୮୫ ଜବାବରେ ୩୮ ଅଲଆଉଟ୍‌, ଲର୍ଡସ ଟେଷ୍ଟ୍‌‌ରେ ଇଂଲଣ୍ଡ ବିଜୟୀ

ଲଣ୍ଡନ: ପ୍ରଥମ ପାଳିରେ ନିଜେ ମାତ୍ର ୮୫ ରନ୍ କରିଥିବା ଇଂଲଣ୍ଡ କିନ୍ତୁ ପ୍ରତିପକ୍ଷ ଆୟର୍ଲାଣ୍ଡର ଦ୍ବିତୀୟ ପାଳିକୁ ୩୮ ରନ୍‌ରେ ସଫା କରି ଲର୍ଡସ ଟେଷ୍ଟକୁ ଅଢ଼େଇ ଦିନରେ ଜିତିନେଇଛି। ୧୮୨ ରନ୍‌କୁ ପିଛା କରି ଆୟର୍ଲାଣ୍ଡ ମାତ୍ର ୩୮ ରନ୍ କରିବାରୁ ପ୍ରଥମ ଦୁଇ ଦିନର ସଫଳାତାକୁ ଗୋଟିଏ ‌ଅଧିବେସନରେ ହାତଛଡ଼ା କରି ଦେଇଛି। ଘରୋଇ ଇଂଲଣ୍ଡ ୧୪୩ ରନ୍‌ରେ ବିଜୟୀ ହୋଇଛି। ନାଇଟ୍‌ ୱାଚ୍‌ମ୍ୟାଚ୍‌ ଜ୍ୟାକ ଲିଚ୍‌ ୯୨ ରନ୍‌ କରିଥିବାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଛନ୍ତି।

