ଦ୍ବିତୀୟ ପାଳିରେ ଦମ୍ଭ ଦେଖାଇଲା ଇଂଲଣ୍ଡ

ଟେଷ୍ଟ୍‌ ଡବଲ୍‌ ଅର୍ଜନରେ ଷ୍ଟୋକ୍ସ ଦ୍ବିତୀୟ ଦ୍ରୁତତମ ଅଲ୍‌ରାଉଣ୍ଡର

ସାଉଥାମ୍ପଟନ୍‌: ଦ୍ବିତୀୟ ପାଳିରେ ଦମ୍ଭ ଦେଖାଇଛି ଇଂଲଣ୍ଡ। ଫଳରେ ରୋଜ୍‌ବାଉଲ୍‌ରେ ଚାଲିଥିବା ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଚମତ୍କାର ପ୍ରତ୍ୟାବର୍ତନ କରିଛି କାମଚଳା ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଘରୋଇ ଦଳ। ଇଂଲଣ୍ଡର ପ୍ରଥମ ପାଳି ୨୦୪ ରନ୍ ଜବାବରେ ଜାସନ୍ ହୋଲଡରଙ୍କ ଦଳ ୩୧୮ ରନ୍ କରିନେଇଥିଲା। ପ୍ରଥମ ପାଳିରେ ୧୧୪ ରନ୍ ପଛରେ ପଡ଼ିଥିଲେ ମଧ୍ୟ ଚତୁର୍ଥ ଦିନ ‌ଖେଳ ଶେଷ ଖବର ମିଳିବା ବେଳକୁ ଇଂଲଣ୍ଡ ୫ ୱିକେଟ୍‌ ବିନିମୟରେ ୨୬୦ ରନ୍ ସଂଗ୍ରହ କରିନେଇଥିଲା। ଏଥି ସହିତ ହାତରେ ୫ ୱିକେଟ୍‌ ଥାଇ ଇଂଲଣ୍ଡ ୧୪୬ ରନ୍‌ରେ ଆଗୁଆ ‌ହୋଇଥିବାରୁ ଚାପ ୱେଷ୍ଟଇଣ୍ଡିଜ୍ ଉପରକୁ ଫେରିଛି।

ଶନିବାର ଇଂଲଣ୍ଡ ୧୫/୦ରୁ ଖେଳ ଆରମ୍ଭ କରିବା ବେଳକୁ ଆହୁରି ୯୯ ରନ୍ ପଛରେ ରହିଥିଲା। ପ୍ରାରମ୍ଭିକ ଯୋଡ଼ି ରୋରି ବର୍ନସ (୪୨, ୧୦୪ ବଲ୍‌, ୫ ଚୌକା) ଏବଂ ଡୋମିନିକ୍ ସିବଲେ (୫୦, ୧୬୪ ବଲ୍‌, ୪ ଚୌକା) ପ୍ରଥମ ୱିକେଟ୍ ପାଇଁ ୭୨ ରନ୍ ଉଠାଇଥିଲେ। ସ୍ପିନର୍‌ ରସ୍ତନ ଚେଜ୍‌ ଆସିବା ପରେ ବର୍ନସଙ୍କ ୱିକେଟ୍‌ ସହ ଭାଗୀଦାରିକୁ ଅଲଗା କରିଥିଲେ। ଏହା ପରେ ‌ଜୋ ଡେନଲି (୨୯, ୭୦ ବଲ୍, ୩‌ ଚୌକା)ଙ୍କୁ ନେଇ ସିବଲେ ଆଉ ୪୧ ରନ୍ ଯୋଡ଼ିଥିଲେ। ଡେନଲିଙ୍କୁ ଚେଜ୍‌ ନିଜ ଦ୍ବିତୀୟ ଶିକାର କରିଥିଲେ। ୧୫୧ ରନ୍‌ରେ ଇଂଲଣ୍ଡ ୩ ୱିକେଟ୍ ହରାଇଥିଲା। ଏହା ପରେ ଜାକ୍ କ୍ରଲି (୭୬, ୧୨୭ ବଲ, ୮‌ ଚୌକା) ଏବଂ ବେନ୍ ‌‌ଷ୍ଟୋକ୍ସ (୪୬, ୭୫ ବଲ, ୬ ଚୌକା) ଚତୁର୍ଥ ୱିକେଟ୍ ଭାଗୀଦାରିରେ ୯୮ ରନ୍‌ ଯୋଡ଼ି ଇଂଲଣ୍ଡକୁ ଦୃଢ଼ ସ୍ଥିତି ଆଡକୁ ନେଇଯାଇଛନ୍ତି। ବେନ୍ ଷ୍ଟୋକ୍ସଙ୍କୁ ହୋଲଡ୍‌ର ଉଭୟ ପାଳିରେ ଆଉଟ୍ କରି ଅର୍ଧଶତକରୁ ବଞ୍ଚିତ ରଖିଥିଲେ। ପରବର୍ତୀ ଓଭରରେ କ୍ରଲିଙ୍କୁ ଅଲଜାରି ଯୋସେଫ୍‌ ବିଦା କରିଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୨୦୪ (ବେନ୍‌ ଷ୍ଟୋକ୍ସ-୪୩, ଜୋସ୍ ବଟଲର୍‌-୩୫, ଡୋମିନିକ୍‌ ବେସ୍-୩୧*, ଜାସନ୍ ହୋଲଡର-୬/୪୨, ସାନନ୍ ଗାବ୍ରିଏଲ୍‌-୪/୬୨)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୧୦୨ ଓଭରରେ ୩୧୮ (କ୍ରେଗ୍ ବ୍ରାଥ୍‌ୱେଟ୍-୬୫, ସନ୍ ଡାଓରିଚ୍‌-୬୧, ରସ୍ତନ ଚେଜ୍‌-୪୭, ବେନ୍ ‌ଷ୍ଟୋକ୍ସ-୪/୪୯, ଜେମ୍ସ ଆଣ୍ଡରସନ୍-୩/୬୨,‌ ଡୋମିନିକ୍ ବେସ୍‌-୨/୫୧, ମାର୍କ ଉଡ୍‌-୧/୭୪ )। ଇଂଲଣ୍ଡ ଦ୍ବିତୀୟ ପାଳି: ୯୩ ଓଭରରେ ୨୬୦/୫ (ଜାକ୍ କ୍ରଲି-୭୬, ଡୋମିନିକ୍‌ ସିବଲେ-୫୦, ବେନ୍ ଷ୍ଟୋକ୍ସ-୪୬, ରୋରି ବର୍ନସ-୪୨, ଜୋ ଡେନଲି-୨୯, ଓଲି ପେପ୍‌-୨*, ଜୋସ୍‌ ବଟ୍ଟଲର୍‌-୫*, ରସ୍ତନ୍ ଚେଜ୍‌-୨/୭୧, ଜାସନ୍ ହୋଲଡର-୧/୨୯, ଅଲଜାରି ଯୋସେଫ୍‌-୧/୩୯, ସାନନ୍ ଗାବ୍ରିଏଲ୍‌-୧/୫୯)।

