ଭାରତ ସହ ୨୦୨୧ରେ ୫ ଟେଷ୍ଟ୍‌ ଖେଳିବ ଇଂଲଣ୍ଡ, ୧୬ ବର୍ଷ ପରେ ଟି-୨୦ ଶୃଙ୍ଖଳା ଖେଳିବାକୁ ପାକିସ୍ତାନ ଯିବ ଇଂଲଣ୍ଡ

ଲଣ୍ଡନ: ଆଗାମୀ ୨୦୨୧ରେ ଭାରତ ସହ ୫ ମ୍ୟାଚ୍‌ ବିଶିଷ୍ଟ ଏକ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାକୁ ଇଂଲଣ୍ଡ ପ୍ରସ୍ତୁତ ହେଉଛି। ଏନେଇ ବୁଧବାର ଇଂଲଣ୍ଡ ଆଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ଏକ ପ୍ରାଥମିକ ସୂଚି ଘୋଷଣା କରିଛି। ଅଗଷ୍ଟ ମାସରେ ଏହି ଶୃଙ୍ଖଳା ଖେଳିବାକୁ ଇସିବି ଆପାତତଃ ସ୍ଥିର କରିଛି। ଅଗଷ୍ଟ ୪ରୁ ୮ ତାରିଖ ମଧ୍ୟରେ ଟ୍ରେଣ୍ଟ୍‌ ବ୍ରିଜ୍‌ରେ ପ୍ରଥମ ଟେଷ୍ଟ୍‌ ଖେଳିବାକୁ ସ୍ଥିର କରିଥିଲା ବେଳେ ପଞ୍ଚମ ତଥା ଶେଷ ଟେଷ୍ଟ୍‌ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ମା‌ଞ୍ଚେଷ୍ଟରରେ ଖେଳାଯିବ। ଏହା ବ୍ୟତୀତ ଜୁନ୍‌ ଓ ଜୁଲାଇରେ ଇଂଲଣ୍ଡ ଦଳ ସୀମିତ ଓଭର ଶୃଙ୍ଖଳା ଖେଳିବାକୁ ଶ୍ରୀଲଙ୍କା ଓ ପାକିସ୍ତାନ ଦଳକୁ ମଧ୍ୟ ଆମନ୍ତ୍ରଣ ଜଣାଇଛି। ଜୁନ୍‌ରୁ ଶ୍ରୀଲଙ୍କା ସହ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଏବଂ ଜୁଲାଇରେ ପାକିସ୍ତାନ ସହ ମଧ୍ୟ ତିନି ମ୍ୟାଚ୍‌ ଲେଖାଏଁ ଦିନିକିଆ ଓ ଟି-୨୦ ଶୃଙ୍ଖଳା ଖେଳିବ ଇଂଲଣ୍ଡ। ଚଳିତ ବର୍ଷ କରୋନା ମହାମାରୀ ପରବର୍ତୀ ଶୃଙ୍ଖଳା ପାଇଁ ତିନି ଦଳକୁ ନିଜ ଦେଶକୁ ଆମନ୍ତ୍ରଣ କରିବାରେ ଇଂଲଣ୍ଡ ପ୍ରଥମ ଦଳ ହୋଇଛି।

କରୋନା ଯୋଗୁଁ ଚଳିତ ବର୍ଷ ସମସ୍ତ ମ୍ୟାଚ୍‌ ଜୈବ ବଳୟ ମଧ୍ୟରେ ଏବଂ ବିନା ଦର୍ଶକରେ ଖେଳାଯାଇଥିଲା ବେଳେ ୨୦୨୧ରେ ପ୍ରସ୍ତାବିତ ଶୃଙ୍ଖଳାରେ ଦର୍ଶକମାନେ ଷ୍ଟାଡିୟମ୍‌କୁ ଫେରିବାର ଆଶା ରଖିଛି ଇସିବି। ଏହି ସବୁ ଶୃଙ୍ଖଳା ପାଇଁ ଜାନୁଆରିରେ ସାଧା‌ରଣ ଦର୍ଶକଙ୍କ ପାଇଁ ଟିକେଟ ଉପଲବ୍‌ଧ ହେବ ବୋଲି ଇସିବି କହିଛି। ଆମେ ୨୦୨୧ ପୂରା ସମର୍‌ରେ ଆନ୍ତର୍ଜାତିକ କ୍ରିକେଟ୍‌ ଆୟୋଜନ କରିବାର ଯୋଜନା ନେଇ ଘୋଷଣା କରିଛୁ ବୋଲି ଏକ ବିବୃତିରେ କହିଛନ୍ତି ଇସିବି ସିଇଓ ଟମ୍‌ ହାରିସନ୍‌। ଚଳିତ ବର୍ଷ କରୋନା ବାଧା ସୃଷ୍ଟି କରିଥିଲା ବେଳେ ଆସନ୍ତାବର୍ଷ ନିରାପଦରେ ପଡ଼ିଆରେ ଦର୍ଶକମାନେ ବସି କ୍ରିକେଟ୍‌କୁ ଉପଭୋଗ କରିପାରିବେ ବୋଲି ହାରିସନ୍‌ ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ମହିଳା ଦଳ ମଧ୍ୟ ଆସନ୍ତାବର୍ଷ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳା ଆୟୋଜନ କରିବାର ଯୋଜନା କରିଛି।

ଆସନ୍ତାବର୍ଷ ସୀମିତ ଓଭର ଶୃଙ୍ଖଳା ଖେଳିବାକୁ ପାକିସ୍ତାନ କ୍ରିକେଟ୍‌ ଦଳ ଇଂଲଣ୍ଡ ଗସ୍ତ କରିବାକୁ ସୂଚୀ ପ୍ରସ୍ତୁତ ହୋଇଥିଲା ବେଳେ ଅନୁରୂପ ଭାବେ ଇଂଲଣ୍ଡ ଦଳ ମଧ୍ୟ ଏକ ଟି-୨୦ ଶୃଙ୍ଖଳା ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ। ଉଭୟ ଦେଶର ବୋର୍ଡ ମଧ୍ୟରେ ଏଭଳି ଚୁକ୍ତିନାମା ହୋଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତାହାଲେ ଦୀର୍ଘ ୧୬ ବର୍ଷ ପରେ ପ୍ରଥମ ଥର ଲାଗି ଇଂଲଣ୍ଡ ଦଳ ଟି-୨୦ ଶୃଙ୍ଖଳା ଖେଳିବାକୁ ପାକିସ୍ତାନ ଗସ୍ତ କରିବ। ଇଂଲଣ୍ଡ ଶେଷ ଥର ପାଇଁ ୨୦୦୫ରେ ପାକିସ୍ତାନ ଗସ୍ତ କରି ତିନି ଟେଷ୍ଟ୍‌ ଓ ୫ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା। ଏହାପରେ ଆତଙ୍କବାଦ କାର୍ଯ୍ୟକଳାପ ଯୋଗୁଁ ଇଂଲଣ୍ଡ ଆଉ ପାକିସ୍ତାନ ଗସ୍ତ କରିନଥିଲା। ତେବେ ଉଭୟ ଦଳ ମଧ୍ୟରେ ୨୦୧୨ ଓ ୨୦୧୫ରେ ଶୃଙ୍ଖଳା ନିରପେକ୍ଷ ଭେନ୍ୟୁ ଭାବେ ୟୁଏଇ (ୟୁନାଇଟେଡ୍‌ ଆରବ ଏମିରେଟ୍‌ସ)ରେ ଖେଳାଯାଇଥିଲା।

ଆଗାମୀ ପାକିସ୍ତାନ ଗସ୍ତରେ ଇଂଲଣ୍ଡ ଦଳ ଦୁଇଟି ଟି-୨୦ ମ୍ୟାଚ୍‌ ଖେଳିବ। ଦୁଇଟିଯାକ ମ୍ୟାଚ୍‌ ଆସନ୍ତାବର୍ଷ ଅକ୍ଟୋବର ୧୪ ଓ ୧୫ ତାରିଖରେ କରାଚିରେ ଖେଳାଯିବ। ଏହି ଶୃଙ୍ଖଳା ଜରିଆରେ ଉଭୟ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟ ସେହି ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପ୍ରସ୍ତୁତି କରିବେ। ଏହି ସୂଚୀ ନେଇ ଉଭୟ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଏବଂ ଇଂଲଣ୍ଡ ଆଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ବୁଧବାର ମିଳିତ ଭାବେ ସ୍ପଷ୍ଟ କରିଛନ୍ତି। ଇଂଲଣ୍ଡ ଦଳ କରାଚିରେ ଅକ୍ଟୋବର ୧୨ ତାରିଖରେ ପହଞ୍ଚିବ। ଟି-୨୦ ଶୃଙ୍ଖଳା ଖେଳିସାରି ଉଭୟ ଦଳ ମଧ୍ୟ ବିଶ୍ବକପ୍‌ ଖେଳିବା ପାଇଁ ଅକ୍ଟୋବର ୧୬ ତାରିଖରେ କରାଚିରୁ ସିଧାସଳଖ ଭାରତ ଅଭିମୁଖେ ଯାତ୍ରା କରିବେ।

ସମ୍ବନ୍ଧିତ ଖବର