ଆମେରିକା ସହ ଡ୍ର’ କରି ଇଂଲଣ୍ଡ ଶୀର୍ଷରେ

କାତାର: ଚଳିତ ଫିଫା ବିଶ୍ବକପ୍‌ର ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍‌-ବି ଅନ୍ତର୍ଗତ ପ୍ରଥମ ମ୍ୟାଚ୍‌ରେ ଇରାନ ୨-୦ ଗୋଲ୍‌ରେ ୱେଲ୍‌ସକୁ ପରାସ୍ତ କରିଥିଲା ବେଳେ ବିଳମ୍ବିତ ରାତିରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଆମେରିକା ଓ ଇଂଲଣ୍ଡ ବିନା ଗୋଲ୍‌ରେ ପଏଣ୍ଟ ବ‌ାଣ୍ଟିଲେ। ଇଞ୍ଜୁରି ଟାଇମ୍‌କୁ ମିଶାଇ ମୋଟ ୯୫ ମିନିଟ୍‌ ପଡ଼ିଆରେ ସଂଘର୍ଷ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍‌ ଦେବାରେ ସଫଳ ହୋଇନଥିଲେ। ଫଳରେ ମ୍ୟାଚ୍‌ ୦-୦ରେ ଅମୀମାଂସିତ ରହିଥିଲା। ଏଥି ସହିତ ଇଂଲଣ୍ଡ ମଧ୍ୟ ୨ ମ୍ୟାଚ୍‌ରୁ ୪ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ଅବିଚଳିତ ରହିଛି। ଅନ୍ୟପକ୍ଷରେ ଖେଳିଥିବା ଦୁଇଟିଯାକ ମ୍ୟାଚ୍‌ ଅମୀମାଂସିତ ରଖି ଆମେରିକା (୨ ପଏଣ୍ଟ) ଇରାନ (୩ ପଏଣ୍ଟ) ପଛକୁ ତୃତୀୟ ସ୍ଥାନରେ ରହିଛି।

ଚଳିତ ବିଶ୍ବକପ୍‌ରେ ଏହା ଥିଲା ଆମେରିକା ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଏବଂ ନିଜ ନିଜର ଦ୍ବିତୀୟ ମୁକାବିଲା। ଏହା ପୂର୍ବରୁ ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ୬-୨ ଗୋଲ୍‌ରେ ଇରାନକୁ ପରାସ୍ତ କରିଥିଲା ବେଳେ ଆମେରିକା ୧-୧ ଗୋଲ୍‌ରେ ୱେଲ୍‌ସ ସହ ପଏଣ୍ଟ ବାଣ୍ଟିଥିଲା। ‌ତେବେ ଅଲ୍‌ ବାୟତ ଷ୍ଟାଡିୟମ୍‌ରେ ଶୁକ୍ରବାର ମ୍ୟାଚ୍‌ରେ ଉଭୟ ଦଳ ସତର୍କତାର ସହ ଖେଳିବାରୁ ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ଘନଘନ ଖେଳାଳି ବଦଳ କରିଥିଲେ ମଧ୍ୟ କିଛି ବି ଫରକ ପଡ଼ିନଥିଲା। ଗୋଟିଏ ବି ଗୋଲ୍‌ ଦର୍ଶକମାନେ ଦେଖିବାକୁ ପାଇନଥିଲେ।

ଏହି ମ୍ୟାଚ୍‌କୁ ମିଶାଇ ଉଭୟ ଆମେରିକା ଓ ଇଂଲଣ୍ଡ ବିଶ୍ବକପ୍‌ରେ ତୃତୀୟ ଥର ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ପରସ୍ପର ମଧ୍ୟରେ ହୋଇଥିବା ଦୁଇ ଥର ମୁକାବିଲାରେ ଆମେରିକା ୧୯୫୦ରେ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା ବେଳେ ୨୦୧୦ରେ ଦୁଇ ଦଳ ୧-୧ ଗୋଲ୍‌ରେ ମ୍ୟାଚ୍‌ ଅମିମାଂସିତ ରଖିଥିଲେ। ଅନ୍ୟପକ୍ଷରେ ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟ ରହିଥିବା ନିଜର ଶେଷ ୫ ବିଶ୍ବକପ୍‌ ମ୍ୟାଚ୍‌ରେ ଇଂଲଣ୍ଡ ଆଦୌ ଜିତିପାରିନଥିଲା। ଶେଷଥର ପାଇଁ ୨୦୦୬ରେ ଏଭଳି ସ୍ଥିତିରେ ଇକ୍ବେଡର ବିପକ୍ଷରେ ୧-୦ର ବିଜୟ ପରଠାରୁ ଇଂଲଣ୍ଡ ୪ ଡ୍ର’ କରିଥିଲା ବେଳେ ଗୋଟିଏ ହାରିଥିଲା। ଅନ୍ୟପଟେ ଏହା ପୂର୍ବରୁ ତୃତୀୟ ଥର ପାଇଁ ବିଶ୍ବକପ୍‌ର କୌଣସି ସଂସ୍କରଣରେ ପ୍ରଥମ ଦୁଇ ମ୍ୟାଚ୍‌ ଜିତିଥିବା ଇଂଲଣ୍ଡ ଚତୁର୍ଥ ଥର ଏହି ସଫଳତା ପାଇବାରେ ବିଫଳ ହେଲା। ଏହି ଦଳ ୧୯୯୨, ୨୦୦୬ ଏବଂ ୨୦୧୮ରେ ନିଜର ପ୍ରଥମ ଦୁଇ ମ୍ୟାଚ୍‌ ଜିତିଥିଲା ବେଳେ ଏଥର ଚତୁର୍ଥ ଥର ପାଇଁ ଏଭଳି ସଫଳତା ହାତେଇବାରୁ ବଞ୍ଚିତ ରହିଲା।

ସମ୍ବନ୍ଧିତ ଖବର