ଓଭାଲରେ ୧୧୮ ରନ୍‌ରେ ହାରିଲା ଭାରତ, ୪-୧ରେ ଟେଷ୍ଟ ଶୃଙ୍ଖଳା ଜିତିଲା ଇଂଲଣ୍ଡ

ଲଣ୍ଡନ: ଭାରତ ବିରୋଧରେ ମଙ୍ଗଳବାର ଇଂଲଣ୍ଡ ଓଭାଲ ଟେଷ୍ଟକୁ ୧୧୮ ରନ୍‌ରେ ଜିତିଛି। ଇଂଲଣ୍ଡ ପ୍ରଥମେ ଟସ୍‌ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୩୩୨ ରନ୍‌ ଓ ଦ୍ୱିତୀୟ ଇନିଂସରେ ୮ ଓ୍ଵିକେଟ ହରାଇ ୪୨୩ ରନ୍‌ ସଂଗ୍ରହ କରିବା ପରେ ଘୋଷଣା ପାଳି କରିଥିଲା। ଭାରତ ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୨୯୨ ରନ୍‌ ଓ ଦ୍ୱିତୀୟ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୩୪୫ ରନ୍‌ ସଂଗ୍ରହ କରିଥିଲା। ଫଳରେ ଭାରତ ଶେଷ ତଥା ୫ମ ଟେଷ୍ଟରେ ୧୧୮ ରନରେ ପରାସ୍ତ ହୋଇଛି। ଏଥି ସହିତ ଇଂଲଣ୍ଡ ଚଳିତ ଶୃଙ୍ଖଳାକୁ ୪-୧ରେ ବିଜୟୀ ହୋଇଛି।

ଓପନ୍‌ର କେ.ଏଲ୍‌ ରାହୁଲ ଲଢୁଆ ବ୍ୟାଟିଂ କରି ୨୨୪ଟି ବଲ୍‌ ଖେଳି ୧୪୯ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୨୦ଟି ଚୌକା ଓ ଗୋଟିଏ ଛକା ଶାମିଲ ଥିଲା। ସେହିପରି ଆଦିଲ ରସିଦଙ୍କ ଦ୍ୱାରା ରାହୁଲ ବୋଲ୍ଡ ହୋଇଥିଲେ। ସେହିପରି ଋଷଭ ପନ୍ଥ ୧୪୬ଟି ବଲ ଖେଳି ୧୧୪ ରନ୍‌ ଯୋଡ଼ିଥିଲେ। ଏଥିରେ ୧୫ଟି ଚୌକା ଓ ୪ଟି ଛକା ଶାମିଲ ଥିଲା। ଭାରତର ପ୍ରଥମ ଓ ଶେଷ ପର୍ଯ୍ୟାୟର ବ୍ୟାଟସ୍‌ମ୍ୟାନମାନେ ଦୁର୍ବଳ ପ୍ରଦର୍ଶନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜେମସ୍‌ ଆଣ୍ଡରସନ୍‌ ୩ଟି ଓ୍ଵିକେଟ୍‌, ସାମ୍‌ କୁରେନ ଓ ଆଦିଲ ରସିଦ ୨-୨ ଓ୍ଵିକେଟ୍‌ ନେଇଥିବା ବେଳେ ଷ୍ଟୁଆର୍ଟ ବ୍ରୋଡ, ମୋଇନ ଅଲି ଓ ବେନ୍‌ ଷ୍ଟୋକସ୍‌ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର