ଇଂଲଣ୍ଡ୍‌-ସ୍ପେନ୍‌ ଫାଇନାଲ୍‌

କୋଲ୍‌କାତା/ନଭି ମୁମ୍ବାଇ: ଚଳିତ ଫିଫା ବିଶ୍ୱକପ୍‌ (୧୭ ବର୍ଷରୁ କମ)ର ଫାଇନାଲ୍‌ରେ ଶନିବାର ଇଂଲଣ୍ଡ ସହିତ ସ୍ପେନର ମୁକାବିଲା ହେବ। ବୁଧବାର ପ୍ରଥମ ସେମିଫାଇନାଲ୍‌ରେ ଇଂଲଣ୍ଡ୍‌ ୩-୧ରେ ବ୍ରାଜିଲ୍‌କୁ ଏବଂ ଦ୍ୱିତୀୟ ସେମିଫାଇନାଲ୍‌ରେ ସ୍ପେନ ସମାନ ୩-୧ରେ ମାଲିକୁ ପରାସ୍ତ କରିବାର ଫଳରେ ଦୁଇ ୟୁରୋପୀୟ ଦେଶ ମଧ୍ୟରେ ଫାଇନାଲ୍‌ ଖେଳାଯିବା ନିଶ୍ଚିତ ହୋଇଛି। କ୍ୱାର୍ଟର୍‌ ଫାଇନାଲ୍‌ରେ ହ୍ୟାଟ୍ରିକ୍‌ ସହ ସେମିଫାଇନାଲ୍‌ ପହଞ୍ଚାଇଥିବା ରିଆନ୍‌ ବ୍ରିଉଷ୍ଟର ବୁଧବାର ବ୍ରାଜିଲ୍‌ ବିପକ୍ଷରେ ପୁଣି ହ୍ୟାଟ୍ରିକ୍‌ ଗୋଲ୍‌ ଦେଇ ଇଂଲଣ୍ଡକୁ ୩-୧ ବିଜୟ ଭେଟି ଦେଇଥିଲେ। ଏଥିସହ ବ୍ରିଉଷ୍ଟର ଚଳିତ ପ୍ରତିଯୋଗିତାରେ ଦ୍ୱିତୀୟ ହ୍ୟାଟ୍ରିକ୍‌ ପାଇଛନ୍ତି ଏବଂ ଇଂଲଣ୍ଡ ପ୍ରଥମ ଥର ବିଶ୍ୱକପ୍‌ ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ସ୍ପେନ୍‌-ଇଂଲଣ୍ଡ ମୁକାବିଲା ମଧ୍ୟ ଗତ ୟୁଫା ୟୁରୋପୀୟ କପ୍‌ ଫାଇନାଲ୍‌ରୁ ପୁନରାବୃତ୍ତି ଭଳି ହୋଇଛି।

କୋଲ୍‌କାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଷ୍ଟାଡିୟମରେ ବୁଧବାର ଖେଳା ଯାଇଥିବା ମ୍ୟାଚ୍‌ରେ ଲିଭରପୁଲର ଷ୍ଟ୍ରାଇକର ରିଆନ୍‌ ବ୍ରିଉଷ୍ଟର ଦଶମ ମିନିଟ୍‌ରେ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ। ୨୧ତମ ମିନିଟ୍‌ରେ ବ୍ରାଜିଲର ଓ୍ଵିସ୍‌ଲେ ଏହି ଗୋଲ୍‌ଟିକୁ ଶୁଝି ସ୍ଥିତି ସମାନସ୍ତରକୁ ଆଣିଥିଲେ। ୩୯ତମ ମିନିଟ୍‌ରେ ଷ୍ଟିଭେନ୍‌ ସେସେଗ୍‌ନନ୍‌ଙ୍କ ଏକ ପାସ୍‌କୁ ବ୍ରିଉଷ୍ଟର ଗୋଲ୍‌ ପୋଷ୍ଟ୍‍କୁ ପଠାଇ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ସହ ପ୍ରଥାମର୍ଧରେ ଇଂଲଣ୍ଡକୁ ୨-୧ରେ ଆଗୁଆ କରି ନେଇଥିଲେ। ଦ୍ୱିତୀୟାର୍ଧରେ ବ୍ରିଉଷ୍ଟର (୭୭ ମିନିଟ୍‌) ଆଉ ଏକ ଗୋଲ୍‌ ଦେଇ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହ ଚଳିତ ପ୍ରତିଯୋଗିତାରେ ନିଜର ଗୋଲ୍‌ ସଂଖ୍ୟା ୭ରେ ପହଞ୍ଚାଇଥିଲେ।

ନଭି ମୁମ୍ବାଇର ଡିଓ୍ଵାଇ ପାଟିଲ୍‌ ଷ୍ଟାଡିୟମରେ ବୁଧବାର ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ସ୍ପେନ ମଧ୍ୟ ଏକତରଫା ଭାବେ ୩-୧ ଗୋଲ୍‌ରେ ମାଲିକୁ ପରାସ୍ତ କରିଥିଲା। ଆବେଲ୍‌ ରୁଇଜ୍‌ଙ୍କ ଯୁଗଳ ଗୋଲ୍‌ ଦଳକୁ ବିଜୟୀ କରାଇଥିଲା। ରୁଇଜ୍‌ଙ୍କ ୧୯ତମ ମିନିଟ୍‌ ପେନାଲ୍‌ଟି ଗୋଲ୍‌ ଆଗୁଆ କରାଇଥିଲା। ୪୩ତମ ମିନିଟ୍‌ରେ ସେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ଦେଇ ପ୍ରଥମାର୍ଧ ସୁଦ୍ଧା ଦଳକୁ ୨-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟାର୍ଧରେ ଟୋରେସ୍‌ ଫେରାନ୍‌ (୭୧ ମିନିଟ୍‌) ଦଳକୁ ୩-୦ରେ ଆଗୁଆ କରିଥିଲେ। ମାଲି ପକ୍ଷରୁ ଲସାନା ଏନ୍‌ଡିୟେ ୭୪ ମିନିଟ୍‌ରେ ଏକମାତ୍ର ଗୋଲ୍‌ ପରିଶୋଧ କରିଦେଇଥିଲେ। ଶନିବାର କୋଲ୍‌କାତାର ସଲ୍‌ଟଲେକ୍‌ସ୍ଥିତ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଫାଇନାଲ୍‌ ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ। ଏହା ପୂର୍ବରୁ ଅପରାହଣ୍‌ରେ ବ୍ରାଜିଲ୍‌-ମାଲି କାଂସ୍ୟ ପଦକ ପାଇଁ ଲଢ଼ିବେ।

ସମ୍ବନ୍ଧିତ ଖବର