ଭାରତ ପୁଣି ପ୍ରଥମରୁ ଝୁଣ୍ଟିଲା, ଇଂଲଣ୍ଡ ୮ ୱିକେଟ୍‌ରେ ବିଜୟୀ

ଅହମଦାବାଦ : ରନ୍‌ ବର୍ଷିବା ବଦଳରେ ୱିକେଟ୍‌ ଝଡ଼ିଲା। ଭାରତୀୟ ଦଳ ବି ଟେଷ୍ଟ୍ ଶୃଙ୍ଖଳା ଭଳି ପ୍ରଥମରୁ ଝୁଣ୍ଟିଲା। ଶୁକ୍ରବାର ମୋଟେରାରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତକୁ କୌଣସି ସୁଯୋଗ ନ ଦେଇ ଇଂଲଣ୍ଡ ସହଜ ବିଜୟ ସହ ସୀମିତ ଓଭର ଶୃଙ୍ଖଳାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବିରାଟ କୋହଲିଙ୍କ ଦଳ ମାତ୍ର ୧୨୪ ରନ୍‌ରେ ସୀମିତ ରହିଯିବା ପରେ ଇଅନ୍ ମୋର୍ଗାନଙ୍କ ଦଳ ୮ ୱିକେଟ୍‌ ବିଜୟ ସହ ୫ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ୧୨୫ ରନ୍‌ ବିଜୟ ଲକ୍ଷ୍ୟରେ ଖେଳିଥିବା ଇଂଲଣ୍ଡ ପାଇଁ ଜାସନ୍ ରୟ (୪୯) ଓ ଜୋସ୍ ବଟଲର୍‌ (୨୮) ଦୃଢ଼ ମୂଳଦୁଆ ଦେବା ପରେ ଦୱିଦ ମଲାନ୍ (୨୪*) ଏବଂ ଜନି ବେୟାରଷ୍ଟୋ (୨୬*) ୨୭ ବଲ୍‌ ବଳକା ଥାଇ ଦଳକୁ ଜିତାଇଥିଲେ। ୱାସିଂଟନ୍ ସୁନ୍ଦରଙ୍କୁ ଲଙ୍ଗ ଅଫ୍‌ ଉପରେ ଛକା ମାରି ମଲାନ୍‌ ମ୍ୟାଚ୍‌ ଶେଷ କରିଥିଲେ। ଜୋଫ୍ରା ଆର୍ଚର୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରବିବାର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ।

