ଗଲ୍: ବିଦେଶ ମାଟିରେ ବିଗତ ୧୩ ଟେଷ୍ଟ୍ରେ ବିଜୟଶୂନ୍ୟ ରହିବା ଧାରାକୁ ଶେଷରେ ଭାଙ୍ଗିଛି ଇଂଲଣ୍ଡ। ଗଲ୍ ମାଟିରେ ମଧ୍ୟ ନିଜର ପ୍ରଥମ ବିଜୟ ହାସଲ କରିଛି ଜୋ ରୁଟ୍ଙ୍କ ଇଂଲିସ୍ ଦଳ। ଶୁକ୍ରବାର ପ୍ରଥମ ଟେଷ୍ଟର ଚତୁର୍ଥ ଦିବସରେ ଘରୋଇ ଶ୍ରୀଲଙ୍କାକୁ ୨୧୧ ରନ୍ର ବଡ଼ ବ୍ୟବଧାନରେ ହରାଇ ୩ ମ୍ୟାଚ୍ ଶୃଙ୍ଖଳାରେ ମଧ୍ୟ ଭ୍ରମଣକାରୀ ଦଳ ୧-୦ରେ ଆଗୁଆ ହୋଇଯାଇଛି। ଶେଷ ଥର ପାଇଁ ବିଦେଶ ମାଟିରେ ଇଂଲଣ୍ଡ ୨୦୧୬ ମସିହାରେ ବାଂଲାଦେଶକୁ ଚଟ୍ଟଗାଓଁରେ ହରାଇଥିଲା। ଏଠାରେ ଶ୍ରୀଲଙ୍କା ସମ୍ମୁଖରେ ୪୬୨ ରନ୍ର ବୃହତ ବିଜୟ ଲକ୍ଷ୍ୟ ରହିଥିଲା। ଦୀନେଶ ଚାନ୍ଦିମାଳଙ୍କ ଦଳ କିନ୍ତୁ ୨୫୦ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପ୍ରଥମ ପାଳି ଭଳି ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ (୫୨, ୫୩) ଅର୍ଧଶତକ ହାସଲ କରିଥିଲେ। ଇଂଲଣ୍ଡ ପକ୍ଷରୁ ଅଫ୍ସ୍ପିନର ମୋଇନ ଅଲୀ (୪/୭୧), ବାମହାତୀ ସ୍ପିନର ମାଥ୍ୟୁ ଜ୍ୟାକ୍ ଲିଚ୍ (୩/୬୦) ଘରୋଇ ଦଳର ସର୍ବାଧିକ କ୍ଷତି ଘଟାଇଥିଲେ। ମୋଇନ୍ ପ୍ରଥମ ପାଳିରେ ମଧ୍ୟ ୪ ୱିକେଟ୍ ନେଇଥିଲେ। ତେବେ ପ୍ରଥମ ପଦାର୍ପଣରେ ଚମତ୍କାର ଶତକ ହାସଲ କରିଥିବା ବେନ୍ ଫୋକ୍ସ (୧୦୭, ୩୭) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇବାର ଗୌରବ ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୩୪୨ (ବେନ୍ ଫୋକ୍ସ-୧୦୭, ଦିଲରୁୱାନ ପେରେରା-୫/୭୫) ଏବଂ ୩୨୨/୬, ଘୋଷିତ (କିଟନ୍ ଜେନିଙ୍ଗସ-୧୪୬, ହେରାଥ-୨/୫୯)। ଶ୍ରୀଲଙ୍କା ୨୦୩ (ମାଥ୍ୟୁସ-୫୨, ମୋଇନ-୪/୬୬) ଏବଂ ୨୫୦ (ମାଥ୍ୟୁସ-୫୩, ମୋଇନ-୪/୭୧)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/5-Moeen-bowls-England-to-big-win-over-Sri-Lanka.jpg)