କୋଭିଡ୍‌ ପର ପ୍ରଥମ ଶୃଙ୍ଖଳାରେ ଇଂଲଣ୍ଡ ବିଜେତା, ୱେଷ୍ଟ୍‌ଇଣ୍ଡିଜ୍‌ ୨୬୯ ରନ୍‌ରେ ପରାସ୍ତ

ଶେଷ ୱିଜ୍‌ଡେନ୍‌ ଟ୍ରଫି ଜିତିଲା ଇଂଲଣ୍ଡ, ବ୍ରଡ୍‌ ଓ ଚେଜ୍ ଶୃଙ୍ଖଳାର ଶ୍ରେ‌ଷ୍ଠ ଖେଳାଳି

ମାଞ୍ଚେଷ୍ଟର୍‌: କୋଭିଡ୍‌-୧୯ ପରବର୍ତୀ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାରେ ଇଂଲଣ୍ଡ (୨-୧) ବିଜେତା ହୋଇଛି। ତୃତୀୟ ତଥା ଶେଷ ଟେଷ୍ଟ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ୨୬୯ ରନ୍ ବଡ଼ ବ୍ୟବଧାନରେ ହରାଇ ଜୋ ରୁଟଙ୍କ ଦଳ ମଧ୍ୟ ଶେଷ ୱିଜଡେନ୍ ଟ୍ରଫିକୁ ଜିତି ନେଇଛି। ଏଣିକି ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ୍ ଶୃଙ୍ଖଳା ଟ୍ରଫି ରିଚାର୍ଡସ-ବୋଥାମ୍ ନାମରେ ପ୍ରଦାନ କରାଯିବ। କୋଭିଡ୍‌ ପରିସ୍ଥିତି କାରଣରୁ ଜୈବ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା ଶେଷରେ ମଧ୍ୟ କୌଣସି ବଡ଼ ବିଜୟ ଉତ୍ସବ, ସାମ୍ପେନ୍‌ ସିଞ୍ଚନ, ଫଟୋ ସେସନ୍, ‌ପ୍ରଶଂସକଙ୍କ ସହ ଅଟୋଗ୍ରାଫ, ସେଲଫି ଆଦିର ଦୃଶ୍ୟ ଦେଖିବାକୁ ମିଳିନାହିଁ। ଷ୍ଟୁଆର୍ଟ ବ୍ରଡଙ୍କ ବହୁ ପ୍ରତୀକ୍ଷିତ ୧୦ ୱିକେଟ୍ ଏବଂ ୫୦୦ ୱିକେଟ୍ କ୍ଲବ୍ ସାମିଲ ସହିତ ଏହି ଟେଷ୍ଟ୍‌ ଶେଷ ହୋଇଛି। ପଞ୍ଚମ ଦିନରେ କିନ୍ତୁ କ୍ରିସ୍ ୱକ୍ସ ୫ ୱିକେଟ୍ ନେବା ସବୁଠାରୁ ଉଲ୍ଲେଖନୀୟ ଥିଲା। ଷ୍ଟୁଆର୍ଟ ବ୍ରଡ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ରସ୍ତନ୍ ଚେଜ୍‌ଙ୍କ ସହ ମିଶି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।

ରବିବାର ତୃତୀୟ ଦିବସରୁ ହିଁ ଏହି ଟେଷ୍ଟ୍‌ରେ ୱେଷ୍ଟଇଣ୍ଡିଜ୍‌ର ପରାଜୟ ରାସ୍ତା ସଫା ରହିଥିଲା। ୩୯୯ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଦଳ ୧୦ ରନ୍‌ ଭିତରେ ୨ ୱିକେଟ୍ ହରାଇ ଦେଇଥିଲା। ସୋମବାର ଚତୁର୍ଥ ଦିବସ ଖେଳ ସମ୍ପୂର୍ଣ୍ଣ ବର୍ଷା ଧୋଇନେବାରୁ ୱେଷ୍ଟଇଣ୍ଡିଜ୍‌ ବର୍ତିଯିବାର କ୍ଷୀଣ ଆଶା ଦେଖ‌ାଦେଇଥିଲା। ଶୃଙ୍ଖଳା ବି ୧-୧ରେ ଶେଷ ହେବାର ସମ୍ଭାବନା ଉଜ୍ଜୀବୀତ ହୋଇଥିଲା। ମଙ୍ଗଳବାର ମଧ୍ୟ ବର୍ଷା ବାଧା ଭିତରେ ଶେଷ ଦିନର ଖେଳ ୩ ଥର ଅଟକିଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ୩ ୱିକେଟ୍ ହରାଇଥିବା ୱେଷ୍ଟ୍‌ଇଣ୍ଡିଜ୍‌ ପାଳିକୁ ଇଂଲଣ୍ଡର ପେସ୍ ବୋଲରମାନେ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। କ୍ରେଗ୍ ବ୍ରାଥୱେଟଙ୍କୁ ନିଜର ୫୦୦ତମ ୱିକେଟ୍ ଶିକାର ବନାଇଥିଲେ ଷ୍ଟୁଆର୍ଟ ବ୍ରଡ। ଏହା ପରେ କ୍ରିସ୍ ୱକ୍ସ ହିଁ ସବୁଠାରୁ ଘାତକ ବୋଲିଂ କରିଥିଲେ। ଅବଶିଷ୍ଟ ୭ ୱିକେଟ୍ ମଧ୍ୟରୁ ସେ ଏକା ୫ଟି ଦଖଲ କରି ନେଇଥିଲେ। ରସ୍ତନ ଚେଜ୍‌ ରନ୍ ଆଉଟ୍ ହୋଇଥିଲେ। କ୍ରିସ୍ ୱକ୍ସ (୫/୫୦) ଏବଂ ‌ଷ୍ଟୁଆର୍ଟ ବ୍ରଡ୍ (୪/୩୬) ଇଣ୍ଡିଜ୍ ଦ୍ବିତୀୟ ପାଳିକୁ ୩୮ତମ ଓଭରରେ ୧୨୯ ରନ୍‌ରେ ଶେଷ କରି ଦେଇଥିଲେ। ଚା’ପାନ ବିରତି ପୂର୍ବରୁ ହିଁ ଇଣ୍ଡିଜ୍ ପାଳି ଶେଷ ହୋଇଯାଇଥିଲା। ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବା ନିଷ୍ପତ୍ତି ପରେ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ୱେଷ୍ଟ୍‌ଇଣ୍ଡିଜ୍ ପାଇଁ ଏହା ବୁମେରାଂ ହୋଇଥିଲା।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୩୬୯ ଏବଂ ୨୨୬/୨, ଘୋଷଣା। ୱେଷ୍ଟଇଣ୍ଡିଜ୍: ୧୯୭ ଏବଂ ୩୭.୧ ଓଭରରେ ୧୨୯ (ସାଇ ହୋପ୍‌-୩୧, ଜର୍ମାଇନ୍ ବ୍ଲାକଉଡ୍-୨୩, କ୍ରିସ୍ ୱକ୍ସ-୫/୫୦, ଷ୍ଟୁଆର୍ଟ ବ୍ରଡ୍‌-୪/୩୬।

ସମ୍ବନ୍ଧିତ ଖବର