କୋଲକାତା: ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଧ ଶେଷ ହେବାକୁ ମାତ୍ର ଦୁଇ ମିନିଟ୍ ଥାଏ। ଡାହାଣ ପଟୁ କାଲମ୍ ହଡସନ୍ ଓଡଇ ମାରିଥିବା ଏକ ଜବରଦସ୍ତ ସଟ୍ ବାର୍ରେ ବାଜି ଫେରି ଆସିଲା। ହେଲେ ମାତ୍ର କିଛି କ୍ଷଣ ପରେ ଇଂଲଣ୍ଡ ଅଧିନାୟକ ରିଆନ୍ ବ୍ରିଉଷ୍ଟରଙ୍କ ହେଡର ସିଧା ଗୋଲ୍ ପୋଷ୍ଟ ଭିତରକୁ ପଶିଗଲା। ପୂର୍ବରୁ ଏକାଧିକ ପ୍ରୟାସରେ ବିଫଳ ହୋଇଥିବା ବ୍ରିଉଷ୍ଟର ବଲ୍କୁ ଅତି ଚତୁରତାର ସହ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ଦେଲେ। ତା’ ସହ ଆକସ୍ମିିକ ଭାବେ ମ୍ୟାଚ୍ ନାଟକୀୟ ମୋଡ଼ ନେଲା। ପ୍ରଥମାର୍ଧର ଅଧିକାଂଶ ସମୟ ୨-୦ରେ ଆଗୁଆ ଥିବା ସ୍ପେନ୍ ହଠାତ୍ ଚାପଗ୍ରସ୍ତ ହୋଇଗଲା। ମଧ୍ୟାନ୍ତରରେ ନୂଆ ମନ୍ତ୍ର ଏବଂ ନୂତନ ଉତ୍ସାହ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ପୁଣି ଘନ ଘନ ଆକ୍ରମଣ କଲା। ନିର୍ଣ୍ଣାୟକ ଦ୍ୱିତୀୟାର୍ଧରେ ଚାରିଟିି ଗୋଲ୍ ବର୍ଷା କରି ୫-୨ ଗୋଲ୍ରେ ଫାଇନାଲ୍ ଜିତି ନେଲା। ତା’ ସହ ୧୭ ବର୍ଷରୁ କମ୍ ଫୁଟବଲ୍କୁ ମିଳିଗଲା ନୂଆ ବିଶ୍ୱ ବିଜେତା। ସେପଟେ ସ୍ପେନ୍ ପୂରା ସ୍ତବ୍ଧ ହୋଇଗଲା। ହୃଦୟ ବିଦାରକ ପରାଜୟ ସହ ଚତୁର୍ଥ ଥର ପାଇଁ ଉପ ବିଜେତାରେ ସନ୍ତୁଷ୍ଟ ରହିଲା। ଇଂଲଣ୍ଡ କିନ୍ତୁ ପ୍ରଥମ ଫାଇନାଲ୍ ପଦାର୍ପଣକୁ ନାଟକୀୟ ଭାବେ ଜିତି ନେଇ ବିଶ୍ୱ ବିଜେତା ହେବାର ସୌଭାଗ୍ୟ ଲାଭ କଲା।
ସ୍ପେନ୍କୁ ୫-୨ ଗୋଲରେ ପରାସ୍ତ କରି ଇଂଲଣ୍ଡ ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ୧୭ ବର୍ଷରୁ କମ୍ ବିଶ୍ୱକପ୍ ଫୁଟବଲ୍ ଜିତି ନେଇଛି। କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଶନିବାର ରାତିରେ ଦୁଇ ୟୁରୋପୀୟ ଦେଶ ମଧ୍ୟରେ ହୋଇଥିବା ଫାଇନାଲ୍ ଲଢ଼େଇରେ ସର୍ଗିଓ ଗୋମେଜ୍ (୧୦, ୩୧ ମିନିଟ୍)ଙ୍କ ଯୁଗଳ ଗୋଲ୍ ବଳରେ ସ୍ପେନ୍ ୨-୦ରେ ଆଗୁଆ ହୋଇ ଯାଇଥିଲା। ହେଲେ ଏହା ପରେ ଇଂଲଣ୍ଡ ନାଟକୀୟ ପ୍ରତ୍ୟାବର୍ତନ କରିଥିଲା। ଅଧିନାୟକ ବ୍ରିଉଷ୍ଟର ଏହାର ନେତୃତ୍ୱ ନେଇଥିଲେ। ୪୪ ମିନିଟ୍ରେ ସେ ହିଁ ଇଂଲଣ୍ଡର ଗୋଲ୍ ଖାତା ଖୋଲିଥିଲେ। ଫଳରେ ପ୍ରଥମାର୍ଧ ୨-୧ରେ ଶେଷ ହୋଇଥିଲା। ୫୮ ମିନିଟ୍ରେ ମୋର୍ଗାନ୍ ଗିବ୍ସ ହ୍ଵାଇଟଙ୍କ ଗୋଲ୍ ବଳରେ ସ୍ଥିତି ୨-୨ କରି ନେଇଥିଲେ। ଏହା ପରେ ସ୍ପେନ୍ ରକ୍ଷଣଭାଗକୁ ଧ୍ୱସ୍ତ ବିଧ୍ୱସ୍ତ କରି ଲଗାତାର ତିନିଟି ଗୋଲ୍ ଦେଇ ମ୍ୟାଚ୍ ସହ ବିଶ୍ୱକପ୍ ନିଜ କବ୍ଜାକୁ ନେଇ ଯାଇଥିଲା ଇଂଲଣ୍ଡ୍। ଫିଲିପ ଫେଡେନ (୬୯, ୮୮) ୨୦ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ସ୍ପେନ୍ ଖେଳାଳିଙ୍କୁ ଚକିତ କରି ଦେଇଥିଲେ। ମାର୍କ ଗୁଏହି (୮୪) ମଧ୍ୟ ନିଜ ଶ୍ରେଷ୍ଠ ଖେଳ ଯେମିତି ଶେଷ ଲଢ଼େଇ ପାଇଁ ସାଇତି ରଖିଥିଲେ। ଏହି ଦୁଇ ଜଣ ମିଳିତ ଭାବେ ତିନିଟି ଗୋଲ୍ ଦେବା ପରେ ଇଂଲଣ୍ଡ ପ୍ରଥମ ଥର ପାଇଁ ୧୭ ବର୍ଷରୁ କମ୍ ବିଶ୍ୱକପ୍ ଜିତି ନେଇଥିଲା। ତା’ ସହ ୟୁରୋପୀୟ ୧୭ ବର୍ଷରୁ କମ୍ ପ୍ରତିଯୋଗିତା ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ସ୍ପେନ୍ଠାରୁ ନେଇଥିଲା।
ବ୍ରାଜିଲ୍ ଜିତିଲା କାଂସ୍ୟ
ତିନିଥରର ବିଜେତା ବ୍ରାଜିଲ୍ ଚଳିତ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ରେ କାଂସ୍ୟ ପଦକ ଜିତିଛି। ଶନିବାରର ଫାଇନାଲ୍ ପୂର୍ବରୁ କୋଲ୍କାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯାଇଥିବା ତୃତୀୟ/ଚତୁର୍ଥ ସ୍ଥାନ ମୁକାବିଲାରେ ବ୍ରାଜିଲ୍ ୨-୦ ଗୋଲ୍ରେ ଗତ ସଂସ୍କରଣର ଉପବିଜେତା ମାଲିକୁ ପରାସ୍ତ କରିଥିଲା। ପ୍ରଥମାର୍ଧ ଗୋଲ୍ ଶୂନ୍ୟ ଭାବେ ଶେଷ ହେବା ପରେ ୫୫ତମ ମିନିଟ୍ରେ ଆଲାନ୍ ଗୋଲ୍ ଦେଇ ଦକ୍ଷିଣ ଆମେରିକୀୟ ବିଜେତା ବ୍ରାଜିଲ୍କୁ ୧-୦ରେ ଆଗୁଆ କରିଥିଲେ। ୮୮ତମ ମିନିଟ୍ରେ ବ୍ରେନର୍ଙ୍କ ଏକ ପାସ୍କୁ ୟୁରି ଅଲ୍ବର୍ଟୋ ଗୋଲ୍ ପୋଷ୍ଟ୍କୁ ପଠାଇ ବ୍ରାଜିଲ୍କୁ ୨-୦ ବିଜୟ ପ୍ରଦାନ କରିଥିଲେ। ଅନ୍ୟପଟେ ଆଫ୍ରିକୀୟ ବିଜେତା ମାଲି ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା।