ଦକ୍ଷିଣ ଆଫ୍ରିକାଠୁ ନେଲା ପ୍ରତିଶୋଧ, ୬୩ ବର୍ଷ ପରେ କେପ୍‌ଟାଉନ୍‌ରେ ଜିତିଲା ଇଂଲଣ୍ଡ

କେପ୍‌ଟାଉନ୍: ନ୍ୟୁଲାଣ୍ଡ୍‌ସ ଷ୍ଟାଡିୟମ୍‌ରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଇଂଲଣ୍ଡ ୧୮୯ ରନ୍‌ରେ ବିଜୟୀ ହୋଇ ପ୍ରଥମ ଟେଷ୍ଟ୍ ପରାଜୟର ପ୍ରତିଶୋଧ ନେଇଛି। ଦୀର୍ଘ ୬୩ ବର୍ଷ ପରେ କେପ୍‌ଟାଉନ୍‌ରେ ଏକ ଟେଷ୍ଟ୍ ମ୍ୟାଚ୍‌ ଜିତିବାର‌ ସୌଭାଗ୍ୟ ପାଇଛି ‌ଜୋ ରୁଟ୍‌ଙ୍କ ଇଂଲଣ୍ଡ ଦଳ। ୪ ମ୍ୟାଚ୍‌ ଶୃଙ୍ଖଳାକୁ ମଧ୍ୟ ୧-୧ ସ୍ତରକୁ‌ ନେଇ ଆସିଛି। ଘରୋଇ ଦଳ ସମ୍ମୁଖରେ ଇଂଲଣ୍ଡ ୪୩୮ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପଞ୍ଚମ ଦିବସ ଶେଷ ଅଧିବେଶନ ପର୍ଯ୍ୟନ୍ତ ଲଢ଼ିଥିଲେ ୨୪୮ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ବେନ୍ ଷ୍ଟୋକ୍ସ ଶେଷ ୩ ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ରୋକିଥିଲେ। ଆଣ୍ଡରସନ୍‌, ବ୍ରଡ୍‌, ବେସ୍‌, ଡେନଲି, କରନ୍‌ ମଧ୍ୟ ୱିକେଟ୍ ଖାତାରେ ନିଜ ନିଜ ନାମ ରଖିଥିଲେ। ଚା’ପାନ ବିରତି ପରେ ଶେଷ ୫ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ଅମୀମାଂସିତ ରଖିବାର ଲକ୍ଷ୍ୟରେ ପହଞ୍ଚି ପାରିନଥିଲା। ଦଳ ପକ୍ଷରୁ ପଦାର୍ପଣ ଟେଷ୍ଟ୍‌ ଖେଳିଥିବା ପିଟର୍ ମଲାନ୍‌ ସର୍ବାଧିକ ୮୪ ରନ୍ କରିଥିଲେ ମଧ୍ୟ ଶତକ ହାସଲରୁ ବଞ୍ଚିତ ରହିଥିଲେ। କିନ୍ତୁ ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ବେନ୍ ଷ୍ଟୋକ୍ସ (ଉଭୟ ପାଳିରେ ୧୧୯ ରନ୍‌ ଏବଂ ୩ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସୂଚନାଯୋଗ୍ୟ, ସେଞ୍ଚୁରିଅନ୍‌ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ୍‌କୁ ଦକ୍ଷିଣ ଆଫ୍ରିକା ୧୦୭ ରନ୍‌ରେ ଜିତିଥିଲା।
— ସଂକ୍ଷିପ୍ତ ସ୍କୋର —
ଇଂଲଣ୍ଡ: ୨୬୯ ଏବଂ ୩୯୧/୮, ଘୋଷଣା।
ଦକ୍ଷିଣ ଆଫ୍ରିକା: ୨୨୩ ଏବଂ ୨୪୮ (ପିଟର୍‌ ମଲାନ୍‌-୮୪, କ୍ବିଣ୍ଟନ୍ ଡି’କକ୍-୫୦, ଡିନ୍‌ ଏଲଗାର-୩୪, ବେନ୍‌ ଷ୍ଟୋକ୍ସ-୩/୩୫, ଜେମ୍ସ ଆଣ୍ଡରସନ୍‌-୨/୨୩, ଜୋ ଡେନଲି-୨/୪୨)।

ସମ୍ବନ୍ଧିତ ଖବର