ଟି-୨୦ ବିଶ୍ବକପ୍‌: ଆତ୍ମସମର୍ପଣ କଲା ପାକିସ୍ତାନ, ଫାଇନାଲ ମ୍ୟାଚ୍‌ରେ ୫ ୱିକେଟ୍‌ରେ ବିଜୟୀ ହୋଇ ଇଂଲଣ୍ଡ ଚାମ୍ପିଅନ୍‌

ବେନ୍‌ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ

ମେଲବର୍ଣ୍ଣ: ଇଂଲଣ୍ଡ ଆଗରେ ପାକିସ୍ତାନ ଚିତ୍‌ପଟାଙ୍ଗ୍‌। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ ଆଗରେ ପାକିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଆତ୍ମସମର୍ପଣ କରିଛି। ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ଇଂଲଣ୍ଡ ୫ ୱିକେଟ୍‌ରେ ପରାସ୍ତ କରିଛି। ଇଂଲଣ୍ଡ ୧୯ ଓଭରରେ ୫ ୱିକେଟ୍‌ ହରାଇ ୧୩୮ ରନ୍‌ କରିଛି। ଏଥି ସହିତ ଇଂଲଣ୍ଡ ଚାମ୍ପିଅନ୍‌ ହୋଇଛି।

ଇଂଲଣ୍ଡକୁ ଆରମ୍ଭରୁ ଝଟକା ଲାଗିଥିଲା। ବିସ୍ଫୋରକ ବ୍ୟାଟର ଆଲେକ୍ସ ହେଲ୍ସ ୨ଟି ବଲ୍‌ ସାମ୍ନାକରି ମାତ୍ର ଗୋଟିଏ ରନ୍‌ କରି ପାଭଲିଅନ୍‌ ଫେରିଯାଇଥିଲେ। ତାଙ୍କ ସ୍ଥାନ ପୂରଣ କରିବା ପାଇଁ କ୍ରିଜ୍‌କୁ ଆସିଥିଲେ ଫିଲ୍‌ ସଲ୍ଟ। ମାତ୍ର ଫିଲ୍‌ ମଧ୍ୟ ପଡ଼ିଆରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନ ଥିଲେ। ସେ ୯ଟି ବଲ୍‌ ସମ୍ମୁଖୀନ ହୋଇ ୨ଟି ଚୌକା ସହାୟତାରେ ୧୦ ରନ୍‌ କରିଥିଲେ। ଇଂଲଣ୍ଡ ନିଜର ସ୍କୋର ୭ ରନ୍‌ରେ ପ୍ରଥମ ୱିକେଟ୍‌ ଓ ୩୨ ରନ୍‌ରେ ଦ୍ବିତୀୟ ୱିକେଟ ହରାଇଥିଲା। ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟର ଜୋସ୍‌ ବଟଲର ଦଳ ପାଇଁ ୨୬ ରନ୍‌ ସଂଗ୍ରହ କରିଥିଲେ। ସେ ୧୭ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ହେରି ବୁକ୍ସ ୨୩ଟି ବଲ୍‌ ଖେଳି ୨୦ ରନ୍‌ କରିଥିଲେ।  ୪ର୍ଥ ୱିକେଟ ବେଳକୁ ଇଂଲଣ୍ଡ ୮୪ ରନ୍‌ ସଂଗ୍ରହ କରିଥିଲା।

ଫାଇନାଲ ମ୍ୟାଚରେ ଇଂଲଣ୍ଡ ବିଜୟୀ ହେବାରେ ବେନ୍‌ ଷ୍ଟୋକ୍ସ ହିରୋ ସାଜିଥିଲେ। ପଞ୍ଚମ ୱିକେଟ୍‌ରେ ସେ ମୋଇନ୍‌ ଅଲିଙ୍କ ସହିତ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ୪୮ ରନ୍‌ କରିଥିଲେ। ବେନ୍‌ ଷ୍ଟୋକ୍ସ ଅପରାଜିତ ୫୨ ରନ୍‌ ସଂଗ୍ରହ କରିଥିଲେ। ସେ ୪୯ଟି ବଲ୍‌ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଲିଆମ ଲିଭିଂ ଷ୍ଟୋନ୍‌ ଗୋଟିଏ ବଲ୍‌ ଖେଳି ୧ ରନ୍‌ କରିଥିଲେ ଏବଂ ସେ ଅପରାଜିତ ହୋଇ ପାଭଲିଅନ୍‌ ଫେରିଥିଲେ। ମୋଇନ୍‌ ଅଲିଙ୍କ ବ୍ୟାଟରୁ ୧୯ ରନ୍‌ ମିଳିଥିଲା। ସେ ୧୩ଟି ବଲ୍‌ ଖେଳି ୩ଟି ଚୌକା ମାରିଥିଲେ।

ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ପରେ ପାକିସ୍ତାନ ବ୍ୟାଟିଂ କରିଥିଲା। ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ‌ହରାଇ ୧୩୭ ରନ୍‌ ସଂଗ୍ରହ କରିଥିଲା। ଫଳରେ ଇଂଲଣ୍ଡକୁ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ପ୍ରଥମ ପାଳିରେ ଇଂଲଣ୍ଡର ବୋଲରମାନେ ଦମଦାର ପ୍ରଦର୍ଶନ କରିଥିଲେ। ଫଳରେ ପାକିସ୍ତାନ ବଡ଼ ସ୍କୋର କରିପାରି ନ ଥିଲା। ଶାନ୍‌ ମସୁଦ ପାକିସ୍ତାନ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ରନ୍‌ କରିଥିଲେ। ସେ ୨୮ଟି ବଲ୍‌ ଖେଳି ୩୮ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୨ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଅଧିନାୟକ ବାବର ଆଜମ ୨୮ଟି ବଲ୍‌ ଖେଳି ୩୨ ରନ୍‌ କରିଥିଲେ। ସେ ୨ଟି ଚୌକା ମଧ୍ୟ ମାରିଥିଲେ। ସଦାବ୍‌ ଖାନ ୧୪ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ୨୦ ରନ୍‌ କରିଥିଲେ। ପାକିସ୍ତାନର ଅନ୍ୟ ଖେଳାଳିମାନେ ସଂପୂର୍ଣ୍ଣ ରୂପେ ଫ୍ଲପ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର