋର୍‌ କରିପାରିନାହାନ୍ତି। ତେବେ ଇଂଲଣ୍ଡରେ ସେ ମାତ୍ର ୨ ଟେଷ୍ଟ୍‌ ଖେଳିଥିଲା ବେଳେ ଶତକ କିମ୍ବା ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି।

ଶେଷ ଥର ପାଇଁ କୌଣସି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବେ ବିରାଟ କୋହଲିଙ୍କଠୁ ବଡ଼ ପାଳି ଦେଖିବାକୁ ମିଳିଥିଲା। ୧୯ ମାସ ତଳେ ସେ ପୁନେରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୨୫୪ ରନ୍‌ କରିଥିଲେ। ଯୁବ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ ଇଂଲଣ୍ଡ ବିପକ୍ଷରେ ୩ ଟେଷ୍ଟ୍‌ ଖେଳିଥିଲେ ମଧ୍ୟ ସବୁତକ ଘରୋଇ ମାଟିରେ। ଅହମଦାବାଦରେ ଚଳିତ ବର୍ଷ ମାର୍ଚ୍ଚରେ ସେ ୧୦୧ ରନ୍‌ କରିଥିଲେ। ଅନ୍ୟପକ୍ଷରେ ଶୁଭମନ ଗିଲ୍‌ ମଧ୍ୟ ଇଂଲଣ୍ଡରେ ଆଦୌ ଖେଳିନାହାନ୍ତି।

ତେବେ ଏବେ ସବୁକିଛି ପରିବେଶ ଓ ପରିସ୍ଥିତିକୁ ଭଲ ଭାବେ ବୁଝି ଖେଳିବା ଭାରତୀୟ ଦଳ ପାଇଁ ଶ୍ରେୟସ୍କର ହେବ। ଘରୋଇ ଇଂଲଣ୍ଡ ଦଳର ବୋଲରଙ୍କୁ ଠିକ୍‌ ଭାବେ ପରଖି ସାମର୍ଥ୍ୟ ମୁତାବକ ଖେଳିଲେ ବଡ଼ ସ୍କୋର୍‌ ନିଶ୍ଚିତ ଆସିପାରିବ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ବୁଝାଇଛି।

ସମ୍ବନ୍ଧିତ ଖବର