ମୁମ୍ବାଇ: ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୧-୨ରେ ହାରିଥିବା ଭାରତ ଗୁରୁବାରଠୁ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ଏକ ମାତ୍ର ଟେଷ୍ଟ୍ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। ଇଂଲଣ୍ଡ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧିନ ଏହି ଦଳ ସ୍ପିନ୍କୁ ମୁଖ୍ୟ ଅସ୍ତ୍ର କରିବାର ଯୋଜନା କରିଛି। ଇଂଲଣ୍ଡ ବିପକ୍ଷରେ ଭାରତର ଟେଷ୍ଟ ପ୍ରଦର୍ଶନ ଉନ୍ନତ ରହିଛି। ଉଭୟ ଦଳ ୧୪ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ କେବଳ ଗୋଟିଏ ହାରିଛି। କୌରଙ୍କ ଦଳ ଏହି ଗୌରବ ବଜାୟ ରଖିବାକୁ ଚେଷ୍ଟା କରିବ। ୨୦୨୧ ଜୁନ୍ରେ ବ୍ରିଷ୍ଟଲରେ ଖେଳାଯାଇଥିବା ଶେଷ ଟେଷ୍ଟ୍ ଅମୀମାଂସିତ ରହିଥିଲା। ଏହି ମ୍ୟାଚ୍ରେ ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନା ଭଲ ଯୋଗଦାନ ରଖିଥିଲେ। ମହିଳା ଟେଷ୍ଟ୍ ବହୁତ କମ୍ ଖେଳାଯାଉଛି। କିନ୍ତୁ ଭାରତ ଏହି ଟେଷ୍ଟ ଖେଳିବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୱାଙ୍ଖ୍ଡ଼େରେ ଚଳିତ ମାସ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆଉ ଏକ ଟେଷ୍ଟ୍ ଖେଳିବ। ତେଣୁ ଅଷ୍ଟ୍ରେଲିଆ ମ୍ୟାଚ୍ ପୂର୍ବରୁ ଭାରତକୁ ଏହି ମ୍ୟାଚ୍ ସହାୟକ ହେବ।
ଏହି ଟେଷ୍ଟ୍ରେ ସ୍ପିନ୍ ଆକ୍ରମଣ ଭାରତର ବଳ। ଇଂଲଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ପଦାର୍ପଣ କରି ଚମତ୍କାର ପ୍ରଦର୍ଶନ ଦେଇଥିବା ବାମହାତୀ ସ୍ପିନର ସାଇକା ଈଶାକ ଏହି ଦଳରେ ସ୍ଥାନ ପାଇଛନ୍ତି। ଏହି ଦଳରେ ନୂଆ ମୁହଁ ଭାବେ କର୍ଣ୍ଣାଟକର ବାମହାତୀ ଓପନିଂ ବ୍ୟାଟର୍ ଶୁଭା ସତୀଶଙ୍କୁ ସ୍ଥାନ ମିଳିଛି। ବ୍ୟାଟିଂ ବିଭାଗରେ ଜେମିମା ରଡ୍ରିଗୁଏଜ ଓ ହର୍ଲିନ ଦେଓଲ ରହିଥିଲା ବେଳେ ଚୂଡ଼ାନ୍ତ ଏକାଦଶରେ ୟାସ୍ତିକା ଭାଟିଆକୁ ସ୍ଥାନ ମିଳିବାର ସମ୍ଭାବନା ରହିଛି। ସ୍ପିନ୍ର ସ୍ନେହା ରଣା ଓ ଦୀପ୍ତି ଶର୍ମାଙ୍କ ସହ ସିମର ରେଣୁକା ସିଂହ ଦଳକୁ ଅତିରିକ୍ତ ଶକ୍ତି ଯୋଗାଇବେ।
ଅନ୍ୟପକ୍ଷରେ ଆହତ ଏମ୍ମା ଲାମ୍ବଙ୍କ ଅନୁପସ୍ଥିତିରେ ଦଳରେ ମାଇଆ ବାଉଚର ଓ କ୍ରିଷ୍ଟି ଗର୍ଡନ ସ୍ଥାନ ପାଇଛନ୍ତି। ଅଭିଜ୍ଞ ଖେଳାଳି ନାଟ ସ୍କିଭର, କାଥେରିନ ବ୍ରଣ୍ଟ, ହିଦର ନାଇଟ୍, ଡାନି ୱାଟ, କାଟ୍ କ୍ରସ ଓ ସୋଫି ଏକଲେଷ୍ଟୋନଙ୍କୁ ନେଇ ଦଳ ଦୃଢ଼ ରହିଛି। ୧୯୯୫ରେ ଭାରତ ବିପକ୍ଷରେ ଏକମାତ୍ର ବିଜୟ ପାଇଥିବା ଭ୍ରମଣକାରୀ ଇଂଲଣ୍ଡ ୧୦୦ତମ ଟେଷ୍ଟ୍ ଖେଳିବାକୁ ଯାଉଥିବାରୁ ଉତ୍ସାହିତ ରହିଛି।
ସମ୍ଭାବ୍ୟ ଭାରତ ଏକଦଶ: ଶେଫଳି ବର୍ମା, ସ୍ମୃତି ମନ୍ଧାନା, ଜେମିମା ରଡ୍ରିଗୁଏଜ, ହର୍ମନପ୍ରୀତ କୌର (ଅଧିନାୟକ), ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ/ପୂଜା ବସ୍ତ୍ରକାର, ସ୍ନେହ ରଣା, ରାଜେଶ୍ବରୀ ଗାଏକ୍ବାଡ, ରେଣୁକା ସିଂହ, ମେଘନା ସିଂହ।
ସମ୍ଭାବ୍ୟ ଇଂଲଣ୍ଡ ଏକଦଶ: ତାମି ବିଉନଟ, ସୋଫିଆ ଡଙ୍କଲେ, ହିଦର ନାଇଟ୍ (ଅଧିନାୟକ), ନାଟ ସ୍କିଭର ବ୍ରଣ୍ଟ, ଆଲିସ କାପସି, ଡାନି ୱାଟ, ଆମି ଜୋନ୍ସ, ସୋଫି ଏକଲେଷ୍ଟୋନ, ଚାର୍ଲି ଡିନ୍, କାଟ କ୍ରସ, ଲରେନ ଫିଲର/ଲରେନ ବେଲ।