ପ୍ରଥମ ପାଳିରେ ଦମ୍‌ଦାର ବୋଲିଂ କରି ଇଂଲଣ୍ଡକୁ ୮୫ ରନ୍‌ରେ ସଫା କରିଦେଇଥିବା ଆୟର୍ଲାଣ୍ଡ୍‌ ବ୍ୟାଟିଂରେ ମଧ୍ୟ କମାଲ କରିଥିଲା। ଭ୍ରମଣକାରୀ ଦଳ ୨୦୭ ରନ୍‌ କରି ୧୨୨ ରନ୍‌ର ଅଗ୍ରଣୀ ମଧ୍ୟ ନେଇଥିଲା। ପ୍ରଥମ ଦିନର ସେହି ସଫଳତାକୁ ଆଉ ବଜାୟ ରଖିପାରିଲାନି। ଯାହା ଫଳରେ ଇଂଲଣ୍ଡ ଦ୍ବିତୀୟ ପାଳିରେ ପ୍ରତ୍ୟାବର୍ତନ କରି ମ୍ୟାଚ୍‌ ଶ୍ରେଷ୍ଠ ଖେଳାଳି ଲିଚ୍‌ ଓ ଜାସନ୍‌ ରୟଙ୍କ ପ୍ରଭାବୀ ଅର୍ଧଶତକ ସାଙ୍ଗକୁ ଅଧିନାୟକ ଜୋ ରୁଟ୍‌, ଅଲ୍‌ରାଉଣ୍ଡର ସାମ୍‌ କରନ୍‌ ଓ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୩୦୩ ରନ୍‌ କରିନେଇଥିଲା। ଗୁରୁବାର ଦ୍ବିତୀୟ ଦିବସରେ ଆଲୋକ ଅଭାବ ପାଇଁ ଖେଳ ବନ୍ଦ ରହିବା ବେଳକୁ ଘରୋଇ ଦଳ ୩୦୩ ରନ୍‌ରେ ୯ ୱିକେଟ୍‌ ହରାଇଥିଲା। ହେଲେ ଶୁକ୍ରବାର ତୃତୀୟ ଦିବସର ପ୍ରଥମ ବଲ୍‌ରେ ହିଁ ଥମ୍ପସନ୍‌ ଓଲି ଷ୍ଟୋନ୍‌ଙ୍କୁ ବୋଲ୍‌ଡ କରିଥିଲେ। ଏଥି ସହିତ ଆୟର୍ଲାଣ୍ଡ୍‌କୁ ଐତିହାସିକ ଟେଷ୍ଟ୍‌ ବିଜୟ ପାଇଁ ୧୮୨ ରନ୍‌ର ଆବଶ୍ୟକତା ରହିଥିଲା। ଜବାବରେ ଆୟର୍ଲାଣ୍ଡ୍‌ ଦ୍ବିତୀୟ ପାଳିରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିନେଇଥିଲା। ଇଂଲଣ୍ଡର ଦୁଇ ପ୍ରାରମ୍ଭିକ ବୋଲର ଷ୍ଟୁଆର୍ଟ ବ୍ରଡ୍‌ (୮-୩-୧୯-୪) ଓ କ୍ରିସ୍‌ ୱକ୍‌ସ (୭.୪-୨-୧୭-୬) ଆୟର୍ଲାଣ୍ଡ୍‌ ପାଳିକୁ ଦେଢ଼ଘଣ୍ଟା ମଧ୍ୟରେ ଶେଷ କରିଦେଲେ। ଦୁହେଁ ମିଳିତ ଭାବେ ମାତ୍ର ୧୫.୪ ଓଭରରେ ୧୦ ୱିକେଟ୍‌ ବା‌ଣ୍ଟିନେବାରୁ ଆୟର୍ଲାଣ୍ଡ ୩୮ ରନ୍‌ରେ ସଫା ହୋଇଯାଇଥିଲା। କ୍ରିସ୍‌ ୱକ୍‌ସ ମଧ୍ୟ ତାଙ୍କ ଖେଳ ଜୀବନର ସର୍ବଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। କେବଳ ମ୍ୟାକଲୋମ୍‌ (୧୧) ଦୁଇ ଅଙ୍କ ଛୁଇଁଥିଲେ। ଏପରିକି ୩ ଜଣ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଆୟର୍ଲାଣ୍ଡ୍‌ର ୩୮ ରନ୍‌ ଟେଷ୍ଟ୍‌ କ୍ରିକେଟ୍‌ ଇତିହାସରେ ସପ୍ତମ ସର୍ବନିମ୍ନ ସ୍କୋର୍‌ ଥିଲା ବେଳେ ୬୪ ବର୍ଷ ପରେ ପ୍ରଥମ। ଟେଷ୍ଟ୍ କ୍ରିକେଟର ସର୍ବନିମ୍ନ ଦଳଗତ ସ୍କୋର୍ ୧୯୫୫ ମସିହାରୁ ନ୍ୟୁଜିଲାଣ୍ଡ୍ (୨୬ ବନାମ ଇଂଲଣ୍ଡ, ଅକଲାଣ୍ଡ) ନାମରେ ରହିଛି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୮୫। ଆୟର୍ଲାଣ୍ଡ ପ୍ରଥମ ପାଳି: ୨୦୭। ଇଂଲଣ୍ଡ ଦ୍ବିତୀୟ ପାଳି: ୭୭.୫ ଓଭରରେ ୩୦୩ (ଜ୍ୟାକ୍ ଲିଚ୍ ୯୨, ଜାସନ ରୟ ୭୨, ଥମ୍ପ୍‌ସନ୍‌-୩/୪୪, ମାର୍କ ଏଦେର ୩/୬୬, ବୟଡ ରାଙ୍କିନ ୨/୮୬)। ଆୟର୍ଲାଣ୍ଡ ଦ୍ବିତୀୟ ପାଳି ୧୫.୪ ଓଭରରେ ୩୮ (ମ୍ୟାକଲୋମ୍‌-୧୧, ଷ୍ଟୁଆର୍ଟ ବ୍ରଡ୍‌-୪/୧୯, କ୍ରିସ୍‌ ୱକ୍‌ସ-୬/୧୭)।

ସମ୍ବନ୍ଧିତ ଖବର