ଟେଷ୍ଟ୍‌ ଡବଲ୍‌ ଅର୍ଜନରେ ଷ୍ଟୋକ୍ସ ଦ୍ବିତୀୟ ଦ୍ରୁତତମ ଅଲ୍‌ରାଉଣ୍ଡର
ଇଂଲଣ୍ଡର କାମଚଳା ଅଧିନାୟକ ବେନ୍‌ ଷ୍ଟୋକ୍ସ ଟେଷ୍ଟ୍‌ ଡବଲ୍‌ (୪୦୦୦ ରନ୍‌ ଏବଂ ୧୫୦ ୱିକେଟ୍‌) ମାଇଲଖୁଣ୍ଟ୍‌ ଛୁଇଁବାରେ ଦ୍ବିତୀୟ ଦ୍ରୁତତମ ଅଲ୍‌ରାଉଣ୍ଡର ବିବେଚିତ ହୋଇଛନ୍ତି। ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ ପ୍ରଥମ ପାଳିରେ ୪ ୱିକେଟ୍‌ ଅକ୍ତିଆର କରିବା ପରେ ଶୁକ୍ରବାର ଷ୍ଟୋକ୍ସ ଏଭଳି ଗୌରବ ହାସଲ କରିଛନ୍ତି। ଇଣ୍ଡିଜ୍‌ ପ୍ରଥମ ପାଳିରେ ସେ ୧୪ ଓଭରରେ ୫ ମେଡେନ୍‌ ସହ ୪/୪୯ର ବୋଲିଂ ଚିତ୍ର ପାଇଥିଲେ। ଇଣ୍ଡିଜ୍‌ର ନିମ୍ନକ୍ରମ ବ୍ୟାଟ୍‌ସମ୍ୟାନ୍‌ ଆଲ୍‌ଜେରି ଜୋସେଫ୍‌ଙ୍କୁ ଆଉଟ୍‌ କରିବା ପରେ ଷ୍ଟୋକ୍ସ ଟେଷ୍ଟ୍‌ରେ ୪୦୦୦ ରନ୍‌ ଏବଂ ୧୫୦ ୱିକେଟ୍‌ ଦଖଲ କରିବାରେ ପୂର୍ବତନ ଇଂଲଣ୍ଡ ଅଲ୍‌ରାଉଣ୍ଡର ଇଆନ୍‌ ବୋଥାମ୍‌ଙ୍କ ସହ ଅନ୍ୟ ୪ ମହାନ୍‌ଙ୍କ କ୍ଲବ୍‌ରେ ସାମିଲ ହୋଇଥିଲେ। ତେବେ ଷ୍ଟୋକ୍ସ ଏହି ଟେଷ୍ଟ୍‌ ଡବଲ୍‌ ଅର୍ଜନ କରିବା ପାଇଁ ୬୪ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ଉପରକୁ ଏକମାତ୍ର ଅଲ୍‌ରାଉଣ୍ଡର ଭାବେ ୱେଷ୍ଟଇଣ୍ଡିଜ୍‌ ମହାନ୍‌ ଗ୍ୟାରି ସୋବର୍ସ ହିଁ ରହିଛନ୍ତି। ସୋବର୍ସ ୬୩ତମ ‌ଟେଷ୍ଟ୍‌ରେ ହିଁ ଏଭଳି ଡବଲ୍‌ ଅର୍ଜନ କରିଥିଲେ। ସୋବର୍ସ, ବୋଥାମ୍‌ ଏବଂ ଷ୍ଟୋକ୍ସଙ୍କ ବ୍ୟତୀତ ପୂର୍ବତନ ଦକ୍ଷିଣ ଆଫ୍ରିକା ତାରକା ଜାକ୍ସ କାଲିସ୍‌, ଭାରତର କିଂବଦନ୍ତି କପିଳ ଦେବ ଏବଂ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ଡାନିଏଲ୍‌ ଭିଟୋରି ମଧ୍ୟ ଏହି ତାଲିକାରେ ରହିଛନ୍ତି।

ସମ୍ବନ୍ଧିତ ଖବର