ଇଂଲଣ୍ଡ ୪-୦ରେ ଶୃଙ୍ଖଳା ଜିତିଲା

ସାଉଥାମ୍ପଟନ୍‌: େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଘରୋଇ ଇଂଲଣ୍ଡ ୪-୦ରେ ମୂୂଳପୋଛ ଭାବେ ଜିତି ନେଇଛି। ଗୋଟିଏ ମ୍ୟାଚ୍‌ ବର୍ଷା ଧୋଇ ନେଇଥିବାବେଳେ ଅନ୍ୟ ସବୁଥିରେ ଇଂଲଣ୍ଡ ଖେଳାଳିଙ୍କ ପ୍ରାଧାନ୍ୟ ପ୍ରତିଫଳିତ ହୋଇଥିଲା। ରବିବାର ଖେଳାଯାଇଥିବା ପଞ୍ଚମ ତଥା ଶେଷ ଦିନିକିଆରେ େଓ୍ଵଷ୍ଟଇଣ୍ଡିଜ୍‌ ୨୮୮ ରନ୍‌ କରିଥିଲେ ମଧ୍ୟ ଇଂଲଣ୍ଡ ମାତ୍ର ୩୮ ଓଭରରେ ୧ ଓ୍ଵିକେଟ୍‌ ହରାଇ ୨୮୯ ରନ୍‌ ସଂଗ୍ରହ କରି ନେଇଥିଲା। ଇଂଲଣ୍ଡ ବିଜୟରେ ପ୍ରାରମ୍ଭିକ ଯୋଡ଼ି ଜାସନ୍‌ ରୟ (୯୬, ୭୦ ବଲ୍‌, ୧୧ ଚୌକା, ୧ ଛକା) ଏବଂ ଜନି ବେୟାରଷ୍ଟୋ (୧୪୧*, ୧୧୪ ବଲ୍‌, ୧୭ ଚୌକା)ଙ୍କ ୧୫୬ ରନ୍‌ ଭାଗୀଦାରି ଉଲ୍ଲେଖନୀୟ ଥିଲା। ଏହି ଯୋଡ଼ି ମାତ୍ର ୨୧.୨ ଓଭରରେ ହିଁ ୧୫୬ ରନ୍‌ ଉଠାଇଥିଲେ। ଏହା ପରେ ଜୋ ରୁଟ୍‌ (୪୬*, ୪୪ ବଲ୍‌, ୨ ଚୌକା, ୧ ଛକା)ଙ୍କୁ ସାଥୀ କରି ବେୟାରଷ୍ଟୋ ଆଉ ଏକ ଶତକୀୟ (୧୩୮* ରନ୍‌, ୧୬.୪ ଓଭର) ଭାଗୀଦାରି କରିଥିଲେ। ପୂର୍ବରୁ ସବୁ େଓ୍ଵଷ୍ଟଇଣ୍ଡିଜ୍‌ ଖେଳାଳି ଭଲ ଆରମ୍ଭ କରିଥିଲେ ମଧ୍ୟ କେହି ବଡ଼ ସ୍କୋର୍‌ କରି ପାରିନଥିଲେ। କ୍ରିିସ୍‌ ଗେଲ୍‌ (୪୦, ୨୯ ବଲ୍‌, ୧ ଚୌକା, ୫ ଛକା), କାଏଲ୍‌ ହୋପ୍‌ (୩୩, ୩୮ ବଲ୍‌), ସାଇ ହୋପ୍‌ (୭୨, ୯୫ ବଲ୍‌), ମାର୍ଲନ ସାମୁଏଲ୍‌ସ (୩୨, ୬୦ ବଲ୍‌), ଜାସନ୍‌ ମହମ୍ମଦ (୨୫, ୩୦ ବଲ୍‌), ଏସ୍‌ ଅମ୍ବ୍ରିସ୍‌ (୩୮*, ୨୭ ବଲ୍‌) ଏବଂ ଆସଲେ ନର୍ସ (୩୧*, ୧୨ ବଲ୍‌, ୩ ଚୌକା, ୨ ଛକା)ଙ୍କ ଜରିଆରେ େଓ୍ଵଷ୍ଟଇଣ୍ଡିଜ୍‌ ୨୮୮/୬ରେ ପହଞ୍ଚି ପାରିଥିଲା। ଲିଆମ ପ୍ଲଙ୍କେଟ ସର୍ବାଧିକ ୨ ଓ୍ଵିକେଟ୍‌ ନେଇଥିବାବେଳେ ବଲ୍‌, କୁରାନ୍‌, ରସିଦ୍‌ ଓ ଅଲୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ବେୟାରଷ୍ଟୋ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାବେଳେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ନେଇଥିଲେ ଅଲ୍‌ ରାଉଣ୍ଡର୍‌ ମୋଇନ ଅଲୀ।

ସମ୍ବନ୍ଧିତ ଖବର