କୋହଲିଙ୍କୁ ଗାଳିମନ୍ଦ
ଶୁକ୍ରବାର ଟସ୍‌ ପଡିବା ବେଳେ ଘୋଷିତ ଭାରତୀୟ ଏକାଦଶକୁ ନେଇ ପ୍ରଶଂସକମାନେ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଖୁବ୍ ବର୍ଷିଥିଲେ। ବିଶେଷ କରି ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ଈଶାନ କିଷନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିବାରୁ ସେମାନେ ସାମାଜିକ ଗଣମାଧ୍ୟମରେ କୋହଲିଙ୍କୁ କଟୁ ସମାଲୋଚନା କରିଥ‌ିଲେ। କେତେକଙ୍କ ଟ୍ବିଟ୍‌ରେ ମଧ୍ୟ କୋହଲିଙ୍କ ଉଦ୍ଦେଶ୍ୟରେ ଅଶୋଭନୀୟ ଶବ୍ଦ ମଧ୍ୟ ରହିଥିଲା। ସୂଚନାଯୋଗ୍ୟ, ପ୍ରଥମ ଟ୍ବେଣ୍ଟି-୨୦ ‌‌ଗୋଟିଏ ଦିନ ପୂର୍ବରୁ କୋହଲି କହିଥିଲେ ରୋହିତ ଶର୍ମା ଏବଂ କେଏଲ୍ ରାହୁଲ ପାଳି ଆରମ୍ଭ କରିବେ। ଶୁକ୍ରବାର ଟସ୍ ପଡ଼ିବାବେଳେ କିନ୍ତୁ ରୋହିତଙ୍କୁ ବିଶ୍ରାମ ଦିଆଯାଇଛି ବୋଲି କହିଥିଲେ। କେଏଲ୍‌ ରାହୁଲଙ୍କ ସହ ଶିଖର ଧାୱନ ପାଳି ଆରମ୍ଭ କରିଥିଲେ ମଧ୍ୟ ଉଭୟ ବିଫଳ ହୋଇଥିଲେ। କୋହଲି ବ୍ୟକ୍ତିଗତ ଭାବେ ମଧ୍ୟ ଟସ୍ ହାରିବା ସହ ଶୂନରେ ଆଉଟ୍ ହୋଇଥିଲେ। କାକର ସମସ୍ୟାକୁ ନଜରରେ ରଖି ଇଅନ୍ ମୋର୍ଗାନ୍‌ ଟସ୍ ଜିତି‌ କ୍ଷେତ୍ରରକ୍ଷଣ କରିଥିଲେ। ଇଂଲଣ୍ଡ କିନ୍ତୁ ଚୂଡ଼ାନ୍ତ ଏକାଦଶରେ ଜଣେ ମାତ୍ର ସ୍ପିନର୍‌ ଆଦିଲ ରସିଦଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଭାରତୀୟ ଦଳ କିନ୍ତୁ ତିନି ତିନି ଜଣ ସ୍ପିନରଙ୍କୁ ନେଇ ଖେଳିଥିଲା। ଏମାନେ ଥିଲେ ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର, ୟୂଝବେନ୍ଦ୍ର ଚହଲ। ଦୀର୍ଘ ୧୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପଡ଼ିଆକୁ ଫେରିଥିଲେ ଭୁବନେଶ୍ବର କୁମାର। ଶେଷ ଥର ପାଇଁ ସେ ୨୦୧୯ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଦୀପକ ଚହର ଓ ନବଦୀପ ସୈନିଙ୍କୁ ପଛରେ ପକାଇ ଶାର୍ଦୁଲ ଠାକୁର ଦ୍ବିତୀୟ ପସନ୍ଦର ଦ୍ରୁତ ବୋଲର ଭାବେ ସ୍ଥାନ ପାଇଥିଲେ।

ଶ୍ରେୟସ ରଖିଲେ ସମ୍ମାନ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ୍‌ ଓ ଶିଖର ଧାୱନ ନିରାଶ କରିଥିଲେ। ରାହୁଲଙ୍କୁ ଦ୍ବିତୀୟ ଓଭ୍ରରେ ଜୋଫ୍ରା ଆର୍ଚର ଏବଂ ଧାୱନଙ୍କୁ ଚତୁର୍ଥ ଓଭରରେ ମାର୍କ ଉଡ୍‌‌ ବୋଲ୍ଡ କରି ଦେଇଥିଲେ। ଧାୱନଙ୍କ ପୂର୍ବରୁ କିନ୍ତୁ ଅଧିନାୟକ ବିରାଟ କୋହଲି ଖାତା ଖୋଲି ନ ପାରି ଫେରିଯାଇଥିଲେ। ସ୍ପିନର୍‌ ଆଦିଲ୍ ରସିଦଙ୍କୁ କୋହଲି ରିଙ୍ଗ୍‌ ଉପରେ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ମିଡ୍‌ ଅଫ୍‌ରେ କ୍ରିସ୍‌ ଜୋର୍ଡାନଙ୍କ ହାତରେ ଧରାପଡ଼ିଥିଲେ। ଭାରତ ପାୱାର ପ୍ଲେ ୬ ଓଭର ଶେଷ ବେଳକୁ ୨୨/୩ରେ ସଂଘର୍ଷ କରିଥିଲା। ମଧ୍ୟକ୍ରମରେ ଋଷବ ପନ୍ତ୍ (୨୧, ୨୩ ବଲ୍‌), ଶ୍ରେୟସ ଆୟର୍‌ (୬୭, ୪୮ ବଲ୍‌) ଏବଂ ହାର୍ଦିକ ପାଣ୍ଡ୍ୟା (୧୯, ୨୧ ବଲ୍‌)ଙ୍କ ପାଳି କାରଣରୁ ଭାରତ ୧୦୦ ଅତିକ୍ରମ କରିପାରିଥିଲା। ଏହି ୩ ଜଣ ହିଁ ଭାରତ ପାଳିରେ ଦୁଇ ଅଙ୍କ ଛୁଇଁଥିଲେ। ‌‌ଜୋଫ୍ରା ଆର୍ଚର ସର୍ବାଧିକ ୩ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର