ଶ୍ରୀଲଙ୍କାକୁ ମୂଳପୋଛ କରି ଇଂଲଣ୍ଡ ଦେଲା ଚେତାବନୀ: ଦ୍ବିତୀୟ ଟେଷ୍ଟ୍‌ର ନାଟକୀୟ ଫଳାଫଳ, ୬ ୱିକେଟ୍‌ରେ ହାରିଲା ସିଂହଳୀ ଦଳ

ଗଲ୍: ପ୍ରଥମ ପାଳିରେ ଆଗୁଆ ରହିବା ସତ୍ତ୍ବେ ଦ୍ବିତୀୟ ପାଳିର ନାଟକୀୟ ବିପର୍ଯ୍ୟୟ ପାଇଁ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌କୁ ଘରୋଇ ଶ୍ରୀଲଙ୍କା ୬ ୱିକେଟ୍‌ରେ ହାରି ଯାଇଛି। ତିନି ଦିନ ପର୍ଯ୍ୟନ୍ତ ଦୃଢ଼ ସ୍ଥିତିରେ ରହିବା ପରେ ଚତୁର୍ଥ ଦିନର ୮୧.୧ ଓଭର ଖେଳରେ ସିଂହଳୀ ଦଳର ଏହି ଅପ୍ରତ୍ୟା‌ଶିତ ପରାଜୟ କେବଳ ପ୍ରଶଂସକ ନୁହେଁ କ୍ରିକେଟ୍ ପଣ୍ଡିତମାନଙ୍କୁ ବି ଚକିତ କରିଛି। ବିଶ୍ବକପ୍ ବିଜୟୀ ଇଂଲଣ୍ଡ କିନ୍ତୁ ଆଉ ଏକ ଶୃଙ୍ଖଳା ନିଜ ନାଁରେ କରି ନେଇଛି। ସବୁ ଦିଗରୁ ଉନ୍ନତ କ୍ରିକେଟ୍ ଖେଳି ୨-୦ର ଏକତରଫା ଶୃଙ୍ଖଳା ବିଜୟ ହାସଲ କରିନେଇଛି। ଭାରତ ବିପକ୍ଷ ଚାରି ଟିକିଆ ଶୃଙ୍ଖଳା ପୂର୍ବରୁ ନିଜ ମନୋବଳ ବଢ଼ାଇ ପାରିଛି। ଏହି ଆଧିପତ୍ୟଭରା ବିଜୟ ସହ ନିକଟରେ ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ୨-୧ରେ ପରାସ୍ତ କରି ଇତିହାସ ରଚିଥିବା ଭାରତୀୟ କ୍ରିକେଟ୍ ଦଳକୁ ପରୋକ୍ଷ ଚେତାବନୀ ଦେଇଛି ଇଂଲଣ୍ଡ। ଭାରତୀୟ ଉପମହାଦେଶୀୟ ପିଚ୍‌‌ରେ ମଧ୍ୟ ଯେ କୌଣସି ଏସୀୟ ଦଳକୁ ହରାଇବାର ଦକ୍ଷତା ତା’ ପାଖରେ ଅଛି ବୋଲି ଜଣାଇ ଦେଇଛି ଏହି ଦଳ।

ସେପଟେ ଦୁଇ ଟିକିଆ ଶୃଙ୍ଖଳାର ଉଭୟ ମ୍ୟାଚ୍ ହାରି ଶ୍ରୀଲଙ୍କା ଶୃଙ୍ଖଳା ବଞ୍ଚାଇବାର ସୁଯୋଗ ହାତଛଡ଼ା କରିବା ସହ ଘରୋଇ ପରିବେଶରେ ଆଉ ଏକ ମୂଳପୋଛର ସମ୍ମୁଖୀନ ହୋଇଛି। ଶ୍ରୀଲଙ୍କାର ଏହି ଲଜ୍ଜାଜନକ ପରାଜୟରେ ଇଂଲଣ୍ଡର ଦୁଇ ଆଗଧାଡ଼ିର ସ୍ପିନର ଜ୍ୟାକ୍ ଲିଚ୍ ଏବଂ ଡମ୍ ବେସ୍ ପ୍ରମୁଖ ଭୂମିକା ତୁଲାଇଛନ୍ତି। ତେବେ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୧୮୬ ରନ୍ କରିବା ସହ ପ୍ରଥମ ଟେଷ୍ଟ୍‌ରେ ଦ୍ବିଶତକ ହାସଲ କରିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ମ୍ୟାଚ୍ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଇଂଲଣ୍ଡ ସ୍ପିନରଙ୍କର ଏହି ଚମକପ୍ରଦ ପ୍ରଦର୍ଶନ ଏବଂ ରୁଟ୍‌ଙ୍କ ରନ୍ ବର୍ଷା ଫେବ୍ରୁଆରି ୫ରୁ ଆରମ୍ଭ ହେଉଥିବା ଘରୋଇ ଶୃଙ୍ଖଳାରେ ନିଶ୍ଚିତ ଭାବେ ଭାରତ ପାଇଁ ଚିନ୍ତାର କାରଣ ହେବାକୁ ଯାଉଛି।

ରୋମାଞ୍ଚଭରା ଦ୍ବିତୀୟ ଟେଷ୍ଟ୍‌ର ରବିବାର ତୃତୀୟ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୯ ୱିକେଟ୍ ହରାଇ ୩୩୯ ରନ୍ କରିଥିବା ଇଂଲଣ୍ଡ ସୋମବାର ଆଉ ମାତ୍ର ୧୧ ବଲ୍ ଖେଳି ବଳକା ଗୋଟିଏ ୱିକେଟ୍ ହରାଇଥିଲା। ଦଳୀୟ ସ୍କୋରରେ ଆଉ ମାତ୍ର ୫ ରନ୍ ଯୋଡ଼ି ୩୪୪ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ପ୍ରଥମ ପାଳିରେ ୩୮୧ ରନ୍ କରିଥିବା ଶ୍ରୀଲଙ୍କା ୩୭ ରନ୍‌ର ଅଗ୍ରଣୀ ଲାଭ କରିଥିଲା। ତେବେ ଏହିଠାରୁ ହିଁ ମ୍ୟାଚ୍ ନାଟକୀୟ ମୋଡ଼ ନେଇଥିଲା। ଲିଚ୍ ଏବଂ ବେସ୍‌ ନିଜ ନିଜ ମଧ୍ୟରେ ୮ ୱିକେଟ୍ ବାଣ୍ଟିନେବା ପରେ ଶ୍ରୀଲଙ୍କା ତା’ ଦ୍ବିତୀୟ ପାଳିରେ ମାତ୍ର ୩୫.୫ ଓଭର ଖେଳି କେବଳ ୧୨୬ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ଇଂଲଣ୍ଡ ସମ୍ମୁଖରେ ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାହାକୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡମ୍ ସିବ୍‌ଲେ (୫୬*)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ୪୩.୩ ଓଭରରେ ହାସଲ କରି ନେଇଥିଲା। ଉତ୍କଣ୍ଠାଭରା ଚତୁର୍ଥ ଦିନରେ ମୋଟ ୧୫ ୱିକେଟ୍‌ର ପତନ ହୋଇଥିଲା। ପ୍ରଥମ ପାଳିରେ ୧୩୭ ରନ୍ ଦେଇ ୭ ୱିକେଟ୍ ନେଇଥିବା ଶ୍ରୀଲଙ୍କା ସ୍ପିନର ଲସିଥ ଏମ୍ବୁଲଦେନିଆ ଦ୍ବିତୀୟରେ ୭୩ ରନ୍ ବିନିମୟରେ ୩ ୱିକେଟ୍ ନେଇ ୧୦ ୱି‌କେଟ୍ ସଫଳତା ଲାଭ କରିଥିଲେ।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି ୩୮୧। ଇଂଲଣ୍ଡ ପ୍ରଥମ ପାଳି ୩୪୪। ଶ୍ରୀଲଙ୍କା ଦ୍ବିତୀୟ ପାଳି ୧୨୬ (ଲସିଥ ଏମ୍ବୁଲଦେନିଆ ୪୦, ରମେଶ ମେଣ୍ଡିସ୍ ୧୬, ଡମ୍ ବେସ୍ ୪/୪୯, ଜ୍ୟାକ୍ ଲିଚ୍ ୪/୫୯)। ଇଂଲଣ୍ଡ ଦ୍ବିତୀୟ ପାଳି ୪୩.୩ ଓଭରରେ ୧୬୪/୪ ( ଡମ୍ ସିବ୍‌ଲେ ୫୬*, ଜୋସ୍ ବଟଲର ୪୬*, ଲସିଥ ଏମ୍ବୁଲଦେନିଆ ୩/୭୩)।

ଚେନ୍ନାଇ‌େର ଅଭ୍ୟାସ ପାଇଁ ୩ ଦିନ ପାଇବ ଇଂଲଣ୍ଡ
ଚେନ୍ନାଇ: ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଫେବ୍ରୁଆରି ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍ ପୂର୍ବରୁ ଇଂଲଣ୍ଡ ଅଭ୍ୟାସ କରିବା ଲାଗି ମାତ୍ର ୩ ଦିନର ସମୟ ପାଇବ। ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳା ସହ ୫ ଟ୍ବେଣ୍ଟି-୨୦ ଓ ୩ ଦିନିକିଆ ଖେଳିବା ଲାଗି ଭାରତ ଆସୁଥିବା ଇଂଲଣ୍ଡର କିଛି ଖେଳାଳି ରବିବାର ଚେନ୍ନାଇରେ ପହଞ୍ଚିଥିଲେ। ସେଥିମଧ୍ୟରେ ବେନ୍ ଷ୍ଟୋକ୍ସ, ଜୋର୍ଫା ଆର୍ଚର ଓ ରୋରି ବର୍ଣ୍ଣସଙ୍କ ଭଳି ଖେଳାଳି ଥିଲେ। ଏମାନେ ଶ୍ରୀଲଙ୍କା ଶୃଙ୍ଖଳାରେ ନଥିଲା ବେଳେ ସିଧାସଳଖ ଇଂଲଣ୍ଡରୁ ଭାରତ ପହଞ୍ଚିଥିଲେ। ଅବଶିଷ୍ଟ ଖେଳାଳି ଶ୍ରୀଲଙ୍କା ଶୃଙ୍ଖଳା ଆଗୁଆ ସରି ଯାଇଥିଲେ ମଧ୍ୟ ବୁଧବାର ଏଠାରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଭାରତ ପହଞ୍ଚିବା ପରେ ଇଂଲଣ୍ଡ ଖେଳାଳିଙ୍କର ପୁନର୍ବାର କୋଭିଡ୍-୧୯ ପରୀକ୍ଷା କରାଯିବ। ଶ୍ରୀଲଙ୍କା ଶୃଙ୍ଖଳା ପୂର୍ବରୁ ମଧ୍ୟ ଇଂଲଣ୍ଡ ଖେଳାଳିଙ୍କୁ ୩ ଦିନ ଅଭ୍ୟାସ କରିବାର ସୁଯୋଗ ମିଳିଥିଲା। ତେବେ ଅଲରାଉଣ୍ଡର ମୋଇନ ଅଲ୍ଲୀ କୋଭିଡ୍ ପଜିଟିଭ୍ ଆସିଥିବାରୁ ତାଙ୍କୁ ସଙ୍ଗରୋଧରେ ରଖା ଯାଇଥିଲା। ଇଂଲଣ୍ଡ ଶୃଙ୍ଖଳା ଭାରତରେ କୋଭିଡ୍ ସଙ୍କଟ ପରର ପ୍ରଥମ ଶୃଙ୍ଖଳା ହୋଇଥିବାରୁ ବିସିସିଆଇ ସବୁ ପ୍ରକାର ପ୍ରତି‌ଷେଧକ ବ୍ୟବସ୍ଥା ଗ୍ରହଣ କରି ମ୍ୟାଚ୍ ଆୟୋଜନ କରିବାକୁ ଚାହୁଛି। ସୂଚନା‌ଯୋଗ୍ୟ ଯେ ଭାରତ-ଇଂଲଣ୍ଡ ଶୃଙ୍ଖଳାର ପ୍ରଥମ ୨ ଟେଷ୍ଟ୍ ଚେନ୍ନାଇରେ ଖେଳାଯିବା ପରେ ଅହମ୍ମଦାବାଦରେ ବଳକା ୨ ଟେଷ୍ଟ୍ ଏବଂ ୫ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। ୩ ଟିକିଆ ଦିନିକିଆ ଶୃଙ୍ଖଳା ପୁଣେରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର