ଭଲଗୋଗ୍ରାଡ୍ : ଫିଫା ବିଶ୍ୱକପ୍ରେ ଇଂଲଣ୍ଡର ବିଜୟ ଅପେକ୍ଷାର ଅନ୍ତ ସୋମବାର ରାତିରେ ହେଲା। ଗତ ଆଠ ବର୍ଷ ହେବ ବିଜୟ ଶୂନ୍ୟ ରହିଥିବା ପୂର୍ବ ବିଜେତା ଇଂଲଣ୍ଡ ମସ୍କୋ ଲଢ଼େଇର ପ୍ରଥମ ମୁକାବିଲାକୁ ରୋମାଞ୍ଚକର ଭାବେ ୨-୧ ଗୋଲ୍ରେ ଜିତିନେଲା। ଅଧିନାୟକ ହାରି କେନ୍ ହିଁ ଇଂଲଣ୍ଡକୁ ଏହି ପ୍ରତୀକ୍ଷିତ ବିଜୟ ଉପହାର ଦେଲେ। ପ୍ରତିପକ୍ଷ ଟ୍ୟୁନିସିଆର ଟାଣୁଆ ଲଢ଼େଇ ସତ୍ତ୍ୱେ ଏକାକି ଦୁଇଟି ଗୋଲ୍ ଦେଇ କେନ୍ ବ୍ୟକ୍ତିଗତ ଭାବେ ମଧ୍ୟ କୌଣସି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ନିଜ ଦଳ ପାଇଁ ଯୁଗଳ ସଫଳତା ଲାଭ କଲେ। ଇଂଲଣ୍ଡ ଶେଷ ଥର ପାଇଁ ୨୦୧୦ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ରେ ସ୍ଲୋଭେନିଆକୁ ୧-୦ରେ ହରାଇଥିଲା। ଏଥର କିନ୍ତୁ ଜବରଦସ୍ତ ଆରମ୍ଭ କଲା। ସେପଟେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଟ୍ୟୁନିସିଆ ଲଢ଼ୁଆ ଖେଳ ଖେଳିବା ସତ୍ତ୍ୱେ ଷ୍ଟପେଜ୍ ଟାଇମ୍ରେ ନିର୍ଣ୍ଣାୟକ ଦ୍ୱିତୀୟ ଗୋଲ୍ ବରଣ କରି ମ୍ୟାଚ୍ ହାତଛଡ଼ା କଲା।
ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍କୁ ଆସିଥିବା ଟ୍ୟୁନିସିଆ ସୋମବାର ଇଂଲଣ୍ଡର ପ୍ରଥମ ୧୫ ମିନିଟ୍ ଆକ୍ରମଣରେ ଘାଇଲା ହୋଇ ଯାଇଥିଲା। ଇଂଲଣ୍ଡ ଖେଳାଳିମାନେ ନିଜ ଗତି ଏବଂ କଳା କୌଶଳରେ ତୃତୀୟ ମିନିଟ୍ରେ ହିଁ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ ଏବଂ ଏକାଦଶ ମିନିଟ୍ରେ ଆଗୁଆ ହୋଇ ଯାଇଥିଲେ। ଜନ୍ ଷ୍ଟୋନ୍ସଙ୍କ ହେଡରକୁ ଟ୍ୟୁନିସିଆ ଗୋଲ୍ ରକ୍ଷକ ମୋୟୁଜ ହାସେନ ଡାଇଭ୍ ମାରି ରୋକି ଦେଇଥିଲେ। ହେଲେ ବଲ୍ ତାଙ୍କ ହାତରେ ବାଜି ବାହାରକୁ ଚାଲି ଯାଉଥିଲା ବେଳେ ସେଠାରେ ସଜାଗ ଥିବା ହାରି କେନ୍ ଏହାକୁ ଅନାୟସରେ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ଦେଇଥିଲେ। ବିଶ୍ୱକପ୍ ସହ କୌଣସି ବଡ଼ ପ୍ରତିଯୋଗିତାରେ ଏହା କେନଙ୍କର ପ୍ରଥମ ଗୋଲ୍ ଥିଲା। ଇଂଲଣ୍ଡର ଏହି ଖୁସି ଅବଶ୍ୟ ୨୩ ମିନିଟ୍ ପରେ ଉଭେଇ ଯାଇଥିଲା। ଦୀର୍ଘ ପ୍ରୟାସ ପରେ ଟ୍ୟୁନିସିଆ ଇଂଲଣ୍ଡ ରକ୍ଷଣଭାଗ ଭେଦ କରି ବକ୍ସରେ ପ୍ରବେଶ କରିଥିଲା। ୨୭ ମିିନିଟ୍ରେ ଏହି ଦଳ ପ୍ରଥମ କର୍ନର ଅର୍ଜନ କରିଥିଲା। ଏହାର ଠିକ୍ ୭ ମିନିଟ୍ ପରେ ପେନାଲ୍ଟି ପାଇଥିଲା। ଫର୍ଜାନି ଶଶି (୩୫ ମିନିଟ) ଏହାକୁ ସଫଳତାର ସହ ଗୋଲରେ ରୂପାନ୍ତର କରି ସ୍ଥିତି ୧-୧ କରି ନେଇଥିଲେ। ଚଳିତ ବିଶ୍ୱକପ୍ରେ ଗୋଲ୍ ଦେବାରେ ଟ୍ୟୁନିସିଆ ମଧ୍ୟ ପ୍ରଥମ ଆଫ୍ରିକୀୟ ଦେଶ ହୋଇଥିଲା। ଇଂଲଣ୍ଡ ଶକ୍ତି ଏବଂ ସତେଜତାର ସହ ଖେଳ ଆରମ୍ଭ କରିଥିଲା। ସେମାନେ ତୁଳତାତ୍ମକ ଭାବେ ଅଧିକ ସୁଯୋଗ ବି ସୃଷ୍ଟି କରିଥିଲେ। ହେଲେ ସେଗୁଡ଼ିକୁ ଗୋଲ୍ରେ ବଦଳାଇ ପାରି ନଥିଲେ। ଫଳରେ ପ୍ରଥମାର୍ଧ ସେହି ୧-୧ରେ ଶେଷ ହୋଇଥିଲା। ଦ୍ୱିତୀୟାର୍ଧରେ ଟ୍ୟୁନିସିଆ ଟାଣୁଆ ଲଢ଼େଇ କରିଥିଲା। ନିର୍ଧାରିତ ୪୫ ମିନିଟ୍ରେ ଇଂଲଣ୍ଡ ଅଗ୍ରଭାଗକୁ ଅଟକାଇ ରଖିଥିଲା। ହେଲେ ୪ ମିନିଟର ଷ୍ଟପେଜ୍ ଟାଇମ୍ରେ ଇଂଲଣ୍ଡ ବାଜି ବଦଳାଇ ଦେଇଥିଲା। ୯୧ ମିନିଟରେ କେନ୍ ଆଉ ଏକ ଗୋଲ୍ ଦେବା ସହ ଇଂଲଣ୍ଡକୁ ୨-୧ରେ ଆଗୁଆ କରି ଦେଇଥିଲେ। ଶେଷରେ ଏହି ବ୍ୟବଧାନରେ ହିଁ ଇଂଲଣ୍ଡ ବିଜୟୀ ହୋଇଥିଲା।