ବିଶାଖାପାଟଣା: ଶୁକ୍ରବାରଠୁ ଏଠାରେ ଆରମ୍ଭ ହେଉଥିବା ଦ୍ବିତୀୟ ଟେଷ୍ଟ୍‌ରେ ଇଂଲଣ୍ଡ ସମସ୍ତ ସ୍ପିନ୍‌ ବୋଲିଂ ଆକ୍ରମଣକୁ ନେଇ ପଡ଼ିଆକୁ ଓହ୍ଲାଇବ। ପ୍ରଥମ ଟେଷ୍ଟ୍‌ରେ ଭାରତର ବ୍ୟାଟିଂ କ୍ରମକୁ ଦୋହଲାଇ ଦେବାରେ ସ୍ପିନରଙ୍କ ବଡ଼ ଭୂମିକା ରହିଥିଲା। ୨୮ରନ୍‌ରେ ହାଇଦ୍ରାବାଦ ଟେଷ୍ଟ୍‌ ଜିତିବା ପରେ ଇଂଲଣ୍ଡ ବିଶାଖାପାଟଣାରେ ମଧ୍ୟ ପିଚ୍‌ର ସ୍ଥିତିକୁ ଯାଞ୍ଚ କରିଛି ଏବଂ ପିଚ୍‌ ଅନୁସାରେ ବୋଲିଂ ଆକ୍ରମଣ ବାଛିଥିବା ପ୍ରଶିକ୍ଷକ ବ୍ରେଣ୍ଡନ ମ୍ୟାକଲମ୍‌ କହିଛନ୍ତି। ତେବେ ଏହି ସ୍ପିନ୍‌ ଲାଇନ୍‌ ଅପ୍‌ରେ ନବାଗତ ଯୁବ ବୋଲର ସୋଏବ ବସିର ପଦାର୍ପଣ କରିପାରନ୍ତି ବୋଲି ମୁଖ୍ୟ ପ୍ରଶିକ୍ଷକ କହିସାରିଛନ୍ତି। କିନ୍ତୁ ଇଂଲଣ୍ଡର ଅଭିଜ୍ଞ ସ୍ପିନର ଜ୍ୟାକ୍‌ ଲିଚ୍‌ ଦ୍ବିତୀୟ ମ୍ୟାଚ୍‌ରେ ଖେଳିବା ସମ୍ଭାବନା କମ୍‌ ରହିଛି। ପ୍ରଥମ ମ୍ୟାଚ୍‌ ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ବୁଧବାର ଦଳର ଅଭ୍ୟାସରେ ସାମିଲ ହୋଇ ନଥିଲେ। ବରଂ ପଡ଼ିଆ ବାହାରେ ଫିଜିଓଙ୍କ ଦ୍ବାରା ସେ ଚିକିତ୍ସିତ ହେଉଥିଲେ। ଯଦି ଲିଚ୍‌ ଏହି ମ୍ୟାଚ୍‌ରେ ନଖେଳନ୍ତି, ତାହେଲେ ବସିର ତାଙ୍କ ସ୍ଥାନ ନେଇପାରନ୍ତି। ଏଭଳି ସ୍ଥିତିରେ ଭାରତ ମଧ୍ୟ ସ୍ପିନ୍‌ ଶକ୍ତିକୁ ନେଇ ଆଗକୁ ବଢ଼ିବାକୁ ଯୋଜନା କରୁଛି।

Advertisment

ହାଇଦ୍ରାବାଦ୍‌ରେ ଆମର ଶୃଙ୍ଖଳାର ଅଭାବ ଥିଲା: ରାଠୋଡ଼
ପ୍ରଥମ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ପାଖରେ ଶୃଙ୍ଖଳାର ଅଭାବ ଥିଲା। ଯେଉଁଥିପାଇଁ ଦଳକୁ ପରାଜିତ ହେବାକୁ ପଡ଼ିଥିଲା। କିନ୍ତୁ ଏବେ ଦ୍ବିତୀୟ ଟେଷ୍ଟ୍‌ରେ ଭାରତୀୟ ଖେଳାଳିମାନଙ୍କୁ ସାମର୍ଥ୍ୟ ଅନୁସାରେ ଖେଳିବାକୁ ପଡ଼ିବ। ଏଥିପାଇଁ ସେ ଯୋଜନାବଦ୍ଧ ରଣକୌଶଳ ପ୍ରସ୍ତୁତି ଉପରେ ଜୋର୍‌ ଦେଇଛନ୍ତି। ଯେତେବେଳେ ବି ସୁଯୋଗ ଆସିବ ଆମକୁ ସ୍କୋର କରିବାକୁ ପଡ଼ିବ। ତେଣୁ ବ୍ୟାଟର୍‌ଙ୍କୁ ପିଚ୍‌ ବି‌ଶ୍ଲେଷଣ କରିବା ପରେ ସଟ୍‌ ଚୟନ କରିବାକୁ ହେବ। ପ୍ରଥମ ମ୍ୟାଚ୍‌ରେ ଭାରତ ୧୯୦ ରନ୍‌ରେ ପ୍ରଥମ ପାଳିରେ ଆଗୁଆ ଥିଲେ ମଧ୍ୟ ପରାସ୍ତ ହୋଇଥିଲା। ଇଂଲଣ୍ଡର ‘ବାଜ୍‌ବଲ୍‌’ ପଦ୍ଧତି ଏଠାରେ ସଫଳତା ଦେଇଥିଲା। କିନ୍ତୁ କ୍ରିକେଟ୍‌ ଖେଳିବା ବେଳେ ଏକ ଉଦ୍ଦେଶ୍ୟ ନେଇ ଖେଳିବା ଏବଂ ଆକ୍ରମଣାତ୍ମକ କ୍ରିକେଟ୍‌ ଖେଳିବା ମଧ୍ୟରେ ଫରକ ରହିଛି। ଯିଏ ଚତୁରତାର ଖେଳ ପ୍ରଦର୍ଶନ କରିବ ସେ ହିଁ ମ୍ୟାଚ୍‌ରେ ସଫଳ ହେବ ବୋଲି ରାଠୋଡ଼ କହିଛନ୍ତି।