ଶେଷରେ ଇଂଲଣ୍ଡକୁ ସାନ୍ତ୍ବନା: ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ବେକାର, ଭାରତ ୨-୧ରେ ଶୃଙ୍ଖଳା ଜିତିଲା

ନଟିଂହାମ: ନଟିଂହାମରେ ଭାରତୀୟ ସୂର୍ଯ୍ୟ ଉଦୟ ହେଲା। ତାଙ୍କ ତେଜରେ ଇଂଲଣ୍ଡ ବୋଲର ଝାଉଁଳି‌ଲେ। ହେଲେ ଭାରତ ବିଜୟ ନୋହିଲା। ୨୧୬ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଶେଷରେ ୧୯୮/୯ରେ ଅଟକି ଗଲା। ଫଳରେ ଘରୋଇ ଇଂଲଣ୍ଡ ତିନି ଟିକିଆ ଶୃଙ୍ଖଳାରେ ସମ୍ମାନ ରଖିବା ସହ ୧୭ ରନ୍‌ର ସାନ୍ତ୍ବନାମୂଳକ ବିଜୟ ସାଉଣ୍ଟିଲା। ତେବେ ପ୍ରଥମ ଦୁଇ ମ୍ୟାଚ୍ ଜିତିବା ଆଧାରରେ ଭାରତ ୨-୧ରେ ଶୃଙ୍ଖଳା ଜିତିଲା। ଭାରତ ପାଳିର ପ୍ରମୁଖ ଆକର୍ଷଣ ସୂର୍ଯ୍ୟକୁମାର ଯାଦବ କିନ୍ତୁ ନିଜ ନାମକୁ ରେକର୍ଡ ବୁକ୍‌ରେ ସ୍ଥାନିତ କଲେ। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ପଞ୍ଚମ ଭାରତୀୟ ଭାବେ ଶତକ ଅର୍ଜନ କଲେ ସେ। ଏହା ମଧ୍ୟ ବ୍ୟକ୍ତିଗତ ଭାବେ ତାଙ୍କର ପ୍ରଥମ ଶତକ ଏବଂ ଟ୍ବେଣ୍ଟି-୨୦ରେ ଭାରତ ପାଇଁ ଦ୍ବିତୀୟ ସର୍ବୋଚ୍ଚ ସ୍କୋର ଥିଲା। ତେବେ ଅନ୍ୟପଟୁ ଆବଶ୍ୟକ ସମର୍ଥନ ନମିଳିବାରୁ ସୂର୍ଯ୍ୟଙ୍କ ଜାଜ୍ଜ୍ବଲ୍ୟମାନ ଶତକ ଶେଷରେ ବେକାର ଯାଇଥିଲା। ରୋହିତଙ୍କ ନେତୃତ୍ବରେ ଲଗାତାର ୧୯ ମ୍ୟାଚ୍ (ସବୁ ଫର୍ମାଟ୍) ଜିତିଥିବା ଭାରତ ୨୦ତମ ମ୍ୟାଚକୁ ହାରିଥିଲା।

ଭାରତର ପଶ୍ଚାତଧାବନ ଦ୍ବିତୀୟ ଓଭରରେ ହିଁ ବାଟ ହୁଡ଼ିଥିଲା। ଓପନିଂ କରିବାର ନୂଆ ଦାୟିତ୍ବ ଓ ସୁଯୋଗ ପାଇଥିବା ଋଷଭ ପନ୍ତ ରେସେ ଟପଲିଙ୍କୁ ଆଗକୁ ଆସି ଆକ୍ରମଣ କଲା ବେଳେ ବ୍ୟକ୍ତିଗତ ସ୍କୋର ୧ରେ ପ୍ରତିପକ୍ଷ ୱିକେଟ୍ ରକ୍ଷକ ତଥା ଅଧିନାୟକ ଜୋସ୍ ବଟଲରଙ୍କ ହାତରେ ଧରା ପଡ଼ିଥିଲେ। ମାତ୍ର ୨ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିବା ଭାରତ ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଲଗାତାର ଚୌକା ଓ ଛକା ଦେଖିଥିଲା। ପ୍ରାରମ୍ଭିକ ଚମକ ପରେ ନିଜ ଷଷ୍ଠ ବଲ୍‌ରେ ହିଁ କୋହଲି ଜାସନ ରୟଙ୍କ ହାତରେ କଭର ଅଞ୍ଚଳରେ ଧରା ପଡ଼ିଯାଇଥିଲେ। ୧୧ ରନ୍‌ର ବ୍ୟକ୍ତିଗତ ସ୍କୋରରେ କୋହଲିଙ୍କ ଛୋଟିଆ ପାଳିର ଅନ୍ତ ହୋଇଯାଇଥିଲା। ଭାରତ ୧୩ ରନ୍‌ରେ ୨ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ଅଧିନାୟକ ରୋହିତ ନିରାଶ କରିବା ପରେ ଭାରତ ୩୧ ରନ୍‌ରେ ୩ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ତେବେ ସୂର୍ଯ୍ୟକୁମାର ଯାଦବ ଏବଂ ଶ୍ରେୟସ୍ ଆୟର ଚତୁର୍ଥ ୱିକେଟ୍‌ରେ ୧୧୯ ରନ୍ ଯୋଡ଼ି ଭାରତ ପାଇଁ ବିଜୟ ଆଶା ସଂଚାର କରିଥିଲେ। ବଢ଼ି ବଢ଼ି ଚାଲିଥିବା ରନ୍ ହାର ପାଇଁ ଶ୍ରେୟସ୍, ଦୀନେଶ କାର୍ତ୍ତିକ ଓ ରବୀନ୍ଦ୍ର ଜାଦେଜା ବଡ଼ ସଟ୍ ଖେଳିବା ପ୍ରୟାସରେ ନିଜ ନିଜ ୱିକେଟ୍ ହରାଇଥିଲେ। ଭାରତର ଶେଷ ଆଶା ସୂର୍ଯ୍ୟକୁମାରଙ୍କୁ ମୋଇନ ଅଲ୍ଲୀ ଚତୁରତାର ସହ ଊନ୍ନବିଂଶ ଓଭରର ପଞ୍ଚମ ବଲ୍‌ରେ ଆଉଟ୍ କରିବା ପରେ ଭାରତର ବିଜୟ ଆଶା ସଂପୂର୍ଣ୍ଣ ମଉଳି ଯାଇଥିଲା।

ଶୃଙ୍ଖଳା ଜିତି ସାରିଥିବାରୁ ଭାରତ ରବିବାର ତା’ ର ସଂରକ୍ଷିତ ‌ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ଶ୍ରେୟସ୍ ଆୟର, ଉମ୍ରାନ ମଲ୍ଲିକ, ଆୱେଶ ଖାନ୍ ଓ ରବି ବି‌ଷ୍ଣୋଇ ଭଳି ଖେଳାଳି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ସେପଟେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଜାସନ୍ ରୟ ଓ ଜୋସ୍ ବଟଲର ଦ୍ରୁତ ଆରମ୍ଭ କରିଥିଲେ। ତେବେ ଉଭୟ ୬୧ ରନ୍ ଭିତରେ ପ୍ୟାଭିଲିୟନ ଫେରି ଯାଇଥିଲେ। ପାୱାର ପ୍ଲେ’ର ୬ ଓଭର‌ରେ କିନ୍ତୁ ଇଂଲଣ୍ଡ ବଟଲରଙ୍କ ୱିକେଟ୍ ହରାଇ ୫୨ ରନ୍ କରି ନେଇଥିଲା। ଫିଲ୍ ସଲ୍ଟ ଓ ମୋଇନ ଅଲ୍ଲୀ ଶସ୍ତାରେ ପ୍ୟାଭିଲିୟନ ଫେରି ଯାଇଥିଲେ। ତଥାପି ଦାୱିଦ ମଲାନଙ୍କ ଅର୍ଦ୍ଧଶତକ ସହ ଲିୟାସ ଲିଭିଂଷ୍ଟୋନଙ୍କ ବିସ୍ଫୋରକ ୪୨* ରନ୍ ବଳରେ ଇଂଲଣ୍ଡ ୭ ୱିକେଟ୍ ବିନିମୟରେ ୨୧୫ ରନ୍ କରି ନେଇଥିଲା। ନିଜ ଅତୁଳନୀୟ ଗତି ପାଇଁ ପରିଚିତ ଉମ୍ରାନ ପୁଣି ଥରେ ମହଙ୍ଗା ସାବ୍ୟସ୍ତ ହୋଇ ଓଭର ପିଛା ୧୪ ରନ୍ ଲେଖାଏଁ ବ୍ୟୟ କରି ଗୋଟିଏ ୱିକେଟ୍ କରାୟତ୍ତ କରିଥିଲେ। ରବି ବିଷ୍ଣୋଇ ଓ ହର୍ଷଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର