ଗୁଆହାଟୀ: ଚଳିତ ମହିଳା ଦିନିକିଆ ବିଶ୍ବକପ୍‌ର ସେମିଫାଇନାଲ୍‌ ଲଢ଼େଇ ବୁଧବାର ଖେଳାଯିବ। ଗୁଆହାଟୀରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ୍‌ରେ ୪ ଥର ବିଶ୍ବ ବିଜେତା ଇଂଲଣ୍ଡକୁ ଭେଟିବ ପ୍ରଥମ ବିଶ୍ବକପ୍‌ ଆଶାରେ ଥିବା ଦକ୍ଷିଣ ଆଫ୍ରିକା। କେବେ ବିଶ୍ବକପ୍‌ ଫାଇନାଲ୍‌ ଖେଳି ନଥିବା ଦକ୍ଷିଣ ଆଫ୍ରିକା ଚଳିତ ସଂସ୍କରଣ ଲିଗ୍‌ ପର୍ଯ୍ୟାୟର ପ୍ରଥମ ଓ ଶେଷ ମ୍ୟାଚ୍‌ରେ ହାରିଥିଲା। ଏହି ଦୁଇଟି ଯାକ ପରାଜୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ପାଇଥିଲା ବଡ଼ ବ୍ୟବଧାନରେ। ଉଭୟ ମ୍ୟାଚ୍‌ରେ ଏହାର ବ୍ୟାଟିଂ ଲାଇନ୍‌ ପୂରା ଭୁଶୁଡ଼ି ଯାଇଥିଲା। ଇଂଲଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ମାତ୍ର ୬୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଯାହାକୁ ଇଂଲଣ୍ଡ ବିନା କ୍ଷତିରେ ୧୪.୧ ଓଭରରେ ହାସଲ କରିଥିଲା। ଶେଷ ଲିଗ୍‌ ମ୍ୟାଚ୍‌ରେ ୯୭ ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ଅଷ୍ଟ୍ରେଲିଆ ୧୬.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଉଭୟ ମ୍ୟାଚ୍‌ରେ ଏହାର ବ୍ୟାଟର୍‌ ସ୍ପିନ୍‌ ବିପକ୍ଷରେ ଖେଳିବାରେ  ସଂଘର୍ଷ କରିଥିଲେ। ତେଣୁ ପ୍ରଥମ ଥର ବିଶ୍ବକପ୍‌ ଜିତିବା ଆଶାରେ ଥିବା ଲୌରା ଓଲ୍‌ଭର୍ଟଙ୍କ ଦଳ ଏହି ଭୁଲ୍‌ ସୁଧାରି ସେମିଫାଇନାଲ୍‌ରେ ନିଜର ବ୍ୟାଟିଂ କରାମତି ଦେଖାଇବାକୁ ଚେଷ୍ଟା କରିବ। ଏହି ଦୁଇ ମ୍ୟାଚ୍‌ ଛାଡ଼ି ଦେଲେ ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଏହାର ବ୍ୟାଟର୍‌ ଭଲ କରିଥିଲେ। ଓଲ୍‌ଭର୍ଟ ୭ ମ୍ୟାଚ୍‌ରୁ ୫୦.୧୬ ହାର ଓ ୩ ଅର୍ଦ୍ଧଶତକ ସହ ୩୦୧ ରନ୍‌ କରିଛନ୍ତି। ତଞ୍ଜିମ ବ୍ରିଟ୍ସ ଗୋଟିଏ ଶତକୀୟ ପାଳି ଖେଳିଥିଲା ବେଳେ ସୁନ୍ ଲୁସ (୧୫୭) ଓ ମାରିଜାନ୍ କାପ୍‌ (୧୬୨) ଭଲ କରିଛନ୍ତି। ଏଥିସହ ଦଳ ଇଂଲଣ୍ଡଠୁ ଲିଗ୍‌ ପରାଜୟର ପ୍ରତିଶୋଧ ନେବା ସହ ପ୍ରଥମ ଥର ଫାଇନାଲ୍‌ ଖେଳିବା ଲକ୍ଷ୍ୟରେ ରହିଛି। 

Advertisment

ଅନ୍ୟପକ୍ଷରେ ଚଳିତ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରି‌ ସେମିଫାଇନାଲ୍‌ରେ ପହଞ୍ଚିଛି ନାଟ୍‌ ଶ୍ଚିଭର-ବ୍ରଣ୍ଟ୍‌ଙ୍କ ଦଳ। ଏହି ଦଳ କେବଳ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସାମ୍ନା କରିଥିଲା। ଲିଗ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୦ ୱିକେଟ୍‌ରେ ଏହି ଭେନ୍ୟୁରେ ହରାଇଥିବାରୁ ପୂରା ଆତ୍ମବିଶ୍ବାସରେ ରହିଛି। ହିଦର ନାଇଟ୍‌ (୨୮୮), ୱିକେଟ୍‌ରକ୍ଷକ ବ୍ୟାଟର୍‌ ଆମି ଜୋନ୍ସ (୨୨୦) ମଧ୍ୟଭାଗରେ ଭଲ ଖେଳୁଥିଲା ବେଳେ ଓପନ୍‌ର ଟମି ବିଉମୋଣ୍ଟ୍‌ (୨୧୦)ଙ୍କ ପ୍ରଦର୍ଶନ ଅସ୍ଥିର ରହିଛି।

ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ: ନାଟ୍‌ ଶ୍ଚିଭର-ବ୍ରଣ୍ଟ୍‌ (ଅଧିନାୟକ), ଆମି ଜୋନ୍ସ, ଟମି ବିଉମୋଣ୍ଟ୍‌, ହିଦର ନାଇଟ୍‌, ସୋଫିଆ ଡଙ୍କଲି, ଏମା ଲାମ୍ବ, ଆଲିସ କ୍ୟାପ୍‌ସି, ଚାର୍ଲି ଡିନ୍‌, ସୋଫି ଏସେଲଷ୍ଟୋନ୍‌, ଲିନ୍‌ସି ସ୍ମିଥ୍‌, ‌ଲୌରେନ୍‌ ବେଲ।
ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: ଲୌରା ଓଲଭାର୍ଟ (ଅଧିନାୟକ), ତଞ୍ଜିମ ବ୍ରିଟ୍ସ, ସୁନ ଲୁସ୍‌, ମାରିଜାନ୍ କାପ୍‌, ଅନେକା ବୋଚ୍‌, ସିନାଲୋ ଜାଫ୍‌ଟା, ଚ୍ଲୋଏ ଟ୍ରୋଏନ୍‌, ନଦିନେ ଡି’କ୍ଲାର୍କ, ଆୟାବୋଙ୍ଗା ଖାକା, ତୁମି ‌ସେଖୁଖୁନେ, ନନ୍‌କୁଲୁଲେକୋ ମଲାବା। women-world-cup | world-cup