ବିଶ୍ବକପ୍ରେ ଏଥର ନୂଆ ଚାମ୍ପିଅନ୍ : ରବିବାର ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍ ଫାଇନାଲ୍
ବିଜେତା ଅଷ୍ଟ୍ରେଲିଆର ବିଦାୟ, ୨୭ ବର୍ଷ ପରେ ଫାଇନାଲରେ ଇଂଲଣ୍ଡ
ବର୍ମିଂହାମ : କ୍ରିକେଟ୍ ବିଶ୍ବକପ୍ ଏଥର ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି। କାରଣ ଏଥର ଫାଇନାଲରେ ନୂଆ ଦଳ ହି ଚାମ୍ପିଅନ୍ ହେବ। ନ୍ୟୁଜିଲାଣ୍ଡ୍ କିମ୍ବା ଇଂଲଣ୍ଡ ଏହି ଗୌରବ ହାସଲ କରିବାକୁ ଯାଉଛନ୍ତି। ଗତକାଲି ପ୍ରଥମ ସେମିଫାଇନାଲରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଦ୍ବିତୀୟ ଥର ଲାଗି ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଜି ଦ୍ବିତୀୟ ସେମିଫାଇନାଲରେ ବିଜେତା ଅଷ୍ଟ୍ରେଲିଆକୁ ହରାଇ ଇଂଲଣ୍ଡ ଚତୁର୍ଥ ଥର ଲାଗି ଫାଇନାଲକୁ ଯାଇଛି। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ଥରେ ଏବଂ ଇଂଲଣ୍ଡ ତିନି ଥର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ କେବେହେେଲ ଚାମ୍ପିଅନ୍ ହୋଇନଥିଲେ। ନ୍ୟୁଜିଲାଣ୍ଡ ୨୦୧୫ରେ ପ୍ରଥମ ଥର ଲାଗି ଫାଇନାଲରେ ପହଂଚିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ତେବେ ଆୟୋଜକ ଇଂଲଣ୍ଡ ୨୭ ବର୍ଷ ପରେ ଫାଇନାଲକୁ ଯାଇଛି। ରବିବାର ଦିନ ଫାଇନାଲ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ।
ଗୁରୁବାର ଏଜ୍ବାଷ୍ଟନର ବର୍ମିଂହାମରେ ଅନୁଷ୍ଠିତ ମ୍ୟାଚ୍ରେ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ୮ ୱିକେଟ୍ରେ ହରାଇ ଇଂଲଣ୍ଡ ସମସ୍ତଙ୍କୁ ଚକିତ କରିଦେଇଥିଲା। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ଇଂଲଣ୍ଡର ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ମୁଣ୍ଡ ନୁଆଇଁ ଦେଇଥିଲା। ସପ୍ତମ ଓଭର ଆରମ୍ଭ ବେଳକୁ ଏହି ବିଶ୍ବ ବିଜେତା ୧୪/୩ରେ ସଂଘର୍ଷ କରିଥିଲା। ଡେଭିଡ୍ ୱାର୍ନର (୯), ଆରୋନ୍ ଫିଞ୍ଚ୍ (୦) ଏବଂ ପିଟର୍ ହ୍ୟାଣ୍ଡସ୍କମ୍ବ୍ (୪) କ୍ରିଜ୍ରେ ଜମିବା ପୂର୍ବରୁ ପ୍ୟାଭିଲିଅନ୍ ଫେରି ଯାଇଥିଲେ। ପ୍ରାରମ୍ଭିକ ଯୋଡ଼ି ୱାର୍ନର ଏବଂ ଫିଞ୍ଚ୍ଙ୍କୁ ଯଥାକ୍ରମେ ୱକ୍ସ ଓ ଆର୍ଚର ଆଉଟ୍ କରିଥିଲେ। ହ୍ୟାଣ୍ଡସ୍କମ୍ଭଙ୍କୁ ୱକ୍ସ ନିଜ ଦ୍ବିତୀୟ ଶିକାର କରିବା ପରେ ଅଷ୍ଟ୍ରେଲିଆକୁ ଦୟନୀୟ ସ୍ଥିତିରୁ ବାହାର କରିବାକୁ ଲାଗି ପଡ଼ିଥିଲେ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଏବଂ ୱିକେଟରକ୍ଷକ ଆଲେକ୍ସ କ୍ୟାରି। ୨୧.୧ ଓଭର ସଂଘର୍ଷ କରିଥିବା ଏହି ଯୋଡ଼ି ଚତୁର୍ଥ ୱିକେଟ୍ ପାଇଁ ୧୦୩ ରନ୍ ସଂଯୋଗ କରିଥିଲେ। ଜୋଫ୍ରା ଆର୍ଚରଙ୍କ ବାଉନ୍ସରରେ ଆଲେକ୍ସ କ୍ୟାରି ଥୋଡ଼ିରେ ଆଘାତପ୍ରାପ୍ତ ହେବା ସତ୍ତ୍ବେ ବ୍ୟାଣ୍ଡେଜ୍ ବାନ୍ଧି ଖେଳିଥିଲେ। ମାତ୍ର ୪ ରନ୍ ପାଇଁ କିନ୍ତୁ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ ଏହି ଯୁବ ୱିକେଟରକ୍ଷକ। ୭୦ ବଲ୍ ଖେଳି ୪ ଚୌକା ସହିତ ୪୬ ରନ୍ କରିଥିଲେ। ଗୋଟିଏ ଓଭରରେ କିନ୍ତୁ ଲେଗ୍ ସ୍ପିନର୍ ଆଦିଲ ରସିଦ୍ ଉଭୟ କ୍ୟାରି ଓ ଷ୍ଟୋଇନିସ୍ (୦)ଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆକୁ ପୁଣି ଚାପି ଦେଇଥିଲେ। ଶେଷ ଭାଗରେ ଷ୍ଟିଭେନ୍ ସ୍ମିଥ୍ (୮୫, ୧୧୯ ବଲ, ୬ ଚୌକା)ଙ୍କ ସହିତ ଗ୍ଲେନ ମ୍ୟାକ୍ସୱେଲ (୨୨, ୨୩ ବଲ) ଏବଂ ମିଚେଲ ଷ୍ଟାର୍କ (୨୯, ୩୬ ବଲ)ଙ୍କ ଛୋଟ ଛୋଟ ଅବଦାନ ବଳରେ ଅଷ୍ଟ୍ରେଲିଆ ଗୋଟିଏ ଓଭର ପୂର୍ବରୁ ସମସ୍ତ ୱିକେଟ ହରାଇ ୨୨୩ ରନ୍ କରିଥିଲା। କ୍ରିସ୍ ୱକ୍ସ (୮-୦-୨୦-୩), ଆଦିଲ୍ ରସିଦ୍ (୧୦-୦-୫୪-୩) ଏବଂ ଜୋର୍ଫା ଆର୍ଚର (୧୦-୦-୩୨-୨) ଅଷ୍ଟ୍ରେଲିଆକୁ ଧରାଶାୟୀ କରିବାରେ ଯଥେଷ୍ଟ ହୋଇଥିଲେ।
୨୨୪ ରନ୍ ଲକ୍ଷ୍ୟ ଇଂଲଣ୍ଡ ପାଇଁ ଆଦୌ କଷ୍ଟକର ହୋଇନଥିଲା। ବିଶେଷ କରି ପ୍ରାରମ୍ଭିକ ଯୋଡ଼ି ଜାସନ୍ ରୟ (୮୫, ୬୫ ବଲ, ୯ ଚୌକା, ୫ ଛକା) ଏବଂ ଜନି ବେୟାରଷ୍ଟୋ (୩୪, ୪୩ ବଲ, ୫ ଚୌକା) ଶତକୀୟ ଭାଗୀଦାରି ଦେବା ପରେ ବିଜୟ ଲକ୍ଷ୍ୟ ଅତି ସହଜ ହୋଇଯାଇଥିଲା। ପ୍ରଥମ ୱିକେଟ୍ ପାଇଁ ଏହି ଇଂଲିସ୍ ଯୋଡ଼ି ମାତ୍ର ୧୭.୨ ଓଭରରେ ୧୨୪ ରନ୍ ଉଠାଇ ନେଇ ମ୍ୟାଚ୍କୁ ଏକତରଫା କରି ଦେଇଥିଲେ। ଅବଶିଷ୍ଟ କାମକୁ ଜୋ ରୁଟ୍ (୪୯*, ୪୬ ବଲ, ୮ ଚୌକା) ଏବଂ ଅଧିନାୟକ ଇଅନ୍ ମୋର୍ଗାନ୍ (୪୫*, ୩୯ ବଲ, ୮ ଚୌକା) ସୁଚାରୁରୂପେ ସମ୍ପାଦନ କରିଥିଲେ। ୧୦୭ ବଲ୍ (୧୭.୫ ଓଭର) ପୂର୍ବରୁ ବିଶ୍ବକପ୍ ସେମିଫାଇନାଲ୍ ଜିତିବା ମଧ୍ୟ ଇଂଲଣ୍ଡକୁ ଆଉ ଏକ ଆତ୍ମସନ୍ତୋଷ ଦେଇଥିଲା। ୩୨.୧ ଓଭରରେ ଆୟୋଜକ ଇଂଲଣ୍ଡ ୨ ୱିକେଟ୍ ବିନିମୟରେ ୨୨୬ ରନ୍ ସଂଗ୍ରହ କରି ନେଇ ଦୀର୍ଘ ୨୭ ବର୍ଷ ପରେ ଫାଇନାଲରେ ପାଦ ଥାପି ଦେଇଥିଲା। ଚମତ୍କାର ବୋଲିଂ କରିଥିବା କ୍ରିସ୍ ୱକ୍ସ (୮-୦-୨୦-୩) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ସମ୍ମାନ ହାତେଇଥିଲେ।
ଗୁରୁବାରର ବିଜୟ ଇଂଲଣ୍ଡକୁ ଏଜବାଷ୍ଟନ୍ରେ ୨୦୦୨ ମସିହାଠାରୁ ସବୁ ଫର୍ମାଟ୍ ଅପରାଜେୟ ଧାରାକୁ ଆଗକୁ ନେଇଥିଲା। କିନ୍ତୁ ୧୯୯୨ ମସିହା ପରଠାରୁ ବିଶ୍ବକପ୍ରେ ଭାରତ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ହରାଇନଥିବା ଏହି ଦେଶ ଏବେ ସମ୍ପୃକ୍ତ ୩ ଦେଶକୁ ଶେଷ ୩ ମ୍ୟାଚ୍ରେ ହରାଇ ସ୍ବର୍ଣ୍ଣିମ ସୁଯୋଗ ହାତେଇ ନେଇଛି।