ଲଣ୍ଡନ: ଲର୍ଡସ ଟେଷ୍ଟ୍‌କୁ ୧୯୦ ରନ୍‌ର ବଡ଼ ବ୍ୟବଧାନରେ ଜିତି ନେଇଛି ଇଂଲଣ୍ଡ। ତା’ସହିତ ଶ୍ରୀଲଙ୍କା ବିପକ୍ଷ ତିନି ଟିକିଆ ଶୃଙ୍ଖଳାକୁ ଆଗୁଆ ୨-୦ରେ ଜିତି ନେଇ ୨୦୧୧ ମସିହା ପରେ ଘରୋଇ ପରିବେଶରେ ଲଗାତାର ୫ ଟେଷ୍ଟ୍ ଜିତିବାର କୀର୍ତ୍ତିମାନ କରିଛି। ଶୃଙ୍ଖଳାର ତୃତୀୟ ତଥା‌ ଶେଷ ଟେଷ୍ଟ୍ ଶୁକ୍ରବାରଠାରୁ ଦ ଓଭାଲ୍ ପଡ଼ିଆରେ ଖେଳାଯିବ। ଏଥିରେ ଶ୍ରୀଲଙ୍କା ପାଇଁ ସମ୍ମାନ ରକ୍ଷା ଏବଂ ଇଂଲଣ୍ଡକୁ ମୂଳପୋଛ ବିଜୟର ସୁଯୋଗ ରହିବ। 

Advertisment

ଲର୍ଡସରେ ଇଂଲଣ୍ଡ ୪୮୩ ରନ୍‌ର ଲକ୍ଷ୍ୟ ଦେବା ପରେ ଶ୍ରୀଲଙ୍କା ଶନିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ବିନିମୟରେ ୫୩ ରନ୍ କରିଥିଲା। ରବିବାର ୨୩୯ ରନ୍ ବିନିମୟରେ ଅବଶିଷ୍ଟ ୮ ୱିକେଟ୍ ହରାଇବା ପରେ ଇଂଲଣ୍ଡ ଦେଢ଼ ଦିନ ପୂର୍ବରୁ ବିଜୟର ମିଠାମିଠା ଚାଖିଥିଲା। ଉଭୟ ପାଳିରେ ଶତକ ଅର୍ଜନ କରି ଜୋ ରୁଟ୍ ଇତିହାସ ରଚିଥିଲେ ମଧ୍ୟ ଗସ୍ ଆଟକିନସନ୍ ଅଲରାଉଣ୍ଡ୍ ପ୍ରଦର୍ଶନ କରି (୧୩୨ ରନ୍ ଓ ୭/୧୦୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି।

ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ପ୍ରଥମ ପାଳି: ୪୨୭। ଶ୍ରୀଲଙ୍କା‌ ପ୍ରଥମ ପାଳି: ୧୯୬। ଇଂଲଣ୍ଡ ଦ୍ବିତୀୟ ପାଳି: ୨୫୧। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୮୬.୪ ଓଭରରେ ୨୯୨ (ଦୀନେଶ ଚାନ୍ଦିମାଳ-୫୮, ଧନଞ୍ଜୟ ଡି’ସିଲଭା-୫୦, ମିଲାନ ରତ୍ନାୟକେ-୪୩, ଗସ୍ ଆଟକିନସନ୍-୫/୬୨, ଓଲି ଷ୍ଟୋନ୍-୨/୫୬, କ୍ରିସ୍ ଓକ୍ସ-୨/୪୬)।