ମାଞ୍ଚେଷ୍ଟର୍: ପ୍ରଥମ ପାଳିରେ ୧୦୭ ରନ୍ର ବଡ଼ ବ୍ୟବଧାନରେ ପଛୁଆ ରହିବା ସତ୍ତ୍ବେ ପାକିସ୍ତାନ ହାତରୁ ମ୍ୟାଚ୍ ଛଡ଼ାଇ ନେଇଛି ଇଂଲଣ୍ଡ। ଓଲ୍ଡ ଟ୍ରାଫୋର୍ଡଠାରେ ଚାଲିଥିବା ପ୍ରଥମ ଟେଷ୍ଟ୍ ମଧ୍ୟ ଗୋଟିଏ ଦିନ ଆଗରୁ ଶେଷ ହୋଇଛି। ଇଂଲଣ୍ଡ ସମ୍ମୁଖରେ ୨୭୭ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ୧୧୭ ରନ୍ରେ ଅଧା ଖେଳାଳିଙ୍କୁ ହରାଇଥିଲେ ମଧ୍ୟ ଜୋସ୍ ବଟ୍ଟଲର୍ (୭୫) ଓ କ୍ରିସ୍ ୱକ୍ସ (୮୪*)ଙ୍କ ଶତକୀୟ ଭାଗୀଦାରି ବଳରେ ଘରୋଇ ଦଳ ରୋମାଞ୍ଚକ ଭାବେ ୩ ୱିକେଟ୍ ବ୍ୟବଧାନରେ ମ୍ୟାଚ୍ ଜିତିଯାଇଥିଲା। ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି ଜୋ ରୁଟଙ୍କ ଦଳ। ଏଥି ସହିତ ବିଗତ ୫ ଟେଷ୍ଟ୍ ଶୃଙ୍ଖଳାରେ ପ୍ରଥମ ଟେଷ୍ଟ୍ ହାରିବାର ପରମ୍ପରାକୁ ଇଂଲଣ୍ଡ ଭଙ୍ଗିବାରେ ସକ୍ଷମ ହୋଇଛି।
ଶନିବାର ପାକିସ୍ତାନ ତୃତୀୟ ଦିନର ଅସାମାପ୍ତ ପାଳି ୧୩୭/୮ରୁ ଖେଳି ଅବଶିଷ୍ଟ ୨ ୱିକେଟ୍ ହରାଇବା ପୂର୍ବରୁ ୩୨ ରନ ଯୋଡ଼ିନେଇଥିଲା। ଏଥିରେ ୟାସିର୍ ସାହା (୩୩, ୨୪ ବଲ, ୫ ଚୌକା, ୧ ଛକା)ଙ୍କ ଉପଯୋଗୀ ଅବଦାନ ରହିଥିଲା। ଷ୍ଟୁଆର୍ଟ ବ୍ରଡ୍ ଏବଂ ଜୋଫ୍ରା ଆର୍ଚର ଏହି ଦୁଇ ୱିକେଟ୍ ଦଖଲ କରି ନେଇଥିଲେ। ୨୭୭ ରନ୍ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ସତର୍କତାର ସହ ଖେଳିଥିଲା। ରୋରି ବର୍ନସ (୧୦), ଡୋମିନିକ୍ ଶିବଲେ (୩୬), ଅଧିନାୟକ ଜୋ ରୁଟ୍ (୪୨), ବେନ୍ ଷ୍ଟୋକ୍ସ (୯), ଓଲି ପୋପ୍ (୭) ଲମ୍ବା ଖେଳିପାରିନଥିଲେ। ଚା’ପାନ ବିରତି ପରେ ୟାସିର୍ ସାହାଙ୍କ ଯୁଗଳ ଝଟକା ପାକିସ୍ତାନକୁ ପ୍ରତ୍ୟାବର୍ତନ ପଥକୁ ଆଣିଥିଲା। ଇଂଲଣ୍ଡ ୧୧୭ ରନ୍ରେ ୫ ୱିକେଟ୍ ହରାଇ ଦେବାରୁ ମ୍ୟାଚ୍ ଘରୋଇ ଦଳର ହାତଛଡ଼ା ହୋଇଯିବ ବୋଲି ସଭିଏଁ ଧରି ନେଇଥିଲେ। ଶେଷ ସ୍ବୀକୃତିପ୍ରାପ୍ତ ବ୍ୟାଟସମ୍ୟାନ୍ ୱିକେଟରକ୍ଷକ ଜୋସ୍ ବଟ୍ଟଲର୍ଙ୍କ ସହ ଯୋଗଦେଇ କ୍ରିସ୍ ୱକ୍ସ ଷଷ୍ଠ ୱିକେଟ୍ ପାଇଁ ଶତକୀୟ ଭାଗୀଦାରି (୧୩୯) ଗଢ଼ିବାରୁ ଇଂଲଣ୍ଡ ଭାଗ୍ୟରେ ବଡ଼ ପରିବର୍ତନ ଘଟିଥିଲେ। ଏହି ଯୋଡ଼ି ୟାସିରଙ୍କ ସହ ପାକିସ୍ତାନୀ ବୋଲରଙ୍କୁ ପ୍ରତି ଆକ୍ରମଣ କରି ଲୟ ବିଗାଡ଼ିବା ପରେ ବ୍ୟାଟିଂକୁ ସହଜ କରିଦେଇଥିଲେ। କିଛି କ୍ୟାଚ୍ ହାତଛଡ଼ା ମଧ୍ୟ ପାକିସ୍ତାନର ଶେଷ ସୁଯୋଗକୁ ମଉଳାଇ ଦେଇଥିଲା। ବିଜୟଠାରୁ ଇଂଲଣ୍ଡ ୨୧ ରନ୍ ଦୂରରେ ଥିବାବେଳେ ବଟ୍ଟଲର (୭୫, ୧୦୧ ବଲ, ୭ ଚୌକା, ୧ ଛକା)ଙ୍କୁ ୟାସିର୍ ଏଲବିଡଲ୍ୟୁ କରିଦେଇଥିଲେ। ବ୍ରଡ (୭)ଙ୍କୁ ୟାସିର୍ ଚତୁର୍ଥ ଶିକାର କରିଥିଲେ। ଶେଷକୁ କ୍ରିସ୍ ୱକ୍ସ (୮୪*, ୧୨୦ ବଲ, ୧୦ ଚୌକା) ଆଫ୍ରିଦୀଙ୍କୁ ଚୌକା ମାରି ମ୍ୟାଚ୍ ଶେଷ କରିଥିଲେ।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୩୨୬ (ସାନ ମାସୁଦ୍-୧୫୬, ବାବର ଆଜମ-୬୯, ସଦାବ ଖାନ୍-୪୫, ଷ୍ଟୁଆର୍ଟ ବ୍ରଡ-୩/୫୪, ଜୋଫ୍ରା ଆର୍ଚର-୩/୫୯, କ୍ରିସ୍ ୱକ୍ସ-୨/୪୩, ଜେମ୍ସ ଆଣ୍ଡରସନ୍-୧/୬୩, ଡୋମିନିକ୍ ବେସ-୧/୭୪)। ଇଂଲଣ୍ଡ ପ୍ରଥମ ପାଳି: ୨୧୯ (ଓଲି ପୋପ୍-୬୨, ଜୋସ୍ ବଟ୍ଟଲର୍-୩୮, ଷ୍ଟୁଆର୍ଟ ବ୍ରଡ୍-୨୯*, ୟାସିର୍ ସାହା-୪/୬୬, ସଦାବ ଖାନ୍-୨/୧୩, ମହମ୍ମଦ ଆବାସ-୨/୩୩, ସାହିନ୍ ଆଫ୍ରିଦୀ-୧/୫୧)। ପାକିସ୍ତାନ ଦ୍ବିତୀୟ ପାଳି: ୪୬.୪ ଓଭରରେ ୧୬୯ (ୟାସିର୍ ସାହା-୩୩, ଅସଦ୍ ସଫିକ-୨୯, ଷ୍ଟୁଆର୍ଟ ବ୍ରଡ୍-୩/୩୭, କ୍ରିସ୍ ୱକ୍ସ-୨/୧୧, ବେନ୍ ଷ୍ଟୋକ୍ସ-୨/୧୧, ଜୋଫ୍ରା ଆର୍ଚର-୧/୨୭, ଡୋମନିକ୍ ବେସ୍-୧/୪୦)। ଇଂଲଣ୍ଡ ଦ୍ବିତୀୟ ପାଳି: ୮୨.୧ ଓଭରରେ ୨୭୭/୭ (ଜୋସ୍ ବଟ୍ଟଲର-୭୫, କ୍ରିସ୍ ୱକ୍ସ-୮୪*, ଜୋ ରୁଟ୍-୪୨, ଡୋମିନିକ୍ ଶିବଲେ-୩୬, ଡୋମିନିକ୍ ବେସ୍-୦*, ୟାସିର୍ ସାହା-୪/୯୯, ମହମ୍ମଦ ଆବାସ-୧/୩୬, ନସିମ୍ ସାହା-୧/୪୫, ସାହିନ୍ ଆଫ୍ରିଦୀ-୧/୬୧)।
ଇଂଲଣ୍ଡ ଦଳରେ ରବିନସନ୍
ଲଣ୍ଡନ: ସସେକ୍ସ ଦ୍ରୁତ ବୋଲର ଓଲି ରବିନସନ୍ଙ୍କୁ ଇଂଲଣ୍ଡ ଟେଷ୍ଟ୍ ଦଳରେ ସାମିଲ କରାଯାଇଛି। ଆସନ୍ତା ସପ୍ତାହରେ ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ଲାଗି ତାଙ୍କୁ ଜୈବ ସୁରକ୍ଷିତ ବ୍ୟବସ୍ଥା ଭିତରକୁ ଡକରା ମିଳିଛି। ୨୬ ବର୍ଷୀୟ ରବିନସନ୍ ଶନିବାର କ୍ୟାଣ୍ଟରବରିରେ ଖେଳାଯିବାକୁ ଥିବା ବବ୍ ୱିଲିସ୍ ଟ୍ରଫି ମ୍ୟାଚ୍ ପୂର୍ବରୁ ସସେକ୍ସ ଦଳରୁ ଓହରିଯାଇଥିଲେ। ଏବେ ସେ ଏଜିୟସ ବାଉଲରେ ଦ୍ବିତୀୟ ଟେଷ୍ଟ୍ ପୂର୍ବରୁ ଇଂଲଣ୍ଡର ତାଲିମ ଶିବିରରେ ସାମିଲ ହେବେ। କୋଭିଡ ପ୍ରଭାବିତ ବିରତି ପରେ କ୍ରିକେଟ୍ ପ୍ରତ୍ୟାବର୍ତନ ପରଠାରୁ ଇଂଲଣ୍ଡ ଏହାର ଦ୍ରୁତ ବୋଲରମାନଙ୍କୁ ରୋଟେସନ୍ ପଦ୍ଧତି ଅନୁସାରେ ଖେଳାଉଛି। ଚଳିତ ଟେଷ୍ଟ୍ରେ ଇଂଲଣ୍ଡ ୪ ଜଣିଆ ପେସ୍ ଆକ୍ରମଣ (ବ୍ରଡ, ଆଣ୍ଡରସନ୍, ଆର୍ଚର, ୱକ୍ସ)ରେ ଖେଳୁଛି। ଗତ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମଧ୍ୟ ସମାନ ଯୋଜନାରେ ଖେଳିଥିଲା। ସୂଚନାଯୋଗ୍ୟ, ରବିନସନ୍ ୫୭ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୨୪୪ ୱିକେଟ୍ ନେଇ ପ୍ରଭାବିତ କରିଥିବାରୁ ଜାତୀୟ ଦଳକୁ ଡାକରା ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/ENG-VS-PAK.jpg)