ଚତୁର୍ଥ ଆସେସ୍‌ ଟେ‌ଷ୍ଟ୍‌ରେ ବର୍ଷା ବାଧକ

ସ୍ମିଥ୍‌, ଲବୁସାନେଙ୍କ ଅର୍ଧଶତକ: ଅଷ୍ଟ୍ରେଲିଆ ୧୭୦/୩

ମାଞ୍ଚେଷ୍ଟର : ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦଳ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ଚତୁର୍ଥ ମୁକାବିଲାରେ ବୁଧବାରଠୁ ଅବତୀର୍ଣ୍ଣ ହୋଇଛନ୍ତି। ଏଠାରେ ଆରମ୍ଭ ହୋଇଥିବା ଆସେସ୍‌ ଶୃଙ୍ଖଳାର ଚତୁର୍ଥ ଟେଷ୍ଟ୍‌ କିନ୍ତୁ ବୁଧବାର ପ୍ରଥମ ଦିବସରେ ବର୍ଷା ଦ୍ବାରା ପ୍ରଭାବିତ ହୋଇଛି। ବାରମ୍ବାର ବର୍ଷା ବାଧକ ମଧ୍ୟରେ ଚା’ପାନ ବିରତି ସୁଦ୍ଧା ୪୪ ଓଭର ଖେଳ ସମ୍ଭବ ହୋଇଥିଲା। ଏଥିରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ୩ ୱିକେଟ୍‌ ହରାଇ ୧୭୦ ରନ୍‌ କରିଥିଲା। ସେହି ସ୍କୋର୍‌ରେ ହିଁ ପ୍ରଥମ ଦିବସ ଷ୍ଟମ୍ପ୍‌ସ ଅପସାରଣ ହୋଇଥିଲା।

ମ୍ୟାଚ୍‌ ଆରମ୍ଭରୁ ପାଗ ଭଲ ନଥିଲେ ମଧ୍ୟ ମଧ୍ୟାହ୍ନ ବିରତି ପର୍ଯ୍ୟନ୍ତ ଖେଳ ହୋଇପାରିଥିଲା। ଏଥିରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଅଷ୍ଟ୍ରେଲିଆକୁ ଯୁଗଳ ଝଟ୍‌କା ଦେଇଥିଲେ। ସେ ପ୍ରାରମ୍ଭିକ ଯୋଡ଼ି ଡେଭିଡ୍‌ ୱର୍ନର (୦)ଙ୍କୁ ଖାତା ଖୋଲିବାକୁ ନଦେଇ ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ ପାଭିଲିୟନ୍‌ ଫେରାଇ ଦେଇଥିଲା ବେଳେ ମାର୍କସ୍‌ ହାରିସ୍‌ (୧୩)ଙ୍କୁ ସପ୍ତମ ଓଭରର ଶେଷ ବଲ୍‌ରେ ଆଉଟ୍‌ କରିଥିଲେ। ୨୮ ରନ୍‌ରେ ୨ ୱିକେଟ୍‌ ହରାଇବା ପରେ ମାର୍ନସ ଲାମ୍ବୁଶ୍ଚାନେ (୪୯*) ଏବଂ ଆହତରୁ ମୁକୁଳି ପ୍ରତ୍ୟାବର୍ତନ କରିଥିବା ଷ୍ଟିଭ୍‌ ସ୍ମିଥ୍‌ (୨୮*) ପାଳି ସମ୍ଭାଳି ନେଇଥିଲେ। ପୁଣି ବର୍ଷା ବାଧା ସୃଷ୍ଟି କରିଥିଲା, ଯେଉଁଥିପାଇଁ ଚା’ ପାନ ବିରତି ବିଳମ୍ବରେ କରାଯାଇଥିଲା। ବିରତି ବେଳକୁ ଲବୁସାନେ (୬୭) ଅର୍ଧଶତକ ହାସଲ କରି ନବାଗତ କ୍ରେଗ୍‌ ଓଭରଟନ୍‌ଙ୍କ ଶିକାର ହୋଇଥିଲେ। ତେବେ ସେ ଆଉଟ୍‌ ହେବା ପୂର୍ବରୁ ସ୍ମିଥ୍‌ଙ୍କ ସହ ତୃତୀୟ ୱିକେଟ୍‌ରେ ୧୧୩ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଚା’ ବିରତି ବେଳକୁ ସ୍ମିଥ୍‌ ୬୦ ଏବଂ ଟ୍ରାଭିସ୍‌ ହେଡ୍‌ ୧୮ ରନ୍‌ରେ ଅପରାଜିତ ଥିଲେ। ଚା’ ପାନ ବିରତି ପରେ ମଧ୍ୟ ବର୍ଷା‌ ପୁଣି ଦାଉ ସାଧିଥିଲା। ସେଥିପାଇଁ ଆଉ ଖେଳ ସମ୍ଭବ ନହେବାରୁ ଅମ୍ପାୟାର ପ୍ରଥମ ଦିବସର ଷ୍ଟମ୍ପ୍‌ସ ପ୍ରତ୍ୟାହାର କରିନେଇଥିଲେ।

ଘରୋଇ ଇଂଲଣ୍ଡ କ୍ରେଗ୍‌ ଏଭରଟନ୍‌ଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରି ଏହି ମ୍ୟାଚ୍‌କୁ ଓହ୍ଲାଇଥିଲା ବେଳେ ଭ୍ରମଣକାରୀ ଅଷ୍ଟ୍ରେଲିଆ ପିଟର ସିଡ୍‌ଲେଙ୍କ ବଦଳରେ ମିଚେଲ ଷ୍ଟାର୍କଙ୍କୁ ଖେଳାଇଛି।

ସମ୍ବନ୍ଧିତ ଖବର